ନୂଆଦିଲ୍ଲୀ,୦୬/୦୮: ସ୍ୱରାଷ୍ଟ୍ରମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି ଅମିତ ଶାହ । ସେ ସର୍ବାଧିକ ସମୟ ସ୍ୱରାଷ୍ଟ୍ର ମନ୍ତ୍ରୀ ପଦରେ ରହିବାର ଗୌରବ ଲାଭ କରିଛନ୍ତି । ଆଜକୁ ଲଗାତାର ୨୨୫୮ ଦିନ ଏହି ପଦବୀରେ ସେ ଅଛନ୍ତି ।
ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ୨୦୧୯ ମେ ୩୦ରେ ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ସ୍ୱରାଷ୍ଟ୍ରମନ୍ତ୍ରୀ ଭାବେ ସେ ୨୦୨୪ ଜୁନ ୯ରେ ପ୍ରଥମ ପାଳି ଶେଷ କରିଥିଲେ । ୨୦୨୪ ଜୁନ ୧୦ରୁ ପୁଣି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳି ଥିଲେ। ସେବେଠାରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବ୍ୟତୀତ ଶାହ ମଧ୍ୟ ଦେଶର ପ୍ରଥମ ସମବାୟ ମନ୍ତ୍ରୀ ହୋଇଛନ୍ତି । ଏହା ପୂର୍ବରୁ ଶାହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଗୁଜରାଟର ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ।
ସବୁଠାରୁ ବଡ଼କଥା ହେଉଛି ଶାହ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଭାବେ ସର୍ବାଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ଦେଶର ପ୍ରଥମ ବ୍ୟକ୍ତି ହୋଇଛନ୍ତି । ୨୦୧୯ ଅଗଷ୍ଟ ଆଜିର ଦିନରେ ସଂସଦରେ ସେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଘୋଷଣା କରିଥିଲେ । ଏହା ଫଳରେ ଜମ୍ମୁ-କାଶ୍ମୀରକୁ ମିଳିଥିବା ବିଶେଷ ରାଜ୍ୟ ମାନ୍ୟତାର ଅନ୍ତ ଘଟିଥିଲା । ସ୍ୱରାଷ୍ଟ୍ର ମନ୍ତ୍ରୀ ପଦରେ ରହି ଶାହ ବିଜେପିର ବର୍ଷୀୟାନ ନେତା ଲାଲକୃଷ୍ଣ ଆଡଭାନୀଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ଆଡଭାନୀ ୧୯୯୮ ମାର୍ଚ୍ଚ ୧୯ରୁ ୨୦୦୪ ମେ ୨୨ ପର୍ଯ୍ୟନ୍ତ ଅର୍ଥାତ ମୋଟ ୨୨୫୬ ଦିନ ଧରି ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ରହିଥିଲେ । ଆଡଭାନୀଙ୍କ ପରେ କଂଗ୍ରେସ ନେତା ଗୋବିନ୍ଦ ବଲ୍ଲଭ ପନ୍ତ ସର୍ବାଧିକ ସମୟ ପର୍ଯ୍ୟନ୍ତ ସ୍ୱରାଷ୍ଟ୍ରମନ୍ତ୍ରୀ ରହିବାରେ ତୃତୀୟ ବ୍ୟକ୍ତି ଥିଲେ ।