ନୂଆଦିଲ୍ଲୀ, ୦୧/୦୫ : ୧୦୭ ବର୍ଷ ପରେ ମିଳିଲା ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ବୁଡ଼ିଥିବା ଆମେରିକୀୟ ଜାହାଜ। ସମୁଦ୍ରରୁ 'ୟୁଏସ୍ କୋଷ୍ଟ ଗାର୍ଡ କଟର ଟେମ୍ପୋ'ର ଅବଶେଷ ମିଳିଛି। ୧୯୧୮ରେ ଏକ ଜର୍ମାନ ବୁଡାଜାହାଜର ଆକ୍ରମଣରେ ଏହି ଜାହାଜ ବୁଡ଼ି ଯାଇଥିଲା। ଏଥିରେ ଥିବା ୧୩୧ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୯୧୮, ସେପ୍ଟେମ୍ଵରରେ ଜର୍ମାନ ବୁଡ଼ାଜାହାଜ ୟୁବି-୪୧ ଇଂଲଣ୍ଡ ତଟ ନିକଟରେ ଜାହାଜ ଉପରକୁ ଟରପିଡୋ ମାଡ଼ କରିଥିଲା। ଆକ୍ରମଣରେ ଜାହାଜ ୩ ମିନିଟ୍ ଭିତରେ ଟେମ୍ପୋ ଆଟଲାଣ୍ଟିକ୍ ମହାସାଗରରେ ବୁଡ଼ି ଯାଇଥିଲା। ଏହି ଘଟଣାରେ ୧୧୧ କୋଷ୍ଟ ଗାର୍ଡ କର୍ମୀ, ଆମେରିକୀୟ ନୌସେନାର ୪ ଯବାନ ଓ ୧୬ ବ୍ରିଟିଶ ନାଗରିକଙ୍କ ସମେତ ମୋଟ ୧୩୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ଆମେରିକା ପାଇଁ ପ୍ରଥମ ବିଶ୍ଵଯୁଦ୍ଧର ସବୁଠାରୁ ବଡ଼ ନୌସେନା କ୍ଷତି ରୂପରେ ବିବେଚନା କରାଯାଏ।   

ବ୍ରିଟେନର ଗ୍ୟାସ୍ପେରାଡୋସ ଡାଇଭ୍‌ ଟିମ୍‌  ୨୦୨୩ରୁ ଏହି ଜାହାଜକୁ ଖୋଜୁଥିଲେ । ଅନେକ ଅଭିଯାନ ପରେ ଟିମ୍‌ ଶେଷରେ କର୍ନୱାଲ ତଟଠୁ ପ୍ରାୟ ୫୦ ମାଇଲ ଦୂର, ୩୦୦ ଫୁଟ ଗଭୀରରେ ଏହାର ଅବଶେଷ ଆବିଷ୍କାର କଲେ । ଆମେରିକୀୟ କୋଷ୍ଟ ଗାର୍ଡ ଐତିହାସିକ ରେକର୍ଡ, ଜାହାଜ ଅଂଶର ଫଟୋ ଏବଂ ଅନ୍ୟ ତଥ୍ୟ ଜରିଆରେ ଅବଶେଷକୁ ଚିହ୍ନଟ କଲା । ଆକ୍ରମଣ ପରେ ବୋଧହୁଏ କୋଇଲାର ଧୂଳି କିମ୍ବା ଜାହାଜରେ ଥିବା ଡେପ୍‌ଥ ଚାର୍ଜ ଯୋଗୁ ୨ୟ ବିସ୍ଫୋରଣ ହୋଇଥିଲା । ପରଦିନ ଏହାକୁ ଖୋଜୁଥିବା ବିମାନକୁ ଅବଶେଷର ଖଣ୍ଡ ମିଳିଥିଲା । କିନ୍ତୁ ଏବେ ଜାହାଜର ପୂରା ଢାଞ୍ଚା ମିଳିଛି । କୋଷ୍ଟ ଗାର୍ଡର କମାଣ୍ଡାଣ୍ଟ ଆଡମିରାଲ କେଭିନ ଲୁଣ୍ଡେ କହିଛନ୍ତି, ଏହି ଆବିଷ୍କାର ଦ୍ୱାରା ସହିଦଙ୍କ ବଳିଦାନ ଆହୁରି ମଜଭୁତ ହେବ । କାରଣ ସେମାନଙ୍କ ଅନ୍ତିମ ବିଶ୍ରାମ ସ୍ଥଳ ବିଷୟରେ ଜଣାପଡ଼ିଛି । କୋଷ୍ଟ ଗାର୍ଡ ଏବେ ରୋବୋଟିକ୍ସ ଓ ଅଟୋନୋମସ୍‌ ସିଷ୍ଟମ୍‌ ଜରିଆରେ ଅବଶେଷର ଗଭୀର ଅଧ୍ୟୟନ ଲାଗି ଯୋଜନା କରୁଛି। 

ଏହି ଖବରଟିକୁ ପଢନ୍ତୁ- Donald Trump : ହେଗ୍‌ସେଥ୍‌ଙ୍କୁ ଆମେରିକା ସାଂସଦଙ୍କ ପ୍ରଶ୍ନ, କହିଲେ ଟ୍ରମ୍ପଙ୍କ ମାନସିକ ସ୍ଥିତି ଠିକ୍ ଅଛି ତ ?