ନୂଆଦିଲ୍ଲୀ, ୧୭।୭: ଜାତୀୟ ସଙ୍ଗୀତ 'ବନ୍ଦେ ମାତରମ୍'ର ଅପମାନ କରୁଥିବା କିମ୍ବା ଏହାର ଗାନରେ ବାଧା ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ ଏବେ ହେବ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ । କେନ୍ଦ୍ର ସରକାର ଆସନ୍ତା ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଥିବା ସଂସଦର ମାନସୁନ୍ ଅଧିବେଶନରେ ‘ଜାତୀୟ ସମ୍ମାନର ଅପମାନ ପ୍ରତିରୋଧ (ସଂଶୋଧନ) ବିଲ୍’ ଲୋକସଭାରେ ଆଗତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି । ଏହା ସହିତ, ଏହି ଅଧିବେଶନରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମକୁ ଅଧିକ କଡ଼ାକଡ଼ି କରିବା ସହ ସୁପ୍ରିମକୋର୍ଟ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ଆଗତ କରାଯିବ । ଆସନ୍ତୁ ଜାଣିବା ଏହି ଆସନ୍ତା ସଂସଦ ଅଧିବେଶନରେ ସରକାର କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିବାକୁ ଯାଉଛନ୍ତି:

୧. ‘ବନ୍ଦେ ମାତରମ୍’ର ଅପମାନ କଲେ ମିଳିବ ଦଣ୍ଡ

ସୂଚନା ଅନୁଯାୟୀ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପରେ ଏହି ନୂଆ ବିଲ୍ ଅଣାଯାଉଛି । ଏଣିକି ଯେଉଁ ସରକାରୀ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ବଜାଯିବ, ସେଠାରେ ‘ବନ୍ଦେ ମାତରମ୍’ ଗାନ କରିବା କିମ୍ବା ବଜାଇବା ମଧ୍ୟ ଅନିବାର୍ଯ୍ୟ କରାଯାଇଛି । କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଏହି ବିଲ୍କୁ ପୂର୍ବରୁ ହିଁ ମଞ୍ଜୁରୀ ମିଳିସାରିଛି । ଏହି ବିଲ୍ ସଂସଦର ଉଭୟ ଗୃହରେ ପାରିତ ହେବା ପରେ, ‘ବନ୍ଦେ ମାତରମ୍’ ର ଅପମାନକୁ ଏକ ଦଣ୍ଡନୀୟ ଅପରାଧ ଭାବେ ଗଣ୍ୟ କରାଯିବ । ଏହାଦ୍ୱାରା ବନ୍ଦେ ମାତରମ୍ ମଧ୍ୟ ଜାତୀୟ ପତାକା, ସମ୍ବିଧାନ ଏବଂ ଜନ ଗଣ ମନ ଭଳି ସମ୍ମାନଜନକ ଶ୍ରେଣୀରେ ସାମିଲ ହେବ, ଯାହାର ଅପମାନ କଲେ କଠୋର ଆଇନଗତ ଦଣ୍ଡ ମିଳିବ ।

ଏହା ବି ପଢ଼ନ୍ତୁ... Re-NEET UG result 2026 : ପ୍ରକାଶ ପାଇଲା NEET-UG ୨୦୨୬ ରେଜଲ୍ଟ , ୧୧ ଲକ୍ଷ ୨୧ ହଜାର ପରୀକ୍ଷାର୍ଥୀ କୃତକାର୍ଯ୍ୟ

୨. ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ହେବ ଅଧିକ କଡ଼ାକଡ଼ି

ଆସନ୍ତା ଅଧିବେଶନରେ ସରକାର ‘ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍’ ଆଣିବାକୁ ଯାଉଛନ୍ତି । ଗତ ମଙ୍ଗଳବାର କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ନୂତନ ପ୍ରସ୍ତାବ ଅନୁଯାୟୀ, ଜନ୍ମ କିମ୍ବା ମୃତ୍ୟୁର ୨ ବର୍ଷ ପରେ ଯଦି କେହି ଏହାର ପଞ୍ଜୀକରଣ କରନ୍ତି, ତେବେ ତାହା କେବଳ ‘ଫାଷ୍ଟ କ୍ଲାସ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍’ ଙ୍କ ନିର୍ଦ୍ଦେଶକ୍ରମେ ହିଁ କରାଯାଇପାରିବ ।

୩. ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ବିଲ୍

ସରକାର ସୁପ୍ରିମକୋର୍ଟ ସମ୍ବନ୍ଧୀୟ ଏକ ସଂଶୋଧନ ବିଲ୍ ମଧ୍ୟ ଆଣିବେ । ଏହାଦ୍ୱାରା ପୂର୍ବରୁ ଜାରି ହୋଇଥିବା ଅଧ୍ୟାଦେଶକୁ ସଂସଦୀୟ ସ୍ୱୀକୃତି ମିଳିବ । ଏହି ସଂଶୋଧନ ଜରିଆରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩ ରୁ ବୃଦ୍ଧି କରାଯାଇ ୩୭ କରାଯିବ । ଆସନ୍ତା ସଂସଦ ଅଧିବେଶନ ବେଶ୍ ସରଗରମ ରହିବା ନେଇ ଆଶା କରାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ଗୁଡ଼ିକ ଉପରେ ବିରୋଧୀଙ୍କ ଆଭିମୁଖ୍ୟ କଣ ରହୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ ।