ଓ୍ବାଶିଂଟନ/ନୂଆଦିଲ୍ଲୀ: ଆମେରିକାରେ ସରକାରୀ କର୍ମଚାରୀଙ୍କ ଅବସ୍ଥା ବେହାଲ । ଘର ପୋଷିବା ଲାଗି ଫୁଡ୍ ଡେଲିଭର କରୁଛନ୍ତି କର୍ମଚାରୀ । ଦରମା ମିଳୁନଥିବାରୁ ସେଠାକାର ସରକାରୀ କର୍ମଚାରୀ ପରିବାର ପ୍ରତିପୋଷଣ କରିବାକୁ ଅନ୍ୟ ପନ୍ଥା ଆପଣାଇବାକୁ ବାଧ୍ୟ ହେଉଛନ୍ତି । ଦେଶବ୍ୟାପୀ ସଟଡାଉନ୍ ଯୋଗୁଁ ୭.୫ ଲକ୍ଷ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ ହୋଇଯାଇଛି।
ଅକ୍ଟୋବର ୧ରୁ ଆରମ୍ଭ ହୋଇଥିବା ଆମେରିକାର ସରକାରୀ ସଟଡାଉନ୍ ଏବେ ୨୨ତମ ଦିନରେ ପହଞ୍ଚିଛି। ଅକ୍ଟୋବର ୨୦ ତାରିଖରେ ଆମେରିକା ସିନେଟରେ ପାଣ୍ଠି ବିଲ୍ ଉପରେ ୧୧ତମ ଥର ପାଇଁ ଭୋଟ୍ ଦେଇଥିଲା । କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରସ୍ତାବକୁ ପୁଣି ଥରେ ପ୍ରତ୍ୟାଖାନ କରାଯାଇଥିଲା। ଫଳରେ ଆମେରିକା ଦ୍ବିତୀୟ ଥର ପାଇଁ ଦୀର୍ଘ ସଟଡାଉନ୍ର ସମ୍ମୁଖୀନ ହୋଇଛି । ଆମେରିକାର ଆର୍ଥିକ ବର୍ଷ ଅକ୍ଟୋବର ୧ ରୁ ଆରମ୍ଭ ହୁଏ। ଏହା ମୂଳତଃ ସରକାରଙ୍କ ଆର୍ଥିକ ବର୍ଷ, ଯେଉଁ ସମୟରେ ସେ ଖର୍ଚ୍ଚ ଏବଂ ବଜେଟ୍ ଯୋଜନା କରନ୍ତି।
ଏହି ସମୟ ମଧ୍ୟରେ ସରକାର ନିଷ୍ପତ୍ତି ନିଅନ୍ତି ଯେ, କେଉଁ କ୍ଷେତ୍ରରେ କେତେ ଟଙ୍କା ନିବେଶ କରାଯିବ । ଯଦି ଏହି ତାରିଖ ସୁଦ୍ଧା ନୂତନ ବଜେଟ୍ ପାସ୍ ନହୁଏ, ତେବେ ସରକାରୀ କାର୍ଯ୍ୟ ବନ୍ଦ ହୋଇଯାଏ । ଏହାକୁ ସଟଡାଉନ ବୋଲି କୁହାଯାଏ।
ଓବାମା ସ୍ୱାସ୍ଥ୍ୟସେବା ସବସିଡି କାର୍ଯ୍ୟକ୍ରମକୁ ନେଇ ଆମେରିକାର ଦୁଇ ପ୍ରମୁଖ ଦଳ, ଡେମୋକ୍ରାଟ ଏବଂ ରିପବ୍ଲିକାନ ମୁହାଁମୁହିଁ ହୋଇଛନ୍ତି । ଡେମୋକ୍ରାଟମାନେ ସ୍ୱାସ୍ଥ୍ୟସେବା ସବସିଡି ବୃଦ୍ଧି କରିବାକୁ ଚାହୁଁଛନ୍ତି। ରିପବ୍ଲିକାନମାନେ ଭୟ କରୁଛନ୍ତି ଯେ, ଯଦି ସବସିଡି ବୃଦ୍ଧି କରାଯାଏ, ତେବେ ସରକାରଙ୍କୁ ଖର୍ଚ୍ଚ କରିବା ପାଇଁ ଅଧିକ ଟଙ୍କାର ଆବଶ୍ୟକତା ପଡିବ । ଏଥିଲାଗି ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ପ୍ରଭାବିତ ହେବ।
ସିଏନଏନ ଅନୁଯାୟୀ, ସଟଡାଉନ୍ର ବିଶେଷ ପ୍ରଭାବ ଏୟାର ଟ୍ରାଫିକ କଂଟ୍ରୋଲରଙ୍କ ଉପରେ ପଡ଼ିଛି । ସେମାନଙ୍କୁ ଅତି ଜରୁରି କର୍ମଚାରୀ ଭାବରେ ବିବେଚନା କରାଯାଏ । ତେଣୁ ଅକ୍ଟୋବର ୧ରୁ ସଟଡାଉନ ଆରମ୍ଭ ହେବା ସତ୍ତ୍ୱେ, ସେମାନେ କାର୍ଯ୍ୟ ଜାରି ରଖିଛନ୍ତି । କିନ୍ତୁ ସେମାନେ ସେମାନଙ୍କର ଦରମା ପାଉନାହାନ୍ତି।
ଦରମା ବନ୍ଦ ହେବା ଯୋଗୁଁ ହଜାର ହଜାର କଂଟ୍ରୋଲର ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରୁଛନ୍ତି। ପରିସ୍ଥିତି ଏତେ ଭୟଙ୍କର ଯେ, ସେମାନଙ୍କର ନିୟମିତ ସିଫ୍ଟ ପରେ ରୋଜଗାର ଲାଗି ଅନ୍ୟ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ସେମାନେ ଜୀବିକା ନିର୍ବାହ ପାଇଁ ଉବର ଡ୍ରାଇଭର ସାଜୁଛନ୍ତି, ଫୁଡ ଡେଲିଭର କରୁଛନ୍ତି କିମ୍ବା ରେଷ୍ଟୁରାଣ୍ଟରେ କାମ କରୁଛନ୍ତି।
ନ୍ୟାସନାଲ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ସ ଆସୋସିଏସନ୍ (NATCA)ର ସଭାପତି ନିକ୍ ଡାନିଏଲ୍ସ କହିଛନ୍ତି ଯେ, ପରିସ୍ଥିତି ଜଟିଳ ହୋଇପଡ଼ିଛି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଦୀର୍ଘକାଳୀନ ଆର୍ଥିକ ଚାପ ଏବଂ ଅତ୍ୟଧିକ ଥକାପଣ ବିମାନ ପରିଚାଳନାକୁ ପ୍ରଭାବିତ କରିପାରେ।
ଫ୍ଲାଇଟ୍ଆୱେର ଅନୁଯାୟୀ, କେବଳ ରବିବାର ଦିନ ୭,୮୦୦ ରୁ ଅଧିକ ବିମାନ ବିଳମ୍ବରେ ଉଡ଼ାର ଭରିଥିଲା । ୧୧୭ଟି ବିମାନ ଉଡ଼ାଣ ବାତିଲ ହୋଇଥିଲା। ଏହି ମାସର ଆରମ୍ଭରେ ଗୋଟିଏ ସପ୍ତାହରେ ୨୩୦୦ ଉଡ଼ାଣ ବିଳମ୍ବ ହୋଇଥିଲା । ଏଥିପାଇଁ କର୍ମଚାରୀ ଅଭାବ ପ୍ରମୁଖ କାରଣ ।