ଭୁବନେଶ୍ୱର : ରେଳ ଭିତ୍ତିଭୂମିର ରୂପାନ୍ତର ଏବଂ ଯାତ୍ରୀମାନଙ୍କ ସୁବିଧା ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଦେଶବ୍ୟାପୀ ୭୫ଟି ପୁନନିର୍ମିତ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି। ଏହି କ୍ରମରେ, ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଲଗଡ଼କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି।
ପ୍ରାୟ ୧୦୯ କୋଟି ଟଙ୍କା ବ୍ୟୟରେ ପୁନନିର୍ମିତ ଏହି ଷ୍ଟେସନଗୁଡ଼ିକ, ସେମାନଙ୍କର ସମ୍ପୃକ୍ତ ଅଞ୍ଚଳର ସାଂସ୍କୃତିକ ପରିଚୟ , ସ୍ଥାପତ୍ୟ କଳା ଓ ଐତିହ୍ୟକୁ ସଂରକ୍ଷଣ କରିବା ସହିତ ଆଧୁନିକ, ଯାତ୍ରୀ କେନ୍ଦ୍ରିକ ରେଳ ଷ୍ଟେସନ ବିକଶିତ କରିବା ପାଇଁ ଭାରତ ସରକାରଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି।
ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ରେଳ ଷ୍ଟେସନଗୁଡ଼ିକର ସାମଗ୍ରିକ ବିକାଶ କରାଯାଇଛି। ଏଥିରେ ଆଧୁନିକ ଷ୍ଟେସନ ଭବନ, ଉନ୍ନତ ଚଳାଚଳ ପରିସର , ଅତ୍ୟାଧୁନିକ ପ୍ରତୀକ୍ଷାଳୟ, ଆଧୁନିକ ଶୌଚାଳୟ, ଉନ୍ନତ ପ୍ଲାଟଫର୍ମ ଛାଉଣି , ଡିଜିଟାଲ ଯାତ୍ରୀ ସୂଚନା ପ୍ରଣାଳୀ, ଉନ୍ନତ ଆଲୋକୀକରଣ, ମାନକ ସୂଚନାଫଳକ ଏବଂ ବହୁମାଧ୍ୟମ ପରିବହନ ସଂଯୋଗୀକରଣ ଭଳି ଯାତ୍ରୀ ସୁବିଧା ଅନ୍ତର୍ଭୁକ୍ତ।
I extend my heartfelt gratitude to Hon'ble Prime Minister Shri @narendramodi Ji and Hon'ble Union Minister for Railways Shri @AshwiniVaishnaw Ji for their visionary leadership and steadfast commitment to modernising Odisha's railway infrastructure. Such landmark investments are… pic.twitter.com/CgXEZB6MTx
— Mohan Charan Majhi (@MohanMOdisha) July 17, 2026
ପରିଚାଳନାଗତ ଆବଶ୍ୟକତା ଓ ପ୍ରତ୍ୟେକ ଷ୍ଟେସନର ବିଶେଷ ଚାହିଦାକୁ ଦୃଷ୍ଟିରେ ରଖି, ଉପଯୁକ୍ତ ଷ୍ଟେସନଗୁଡ଼ିକରେ ଲିଫ୍ଟ ସୁବିଧା ସହିତ ୧୨ ମିଟର ଚଉଡ଼ା ପାଦଚଲା ଓଭରବ୍ରିଜ୍ (ଏଫ୍ଓବି) ନିର୍ମାଣ କରାଯାଇଛି, ଯାହା ଦିବ୍ୟାଙ୍ଗ ଓ ବୃଦ୍ଧ ଯାତ୍ରୀଙ୍କ ସମେତ ସମସ୍ତଙ୍କ ପାଇଁ ବାଧାମୁକ୍ତ ଯାତାୟାତ ସୁନିଶ୍ଚିତ କରିବ। ଏହା ସହ ଷ୍ଟେସନ ଭବନ ଗୁଡ଼ିକରେ ସ୍ଥାନୀୟ କଳା, ସଂସ୍କୃତି ଓ ସ୍ଥାପତ୍ୟର ଉପାଦାନ ସ୍ଥାନ ପାଇଛି, ଯାହା ସମ୍ପୃକ୍ତ ଅଞ୍ଚଳର ସ୍ୱତନ୍ତ୍ର ଐତିହ୍ୟକୁ ପ୍ରତିଫଳିତ କରୁଛି।
ଏହି ରୂପାନ୍ତରିତ ଷ୍ଟେସନଗୁଡ଼ିକ ଯାତ୍ରୀଙ୍କ ସୁବିଧାକୁ ଯଥେଷ୍ଟ ବୃଦ୍ଧି କରିବ, ଆଞ୍ଚଳିକ ସଂଯୋଗକୁ ସୁଦୃଢ଼ କରିବ ଏବଂ ପର୍ଯ୍ୟଟନ, ବାଣିଜ୍ୟ ତଥା ସ୍ଥାନୀୟ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ଏହା 'ବିକଶିତ ଭାରତ'ର ଦୃଷ୍ଟିକୋଣ ଅନୁଯାୟୀ ବିଶ୍ୱସ୍ତରୀୟ ରେଳ ଭିତ୍ତିଭୂମି ଗଢ଼ି ତୋଳିବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ପୁନର୍ବାର ସୁନିଶ୍ଚିତ କରୁଛି।
