ନୂଆଦିଲ୍ଲୀ: ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୋଟ ଚୋରି ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ ଭୋଟର ଅଧିକାର ଯାତ୍ରାକୁ "ଅନୁପ୍ରବେଶକାରୀଙ୍କୁ ବଞ୍ଚାଅ ଯାତ୍ରା" ବୋଲି ଅଭିହିତ କରିଛନ୍ତି। ବିହାରର ରୋହତାସରେ ଦଳୀୟ କର୍ମୀ ମାନଙ୍କୁ ସମ୍ବୋଧିତ କରି ସେ କଂଗ୍ରେସ ଦଳ ଉପରେ ବିକାଶ ପ୍ରସଙ୍ଗକୁ ଅଣଦେଖା କରିବା ଏବଂ ବାଂଲାଦେଶରୁ ଅବୈଧ ପ୍ରବାସୀଙ୍କୁ ସୁରକ୍ଷା ଦେବାର ଅଭିଯୋଗ ଆଣିଛନ୍ତି।
ଗୃହମନ୍ତ୍ରୀ ଶାହ କହିଛନ୍ତି ଯେ,"କଂଗ୍ରେସ ପ୍ରତ୍ୟେକ ଥର ମିଥ୍ୟା କାହାଣୀ ପ୍ରସାର କରେ। ରାହୁଲ ଗାନ୍ଧୀ ଏକ ଯାତ୍ରା କରିଥିଲେ... ତାଙ୍କ ଯାତ୍ରାର ବିଷୟବସ୍ତୁ ଭୋଟ ଚୋରି ନଥିଲା। ତାଙ୍କର ଧ୍ୟାନ ଭଲ ଶିକ୍ଷା, ନିଯୁକ୍ତି, ବିଦ୍ୟୁତ୍ କିମ୍ବା ରାସ୍ତା ଉପରେ ନଥିଲା, ବରଂ ବାଂଲାଦେଶରୁ ଅବୈଧ ପ୍ରବାସୀଙ୍କୁ ସୁରକ୍ଷା ଦେବା ଉପରେ ଥିଲା। ଏହା ଥିଲା ରାହୁଲ ଗାନ୍ଧୀଙ୍କ "ଅନୁପ୍ରବେଶକାରୀ ବଞ୍ଚାଅ ଯାତ୍ରା"।
କଂଗ୍ରେସ ଦଳର ଯାତ୍ରା ଉପରେ ପ୍ରଶ୍ନ ଉଠାଇ ଗୃହମନ୍ତ୍ରୀ ପଚାରିଥିଲେ ଯେ, "ଅନୁପ୍ରବେଶକାରୀଙ୍କୁ ଭୋଟ ଦେବାର ଅଧିକାର ମିଳିବା ଉଚିତ କି ମାଗଣା ରାସନ ମିଳିବା ଉଚିତ? ଅନୁପ୍ରବେଶକାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାକିରି, ବାସଗୃହ ଏବଂ ଚିକିତ୍ସା ମିଳିବା ଉଚିତ କି ?" ଆମ ଯୁବକ ମାନଙ୍କ ବଦଳରେ, ରାହୁଲ ଗାନ୍ଧୀଙ୍କ ଭୋଟ ବ୍ୟାଙ୍କ ଅନୁପ୍ରବେଶକାରୀଙ୍କୁ ଚାକିରି ଦେଉଛି।"
ଶାହ କହିଛନ୍ତି, "ଆପଣ ମାନେ (ବିଜେପି କର୍ମୀମାନେ) ଜାଣନ୍ତି ଏହାର ଉଦ୍ଦେଶ୍ୟ କ'ଣ ଥିଲା? ଏହାର ଉଦ୍ଦେଶ୍ୟ ଥିଲା ବାଂଲାଦେଶରୁ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା।" ଆପଣ ରାଜ୍ୟ ସାରା ଯିବା ଉଚିତ, ପ୍ରତ୍ୟେକ ଘରକୁ ଯିବା ଉଚିତ ଏବଂ ଲୋକଙ୍କୁ କହିବା ଉଚିତ ଯେ ଯଦି ସେମାନେ (ବିରୋଧୀ ମେଣ୍ଟ) କ୍ଷମତାକୁ ଆସେ,ତେବେ ବିହାରର ପ୍ରତ୍ୟେକ ଜିଲ୍ଲା ଅନୁପ୍ରବେଶକାରୀଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଯିବ।"