ନୂଆଦିଲ୍ଲୀ, ୧୧/୦୨ : ପୁଣି ପଲଟିଗଲେ ପଲଟୁରାମ। ଭାରତ-ଆମେରିକା ଟ୍ରେଡ୍ ଡିଲ୍ ସହମତି ପରେ ଆମେରିକାର ୟୁ-ଟର୍ଣ୍ଣ। USTR ସୋସିଆଲ ମିଡିଆ ଆକାଉଣ୍ଟରୁ ହଟିଲା ଅଖଣ୍ଡ ଭାରତର ନକ୍ସା। ଟ୍ରେଡ୍ ଡିଲ୍ ପରେ ଏହି ମାନଚିତ୍ର ସେୟାର କରିଥିଲେ ଟ୍ରମ୍ପ। ପିଓକେ ଏବଂ ଅକ୍ସାଇ ଚୀନକୁ ଦର୍ଶାଇଥିଲେ ଭାରତର ଅଭିନ୍ନ ଅଂଶ। ଆମେରିକା ଏହି ମାନଚିତ୍ର ଡିଲିଟ୍ କରିବା ପରେ ଟ୍ରମ୍ପଙ୍କ ଏହା ପୁରୁଣା ଅଭ୍ୟାସ ବୋଲି ଚର୍ଚ୍ଚା ଜୋର୍ ଧରିଛି। 

ୟୁନାଇଟେଡ୍ ଷ୍ଟେଟସ୍ ଟ୍ରେଡ୍ ରିପ୍ରେଜେଣ୍ଟେଟିଭ୍ ଅଫିସ୍ ଫେବୃଆରୀ ୭ ତାରିଖରେ ଅଖଣ୍ଡ ଭାରତ ମାନଚିତ୍ର ପୋଷ୍ଟ କରିଥିଲା। ଏହି ମ୍ୟାପରେ ପିଓକେ ଏବଂ ଅକ୍ସାଇ ଚୀନକୁ ବିବାଦୀୟ ଅଞ୍ଚଳ ପରିବର୍ତ୍ତେ ଭାରତର ଅଭିନ୍ନ ଅଂଶ ବୋଲି ଦର୍ଶାଇଥିଲା। ବଡ଼ କଥା ହେଲା ଭାରତ-ଆମେରିକା ଟ୍ରେଡ୍ ଡିଲ୍ ର ଦ୍ଵିପାକ୍ଷିକ ଅନ୍ତରୀଣ ଫ୍ରେମୱାର୍କ ଏଗ୍ରିମେଣ୍ଟ ଘୋଷଣା ପରେ ଏହି ମାନଚିତ୍ର ପୋଷ୍ଟ କରାଯାଇଥିଲା। ତେବେ ଆମେରିକା ସର୍ବଦା ପିଓକେ ଏବଂ ଅକ୍ସାଇ ଚୀନକୁ ବିବାଦୀୟ ଅଞ୍ଚଳ ବୋଲି କହି ଆସୁଥିଲା। ହେଲେ ହଠାତ୍ ଆମେରିକାର ଏଭଳି ଅଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପାକିସ୍ତାନ ଏବଂ ଚୀନକୁ ଦେଖାଇ ହୋଇ ଆମେରିକା ଜାଣିଶୁଣି ଏହି ପୋଷ୍ଟ କରିଥିବା ବିଶେଷଜ୍ଞମାନେ ଅନୁମାନ କରୁଥିଲେ। ଯାହାକି ଏବେ ସତ ହୋଇଛି। 

​​​​​​​

ଏହି ଖବରଟିକୁ ପଢନ୍ତୁ- ଭାରତ-ୟୁଏସ୍‌ ଟ୍ରେଡ୍‌ ଡିଲ୍‌ରେ ଆମେରିକାର ସାଇଲେଣ୍ଟ ୟୁ-ଟର୍ଣ୍ଣ, ଫ୍ୟାକ୍ଟ ସିଟ୍‌ ବଦଳାଇଲା ହ୍ୱାଇଟ୍ ହାଉସ୍‌

ଭାରତ ବାରମ୍ବାର ସ୍ପଷ୍ଟ କରିସାରିଛି ଯେ ସମଗ୍ର ଜମ୍ମୁ-କାଶ୍ମୀର ଅଞ୍ଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବୈଦେଶିକ ମନ୍ତ୍ରଣାଳୟ (MEA) ମଧ୍ୟ ଆମେରିକାର ବୈଦେଶିକ ବିଭାଗ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଏଜେନ୍ସିଗୁଡ଼ିକ ଦ୍ୱାରା ଭାରତର ସୀମା, ବିଶେଷକରି ଜମ୍ମୁ-କାଶ୍ମୀର ଏବଂ ଅରୁଣାଚଳ ପ୍ରଦେଶର ଭୁଲ ବର୍ଣ୍ଣନା ଉପରେ ଲଗାତାର ଆପତ୍ତି କରିଆସିଛି।

ସୂଚନା ଥାଉକି, ଗତ ସପ୍ତାହରେ, ଭାରତ ଏବଂ ଆମେରିକା ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିର ଢାଞ୍ଚା ପ୍ରକାଶ ପାଇଥିଲା । ଏହି ଚୁକ୍ତି ଅନୁଯାୟୀ, ଉଭୟ ଦେଶ ପାରସ୍ପରିକ ବାଣିଜ୍ୟକୁ ବୃଦ୍ଧି କରିବା ପାଇଁ ଅନେକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବେ । ଆମେରିକା ଭାରତୀୟ ସାମଗ୍ରୀ ଉପରେ ଟିକସ ୫୦ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବ । ବଦଳରେ, ଭାରତ ସମସ୍ତ ଆମେରିକୀୟ ଶିଳ୍ପ ଉତ୍ପାଦ ଏବଂ ବିଭିନ୍ନ ଆମେରିକୀୟ ଖାଦ୍ୟ ଏବଂ କୃଷି ସାମଗ୍ରୀ ଉପରେ ଟିକସକୁ ହଟାଇବ। ଭାରତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆମେରିକାରୁ ପ୍ରାୟ ୫୦୦ ବିଲିୟନ ଡଲାର ମୂଲ୍ୟର ଶକ୍ତି ଉତ୍ପାଦ, ବିମାନ ଏବଂ ବିମାନର ଅଂଶ, ମୂଲ୍ୟବାନ ଧାତୁ, ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ସାମଗ୍ରୀ ଏବଂ କୋକିଂ କୋଇଲା କିଣିବାକୁ ଯୋଜନା କରୁଥିବା ସ୍ଥିର ହୋଇଥିଲା । ଚୁକ୍ତିନାମା ଚୂଡ଼ାନ୍ତ ହେବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଅଗଷ୍ଟ ମାସରେ ଭାରତ ଉପରେ ଲାଗୁ ହୋଇଥିବା ଅତିରିକ୍ତ ୨୫% ଆମଦାନୀ ଶୁଳ୍କକୁ ପ୍ରତ୍ୟାହାର କରିଥିଲେ କାରଣ ଭାରତ ରୁଷରୁ ତେଲ କିଣୁଥିଲା । ନୂଆଦିଲ୍ଲୀ ଏବଂ ୱାଶିଂଟନ ଚଳିତ ବର୍ଷ ମାର୍ଚ୍ଚ ମଧ୍ୟଭାଗ ସୁଦ୍ଧା ଚୂଡ଼ାନ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ହେଉଛନ୍ତି ।