ଓଡ଼ିଶାରେ ରେଳ ଭିତ୍ତିଭୂମିର ଆଧୁନିକୀକରଣ ଏବଂ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ 'ଏକ୍ସ'ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ଦୃଢ଼ ପ୍ରତିବଦ୍ଧତା ଯୋଗୁଁ ଆଜି ଓଡ଼ିଶାର ରେଳ ଭିତ୍ତିଭୂମିର କାୟାକଳ୍ପ ବଦଳିବାରେ ଲାଗିଛି। ଓଡ଼ିଶାରେ ଏଭଳି ଐତିହାସିକ ନିବେଶ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଆହୁରି ମଜବୁତ ଓ ଭବିଷ୍ୟତ-ଉପଯୋଗୀ କରି ଗଢ଼ି ତୋଳୁଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହି ଅଦ୍ଭୁତପୂର୍ବ ସହଯୋଗ ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବାରେ ସହାୟକ ହେବ। ଏହାସହ "ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା ୨୦୩୬" ଏବଂ "ବିକଶିତ ଭାରତ ୨୦୪୭"ର ସଂକଳ୍ପ ପୂରଣ ଦିଗରେ ଓଡ଼ିଶାର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ।
କେନ୍ଦ୍ର ସରକାରଙ୍କ 'ଅମୃତ ଭାରତ ଷ୍ଟେସନ ଯୋଜନା' ଅଧୀନରେ ଓଡ଼ିଶାରେ ପୁନର୍ବିକଶିତ ହୋଇଥିବା ୭ଟି ରେଳ ଷ୍ଟେସନକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 'ଏକ୍ସ'ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ନୂତନ ଷ୍ଟେସନଗୁଡ଼ିକ କେବଳ ଯାତ୍ରୀମାନଙ୍କୁ ଆଧୁନିକ ସୁବିଧା ଯୋଗାଇବ ନାହିଁ, ବରଂ ଓଡ଼ିଶାର ବିବିଧ ଆଞ୍ଚଳିକ ପରିଚୟକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବ ବୋଲି ସେ କହିଛନ୍ତି। ରେଳମନ୍ତ୍ରୀ ନିଜ ଟ୍ୱିଟରେ ରାଜ୍ୟର ସାତଟି ପୁନର୍ବିକଶିତ ଷ୍ଟେସନ - ତାଳଚେର, ବଲାଙ୍ଗୀର, ପାରଳାଖେମୁଣ୍ଡି, କେସିଙ୍ଗା, ବରପାଲି, ବିମଳଗଡ଼ ଜଂକ୍ସନ ଏବଂ ବାରିପଦାର ନାମ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ସମ୍ବଲପୁରୀ ହସ୍ତତନ୍ତ ଓ ସ୍ଥାନୀୟ ରାଜକୀୟ ଐତିହ୍ୟଠାରୁ ଆରମ୍ଭ କରି ପ୍ରସିଦ୍ଧ ଖଣି ଅଞ୍ଚଳ ଏବଂ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ପର୍ଯ୍ୟନ୍ତ, ସବୁ କିଛି ଏହି ଷ୍ଟେସନ ଗୁଡ଼ିକର କୋଠା ଓ ସ୍ଥାପତ୍ୟ କଳାରେ ସ୍ଥାନ ଦିଆଯାଇଛି।ଏହି ପୁନର୍ବିକାଶ କାର୍ଯ୍ୟ ମାଧ୍ୟମରେ ଓଡ଼ିଶାର ପ୍ରତିଟି ଅଞ୍ଚଳର ଅନନ୍ୟ ସଂସ୍କୃତି ଓ ଗୌରବକୁ ସମ୍ମାନ ଜଣାଯାଇଥିବା ନେଇ ରେଳମନ୍ତ୍ରୀ ପ୍ରକାଶ କରିଛନ୍ତି।
ଆହୁରି ମଧ୍ୟ ପଢନ୍ତୁ - ଓଡ଼ିଶାର ରେଳ ଭିତ୍ତିଭୂମିର ଆଧୁନିକୀକରଣ, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