ନୂଆଦିଲ୍ଲୀ ୦୫/୦୭: ଜୁଲାଇ ୪ ତାରିଖ ସ୍ୱାଧୀନତାର ୨୫୦ ବର୍ଷ ପୂରଣ କରିଛି ଆମେରିକା । ଏ ଅବସରରେ ୪୦୮ କିଲୋର ଟାଇମ୍ କ୍ୟାପସୁଲ୍‌କୁ ମାଟି ତଳେ ସାଇତି ରଖାଯିବ । ଫିଲାଡେଲଫିୟାର ଇଣ୍ଡିପେଣ୍ଡେନ୍ସ ନ୍ୟାସନାଲ ହିଷ୍ଟୋରିକାଲ ପାର୍କରେ ଏହାକୁ ସମାଧି ଦିଆଯିବ ଏବଂ ୨୫୦ ବର୍ଷ ପରେ ଅର୍ଥାତ୍ ୨୨୭୬ ମସିହାରେ ଖୋଲାଯିବ । ନ୍ୟାସନାଲ ପାର୍କ ସର୍ଭିସ୍‌ର ଔପଚାରିକ ରେକର୍ଡରେ ଏ ହା ଉଲ୍ଲେଖ ହୋଇଛି, ଯାହା ଦ୍ୱାରା ୨୫୦ ବର୍ଷ ପରେ ଆଗାମୀ ପିଢ଼ି ଏହାକୁ ଖୋଜିପାରିବେ ଏବଂ ଏ ବିଷୟରେ ଜାଣିପାରିବେ ।

ଟାଇମ୍ କ୍ୟାପସୁଲ୍‌ରେ ୫୦ ରାଜ୍ୟ ଓ ସାଧାରଣ ଲୋକଙ୍କ ଦ୍ୱାରା ଚୟନ ହୋଇଥିବା ସ୍ମାରକୀ ରଖାଯାଇଛି । ତନ୍ମଧ୍ୟରେ ତିମି ହାଡ଼, ବିଶ୍ୱର ସର୍ବବୃହତ ଜିପ୍‌ସମ ମରୁଭୂମିର ବାଲି, ରାଇଟ୍ ବ୍ରଦର୍ସଙ୍କ ବିମାନ କପଡ଼ା, ଏଆଇର ଭବିଷ୍ୟବାଣୀ ଏବଂ ଅନେକ ଐତିହାସିକ ଦସ୍ତାବିଜ ସାମିଲ । ଟାଇମ୍ କ୍ୟାପସୁଲ୍ ଏକ ବନ୍ଦ ପେଟି କିମ୍ବା କଣ୍ଟେନର, ଯେଉଁଥିରେ ଏକ ଲମ୍ବା ଅବଧିର ସାମଗ୍ରୀ ସୁରକ୍ଷିତ ରଖାଯାଏ । ଏହା ଦ୍ୱାରା ଭବିଷ୍ୟତ ପିଢ଼ି ସେ ସମୟର ସମାଜ, ଟେକ୍ନୋଲୋଜି, ସଂସ୍କୃତି ଓ ଜୀବନକୁ ବୁଝିପାରିବେ ।

ଟାଇମ୍ କ୍ୟାପସୁଲ୍ ନିର୍ମାଣ ଯେତିକି ମୁସ୍କିଲ ନ ଥିଲା, ତା’ଠୁ ବଡ଼ ଆହ୍ୱାନ ଥିଲା ତାକୁ ୨୫୦ ବର୍ଷ ଯାଏ ସୁରକ୍ଷିତ ରଖିବା । ୨୫୦ ବର୍ଷ ପରେ ମଧ୍ୟ ମାଟି ତଳେ ରଖାଯାଇଥିବା ଜିନିଷ କିଭଳି ସୁରକ୍ଷିତ ମିଳିବ, ତାହା ବୈଜ୍ଞାନିକଙ୍କ ପାଇଁ ବଡ଼ ପ୍ରଶ୍ନ ଥିଲା । ସେଥିପାଇଁ ଅନେକ ବିଶେଷଜ୍ଞଙ୍କୁ ଏହି ପ୍ରୋଜେକ୍ଟରେ ସାମିଲ କରାଗଲା । ଦୀର୍ଘ ବର୍ଷର ଅଧ୍ୟୟନ ପରେ ଏଭଳି ଡିଜାଇନ୍ ପ୍ରସ୍ତୁତ କରାଗଲା, ଯାହା ପାଣି, ଉତ୍ତାପ, ଯୁଦ୍ଧ କିମ୍ବା ପାଣିପାଗର ପ୍ରଭାବରୁ କ୍ୟାପସୁଲ୍କୁ ରକ୍ଷା କରିପାରିବ ।

 

ଆହୁରି ପଢ଼ନ୍ତୁ...Nitesh Tiwari’s ‘Ramayana’ : ନିତେଶ ତିୱାରୀଙ୍କ ରାମାୟଣରେ କାଜଲଙ୍କ ଏଣ୍ଟ୍ରି, ମନ୍ଦୋଦରୀ ଭୂମିକାରେ ଆସିବେ ନଜର

ଏହି କ୍ୟାପସୁଲ୍ ସିଲିଣ୍ଡର ଆକୃତିର । ଏହାକୁ ସିଲ୍ କରିବା ପାଇଁ ସ୍ୱତନ୍ତ୍ର ଧାତୁ ଇଣ୍ଡିୟମ୍‌ର ଉପଯୋଗ ହୋଇଛି । ଏହି ନରମ ଧାତୁ ଢାଙ୍କୁଣି ବନ୍ଦ କରିବା ସମୟରେ ଛୋଟ ଛୋଟ ଛିଦ୍ରକୁ ମଧ୍ୟ ଭରିଦିଏ । ଏହା ଦ୍ୱାରା କ୍ୟାପସୁଲ୍ ଭିତରେ ଥିବା ସାମଗ୍ରୀ ଦୀର୍ଘ ସମୟ ଧରି ସୁରକ୍ଷିତ ରହିବ । କ୍ୟାପସୁଲ୍କୁ ପ୍ରାୟ ୧୦ ଫୁଟ ତଳେ ପୋତାଯିବ । ଏଠାରେ ତାପମାତ୍ରାର ପ୍ରଭାବ କମ୍ ପଡ଼େ ।