ଭୁବନେଶ୍ୱର, ୨୧l୫(ବ୍ୟୁରୋ): ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚରାଲ ହେରିଟେଜ (ଇଣ୍ଟାକ) ରାଜ୍ୟ ଶାଖାର ଆବାହକ ପଦବୀରୁ ଗତ ୨୦ ତାରିଖରେ ଅବ୍ୟାହତି ନେଇଛନ୍ତି ଅବସରପ୍ରାପ୍ତ ବରିଷ୍ଠ ଆଇପି.ଏସ ଅଫିସର ତଥା ପୂର୍ବତନ ଓଡିଶା ପୋଲିସ ମୁଖ୍ୟ ଅମିୟ ଭୂଷଣ ତ୍ରିପାଠୀ। ମଙ୍ଗଳବାର ଭୁବନେଶ୍ୱର ହୋଟେଲ ନିଉ ମାରିୟନ ଠାରେ ଅନୁଷ୍ଠିତ ହୋଇଯାଇଥିବା ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ତ୍ରିପାଠୀଙ୍କୁ ଇଣ୍ଟାକ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। 

ଦୀର୍ଘ ୧୮ ବର୍ଷ କାଳ ଇଣ୍ଟାକ ସହ ଜଡିତ ଶ୍ରୀ ତ୍ରିପାଠୀଙ୍କ କାର୍ଯ୍ୟକାଳ ସମୟରେ ଏହି ଅନୁଷ୍ଠାନ କଳା, ଐତିହ୍ୟ ଓ ସଂସ୍କୃତିର ସରଂକ୍ଷଣ ତଥା ପ୍ରଚାର ପ୍ରସାର କ୍ଷେତ୍ରରେ ଅନେକ ସଫଳତା ଲାଭ କରିଥିଲା। ପ୍ରଥମେ ଏକମାତ୍ର ଭୁବନେଶ୍ୱର ଶାଖା ରୂପରେ ଆରମ୍ଭ ହୋଇଥିବା ଏହି ସଂସ୍ଥାର ଅଧୁନା ରାଜ୍ୟବ୍ୟାପୀ ୧୩ଟି ଜିଲ୍ଲାରେ ଶାଖାମାନ ରହିଛି। ଇଣ୍ଟାକ ଦ୍ୱାରା ସମଗ୍ର ଓଡିଶାରେ ୫୦୦୦ରୁ ଉର୍ଦ୍ଧ୍ଵ ଅବହେଳିତ ଐତିହ୍ୟସ୍ଥଳୀ ଚିନ୍ହଟ କରି ସେଗୁଡିକର ବିଷଦ ଦସ୍ତାବେଜିକରଣ କରାଯାଇଛି। ଏହି କ୍ରମରେ କଲିକତାରୁ ପୁରୀ ପୁରାତନ ଜଗନ୍ନାଥ ସଡକ, ମହାନଦୀ ଓ ପ୍ରାଚୀ ନଦୀ ଉପତ୍ୟକା, କୋରାପୁଟର ଆଦିବାସୀ ଐତିହ୍ୟ, କୋରାପୁଟ କେରାଙ୍ଗ ଶାଢ଼ୀ, ଭୁବନେଶ୍ୱରର ପୁରାତନ ମନ୍ଦିର ପୁଷ୍କରିଣୀ ଏବଂ ପରିଶେଷରେ ଦକ୍ଷିଣ ଭାରତରେ କଳିଙ୍ଗ ଐତିହ୍ୟ ପରି ଅନେକ ବୃହତ୍ତର ପ୍ରକଳ୍ପ ସବୁର କାର୍ଯ୍ୟ ସମ୍ପନ୍ନ ହୋଇଛି। 

ଇଣ୍ଟାକ କଞ୍ଜରଭେସନ ସେଣ୍ଟର ଦ୍ୱାରା ଅନେକ ପୁରାତନ ତାଳପତ୍ର ପୋଥି ସବୁର ପୁନଃରୁଦ୍ଧାର ହୋଇଛି। କଟକ ଯୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟ, ପୁରୀସ୍ଥିତ ଜାନକୀନାଥ ବୋଷଙ୍କ ବାସଗୃହ, ସମ୍ବଲପୁର ଟାଉନ ହଲ, ବଲାଙ୍ଗୀର ଜର୍ଜ ଲାଇବ୍ରେରୀ, କଟକର ମ୍ୟୁଜିୟମ ଜଷ୍ଟିସ, ହାଇକୋର୍ଟ ଆର୍କାଇଭ ମ୍ୟୁଜିୟମ ଭଳି ଅନେକ ଐତିହ୍ୟ ସ୍ଥାନର ପୁନଃରୁଦ୍ଧାର ଓ ସରଂକ୍ଷଣ ଇଣ୍ଟାକ ଦ୍ୱାରା କରାଯାଇଛି। ଇଣ୍ଟାକ ରାଜ୍ୟ ଆବାହକ ଭାବରେ ଶ୍ରୀଯୁକ୍ତ ତ୍ରିପାଠୀ ଐତିହାସିକସ୍ଥଳୀ ଗୁଡିକର ପୁନଃରୁଦ୍ଧାର ନିମନ୍ତେ ସର୍ବଦା ସ୍ୱର ଉତ୍ତୋଳନ କରି ଆସିଛନ୍ତି, ତାଙ୍କ ଦ୍ୱାରା କୋଣାର୍କ ଓ ଶିଶୁପାଳଗଡ଼ ସମ୍ବନ୍ଧୀୟ ସମସ୍ୟା ସମ୍ପର୍କିତ ଗବେଷଣାତ୍ମକ ପ୍ରବନ୍ଧ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଛି। ଖୁବ ଶୀଘ୍ର ଇଣ୍ଟାକ ରାଜ୍ୟ ଶାଖାର ଆଗାମୀ ଆବାହକଙ୍କ ନାମ ପ୍ରକାଶ କରାଯିବ ବୋଲି ଇଣ୍ଟାକ ସୂତ୍ରରୁ ଜଣାପଡିଛି।