ନୂଆଦିଲ୍ଲୀ, ୧୭/୦୭ : ବେଲୁଚିସ୍ତାନରେ BLAର ବଡ଼ ଧରଣର ଆକ୍ରମଣ। ମସ୍ତୁଙ୍ଗ ଜିଲ୍ଲାର ଖଡକୋଚା ଅଞ୍ଚଳରେ ପାକିସ୍ତାନୀ ସୁରକ୍ଷା ବାହିନୀର କାରକେଡ୍ କୁ ଟାର୍ଗେଟ୍ କରି ବେଲୁଚ ଲିବରେସନ ଆର୍ମି ଆଟାକ୍ କରିଛି। ଏଥିରେ ୪୫ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ଦାବି କରାଯାଇଛି। ଆହୁରି ଅନେକ ଆହତ ହୋଇଥିବା ସୂଚନା ମିଳିଛି। BLAର ପ୍ରବକ୍ତା ଜୀୟନ୍ତ ବଲୋଚ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସଙ୍ଗଠନର ଫତହ ସ୍କ୍ଵାଡ୍ ଏହି ଆକ୍ରମଣ କରିଛି। ପାକିସ୍ତାନୀ ଯବାନ ଯାଉଥିବା ବସ୍, ଏସକର୍ଟ ଏବଂ ପରେ ଘଟଣାସ୍ଥଳରେ ପହଞ୍ଚିଥିବା ଅତିରିକ୍ତ ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରାଯାଇଥିଲା।

ସଙ୍ଗଠନର କହିବା ଅନୁଯାୟୀ, ଏହି ଆକ୍ରମଣ ପରେ ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଯାଏଁ ଏନକାଉଣ୍ଟର ଚାଲିଥିଲା। ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୪୫ ଜଣ ପାକ୍ ସୈନିକ ନିହତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି। ଆଗକୁ ଏନେଇ ବିସ୍ତୃତ ସୂଚନା ଦେବ ବୋଲି ବିଏଲଏ କହିଛି। ଆକ୍ରମଣର ପୂରା ରଣନୀତି, ପାକ୍ ସେନାର କ୍ଷତି ଏବଂ ସୈନ୍ୟ ଉପକରଣ କ୍ଷତି ନେଇ ବିସ୍ତୃତ ବିବରଣୀ ଦିଆଯିବ ବୋଲି କୁହାଯାଇଛି। ତେବେ ପାକ୍ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଔପଚାରିକ ସୂଚନା ଦିଆଯାଇ ନାହିଁ।

ବେଲୁଚିସ୍ତାନର ମସ୍ତୁଙ୍ଗ ବିଦ୍ରୋହୀଙ୍କ ଗଡ଼ ପାଲଟିଛି। ଗତ କିଛି ବର୍ଷ ମଧ୍ୟରେ ଏହି ଜିଲ୍ଲାରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଅନେକ ବଡ଼ ଆକ୍ରମଣ ହୋଇଛି। ବେଲୁଚିସ୍ତାନର ଦୁର୍ଗମ ଅଞ୍ଚଳକୁ ସୈନ୍ୟ ପରିବହନ କରିବାରେ ପାକିସ୍ତାନୀ ସେନା ଲଗାତର ଅସୁବିଧାର ସମ୍ମୁଖୀନ ହେଉଛି।

ଆହୁରି ପଢନ୍ତୁ- ଟ୍ରମ୍ପଙ୍କୁ ହତ୍ୟା ପାଇଁ ଇରାନର ବିଭିନ୍ନ ଛକରେ ବଡ ବଡ ହୋର୍ଡିଂ, ଇଂରାଜୀ ଓ ପାର୍ସୀ ଭାଷାରେ ଧମକପୂର୍ଣ୍ମ ଚେତାବନୀ...

କାହିଁକି ନୀଳମାଧବ ରୂପେ ପୂଜା ପାଉଥିଲେ ଜଗନ୍ନାଥ?