ନୂଆଦିଲ୍ଲୀ, ୧୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦେଶବାସୀଙ୍କୁ ସମ୍ବୋଧିତ କରି ଚୀନ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ଚୀନ ପ୍ରାୟ ୨୨ କୋଟି ଆମେରିକୀୟ ଭୋଟରଙ୍କ ଗୁପ୍ତ ତଥ୍ୟ ଚୋରି କରିଛି ବୋଲି ସେ ଦାବି କରିଛନ୍ତି । ଏହି ସମ୍ବୋଧନ ସମୟରେ ଟ୍ରମ୍ପ ଦେଶର ଅର୍ଥବ୍ୟବସ୍ଥା, ଜାତୀୟ ସୁରକ୍ଷା ଏବଂ ନିର୍ବାଚନ ବ୍ୟବସ୍ଥା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, କିଛି ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀ ଏବଂ 'ଡିପ୍ ଷ୍ଟେଟ୍' ଚୀନ ସହ ଜଡ଼ିତ ଏହି ସମ୍ବେଦନଶୀଳ ମାମଲାକୁ ଲୁଚାଇବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ଏଭଳି ଡାଟା ଚୋରି ଆମେରିକାର ନିର୍ବାଚନ ସୁରକ୍ଷା ପ୍ରତି ଏକ ବଡ଼ ବିପଦ । ବର୍ତ୍ତମାନ ଯେଉଁ ନିର୍ବାଚନ ପ୍ରକ୍ରିୟା ଚାଲିଛି, ତାହା ସମ୍ପୂର୍ଣ୍ଣ ନିରପେକ୍ଷ ଏବଂ ସୁରକ୍ଷିତ ନୁହେଁ ।

ଚୋରି ହୋଇଥିବା ଡାଟାରେ କ’ଣ ରହିଛି ? 

ତଥ୍ୟ ଚୋରି ସମ୍ପର୍କରେ ସୂଚନା ଦେଇ ଟ୍ରମ୍ପ କହିଛନ୍ତି ଯେ ସେହି ଗୁପ୍ତ ତଥ୍ୟଗୁଡ଼ିକ ମଧ୍ୟରେ ରହିଛି ଭୋଟରଙ୍କ ନାମ, ଠିକଣା ଏବଂ ଫୋନ୍ ନମ୍ବର, ପଲିଟିକାଲ୍ ପ୍ରିଫରେନ୍ସ, ଅନ୍ୟାନ୍ୟ ଅତି ସମ୍ବେଦନଶୀଳ ଡାଟା, ଯାହା ଭୋଟ୍ ଦେବା ପାଇଁ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପରେ ବ୍ୟବହାର କରାଯାଇପାରେ । ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, "ଚୀନ ସରକାର ସେହି ଆମେରିକୀୟ ସାମ୍ବାଦିକମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି, ଯେଉଁମାନେ ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ନକାରାତ୍ମକ ରିପୋର୍ଟିଂ କରୁଛନ୍ତି। ସେମାନଙ୍କୁ ମୋ ବିରୋଧରେ ଅଧିକରୁ ଅଧିକ ନକାରାତ୍ମକ ଆର୍ଟିକିଲ୍ ଲେଖିବା ପାଇଁ ଚୀନ ପକ୍ଷରୁ ମୋଟା ଅଙ୍କର ଅର୍ଥ ପ୍ରଦାନ କରାଯାଉଛି । ଚୀନ ସରକାର ଚାହୁଁଛି ଯେ ଆମେରିକା ରାଷ୍ଟ୍ରପତି ଆଗାମୀ ନିର୍ବାଚନ ହାରିଯାଆନ୍ତୁ।"

ଏହା ବି ପଢ଼ନ୍ତୁ... BLA attack : ବେଲୁଚିସ୍ତାନରେ BLAର ବଡ଼ ଧରଣର ଆକ୍ରମଣ, ୪୫ ପାକ୍ ସୈନିକ ନିହତ !

ଏହି ସମ୍ବେଦନଶୀଳ ତଥ୍ୟ ଚୋରି ଏବଂ ଏହାକୁ ଲୁଚାଇବା ପଛରେ ଥିବା ଷଡ଼ଯନ୍ତ୍ରର ତଦନ୍ତ କରିବା ପାଇଁ ଟ୍ରମ୍ପ ଆମେରିକାର ପ୍ରମୁଖ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ନ୍ୟାୟ ବିଭାଗ (DoJ), ଏଫବିଆଇ (FBI) ଏବଂ ସିଆଇଏ (CIA) କୁ ଏହି ମାମଲାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ କହିଛନ୍ତି । ତାଙ୍କ ମତରେ, କେବଳ ଚୀନ ନୁହେଁ ବରଂ ରୁଷ, ଇରାନ ଏବଂ ଉତ୍ତର କୋରିଆ ଭଳି ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକ ଆମେରିକାର ନିର୍ବାଚନ ଭିତ୍ତିଭୂମି ସହିତ ବଡ଼ ଧରଣର ସାଲିସ କରିବାର କ୍ଷମତା ରଖନ୍ତି । ଟ୍ରମ୍ପ ଦେଶର ସମସ୍ତ ଗଭର୍ଣ୍ଣର, ସିନେଟର ଏବଂ କଂଗ୍ରେସ ସଦସ୍ୟମାନଙ୍କୁ ଏହି ସମ୍ପର୍କରେ ସୂଚନା ଦେବେ ବୋଲି କହିଛନ୍ତି । ସେ ଦେଶବାସୀଙ୍କୁ ନିବେଦନ କରି କହିଛନ୍ତି, "ନିଜର ଫୋନ୍ ଉଠାନ୍ତୁ, ସିନେଟ୍ ଏବଂ ହାଉସରେ ଥିବା ନିଜର ପ୍ରତିନିଧିମାନଙ୍କୁ କଲ୍ କରନ୍ତୁ ଏବଂ ବିନା କୌଣସି ବିଳମ୍ବରେ 'ସେଭ୍ ଆମେରିକା ଆକ୍ଟ' ପାସ୍ କରିବା ପାଇଁ ଦାବି କରନ୍ତୁ ।"