ବେଙ୍ଗାଲୁରୁ: ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ଏବଂ ଆମିର ଖାନଙ୍କୁ ନେଇ ଏକ ଅଜବ ଖବର ସାମ୍ନାକୁ ଆସିଛି । ସେମାନେ ପୂର୍ବରୁ ବ୍ୟବହାର କରୁଥିବା କାରରେ କଟିଛି ଚାଲାଣ । ହଜାରେ କି ଦୁଇ ହାଜର ନୁହେଁ ବରଂ ଦୁଇ କାର ପାଇଁ ମୋଟ ୩୮ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ପ୍ରକୃତରେ ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନ ଏବଂ ଆମିର ଖାନଙ୍କ ନାମରେ ପଞ୍ଜିକୃତ ଦୁଇଟି ରୋଲ୍ସ ରୟସ୍ କାରକୁ ରୋଡ୍ ଟ୍ୟାକ୍ସ ନଦେବା ପାଇଁ ୧୮ ଲକ୍ଷ ଏବଂ ୧୯ ଲକ୍ଷ ଟଙ୍କାରୁ ଅଧିକ ଜରିମାନା କରାଯାଇଛି ।
ଏବେ ଏହି କାର ଅମିତାଭ କିମ୍ବା ଆମିରଙ୍କ ପାଖରେ ନାହିଁ । ଏହି ଦୁଇଟି କାର ଜଣେ ସ୍ଥାନୀୟ ବ୍ୟବସାୟୀ ୟୁସୁଫ ସରିଫଙ୍କ ମାଲିକାନାରେ ରହିଛି । ସ୍ଥାନୀୟ ଲୋକମାନେ ତାଙ୍କୁ କେଜିଏଫ୍ ବୋଲି କୁହନ୍ତି । ସେ ଏହି ଅତ୍ୟଧିକ ବିଳାସପୂର୍ଣ୍ଣ ଯାନ ବ୍ୟବହାର କରନ୍ତି। ସେ କିଛି ବର୍ଷ ପୂର୍ବରୁ ଅମିତାଭ ବଚ୍ଚନ ଏବଂ ଆମିର ଖାନଙ୍କଠାରୁ ଏହି କାରଗୁଡ଼ିକ କିଣିଥିଲେ କିନ୍ତୁ ସେଗୁଡ଼ିକୁ ନିଜ ନାଁରେ ପଞ୍ଜିକୃତ କରିନଥିଲେ । ସେ ଅମିତାଭ ବଚ୍ଚନଙ୍କଠାରୁ ରୋଲ୍ସ ରଏସ୍ ଫ୍ୟାଣ୍ଟମ୍ ଏବଂ ଆମିର ଖାନଙ୍କଠାରୁ ରୋଲ୍ସ ରଏସ୍ ଘୋଷ୍ଟ କିଣିଥିଲେ ଏବଂ ଉଭୟ କାର ମହାରାଷ୍ଟ୍ରରେ ପଞ୍ଜିକୃତ ।
କେଜିଏଫ ଏହି କାରଗୁଡ଼ିକୁ କେବେ କିଣିଥିଲେ ତାହାର ସଠିକ୍ ସୂଚନା ନାହିଁ । ତଥାପି ରୋଲ୍ସ ରଏସ୍ ଫ୍ୟାଣ୍ଟମ୍ ୨୦୨୧ରୁ ଏବଂ ଘୋଷ୍ଟ ୨୦୨୩ ରୁ ବେଙ୍ଗାଲୁରୁରେ ରହିଛି ବୋଲି ଆରଟିଓ ତଥ୍ୟରୁ ଜଣାପଡ଼ୁଛି । ଅମିତାଭ ବଚ୍ଚନଙ୍କ ଫ୍ୟାଣ୍ଟମ୍ ଉପରେ ୧୮.୫୩ ଲକ୍ଷ ଟଙ୍କା ଏବଂ ଆମିର ଖାନଙ୍କ ଘୋଷ୍ଟ ଉପରେ ୧୯.୭୩ ଲକ୍ଷ ଟଙ୍କା ଜରିମାନା ଲାଗିଛି । ରୋଡ୍ ଟ୍ୟାକ୍ସ ନଦେଇ କର୍ଣ୍ଣାଟକରେ ଦୀର୍ଘ ସମୟ ଧରି କାର ଦୁଇଟି ଚାଲୁଥିଲା । ଏଥିପାଇଁ ଏହି ଜରିମାନା ଲାଗୁ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ରୋଲ୍ସ ରଏସ୍ ଫ୍ୟାଣ୍ଟମକୁ ପ୍ରଥମେ ୨୦୨୧ରେ ଧରିଥିଲା ଆରଟିଓ । ହେଲେ ବେଙ୍ଗାଲୁରୁରେ ଫ୍ୟାଣ୍ଟମକୁ ବର୍ଷେ ପୂରଣ ହୋଇନଥିବାରୁ ଜରିମାନା ଆଦୟ ହୋଇନଥିଲା । କିନ୍ତୁ ଏବେ ଉଭୟ କାର ବେଙ୍ଗାଲୁରୁ ରାସ୍ତାରେ ଏକାଧିକ ବର୍ଷ ଧରି ଦୌଡ଼ୁଛି କିନ୍ତୁ ମାଲିକ ଏଥିପାଇଁ ରୋଡ୍ ଟ୍ୟାକ୍ସ ଦେଇନାହାନ୍ତି । ଏବେ ଏହି ଦୁଇଟି ଗାଡ଼ି ଉପରେ ଲାଗିଛି ୩୮ ଲକ୍ଷ ଟଙ୍କାର ଜରିମାନା । ଯଦିଓ ଏହି କାର ଏବେ ଅମିତାଭ ଏବଂ ଆମିରଙ୍କ ମାଲିକାନାରେ ନାହିଁ, କିନ୍ତୁ ବଳିଉଡ୍ ସୁପରଷ୍ଟାର ହୋଇଥିବାରୁ ସେମାନଙ୍କ ନାଁ ଚର୍ଚ୍ଚାକୁ ଆସିବା ସ୍ବାଭାବିକ ।