କଟକ,୧୫/୦୮: ସେସ୍ପାଲ୍‌ ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣାରେ ନିହାର ରଞ୍ଜନ ମହାନ୍ତି ଗିରଫ ହେବା ପରେ ଖାଲି ପଡ଼ିଥିବା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଉପସଭାପତି ପଦବିରେ ରାଜ୍ୟ ସରକାର ନୂତନ  ନିଯୁକ୍ତି ଦେଇଛନ୍ତି । ଉକ୍ତ ପଦବିରେ ସମ୍ବଲପୁରସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶକ ଅମୂଲ୍ୟ କୁମାର ପଧାନଙ୍କୁ ନିଯୁକ୍ତି ମିଳିଛି । ସେହିପରି ବୋର୍ଡର ପରୀକ୍ଷା  ନିୟନ୍ତ୍ରକ(ଏକଜାମିନେସନ୍‌ ଅଫ୍‌ କଣ୍ଟ୍ରୋଲର)ଦାୟିତ୍ୱରେ ଥିବା ଅମ୍ରିତା ପ୍ରୀତିନନ୍ଦାଙ୍କୁ ବଦଳି କରାଯାଇଛି । ଉକ୍ତ ସ୍ଥାନରେ ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ଶିକ୍ଷାଧିକାରୀ ଚକ୍ରଧର ବେହେରାଙ୍କୁ ଅବସ୍ଥାପିତ କରାଯାଇଛି । ଶ୍ରୀ  ବେହେରାଙ୍କୁ ବୋର୍ଡର ଡେପୁଟି କଣ୍ଟ୍ରୋଲର୍‌ ଭାବେ ନିଯୁକ୍ତ ଦିଆଯାଇଥିଲେ  ହେଁ ସେ କଣ୍ଟ୍ରୋଲର ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବେ ବୋଲି  ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା  ଜାରି କରାଯାଇଛି ।  

ସୂଚନାଯୋଗ୍ୟ, ବୋର୍ଡ ଦ୍ୱାରା ପରିଚାଳିତ ସ୍ପେସାଲ୍‌ ଓଟିଇଟି ହେବା ଆଗରୁ ପୂର୍ବତନ ଉପସଭାପତି  ନିହାରଙ୍କ ଲାପ୍‌ଟପ୍‌ରୁ ପ୍ରଶ୍ନ ଚୋରି ହୋଇଥିଲା । ଉକ୍ତ ଘଟଣାରେ ବୋର୍ଡର  ଡାଟା ଏଣ୍ଟ୍ରି ଅପରେଟର୍‌ ଜିତନ ମହାରଣା ଚୋରି କରି ବାହାରେ ଶିକ୍ଷକ  ସଂଘ ନେତାମାନଙ୍କୁ ବିକ୍ରି କରି ମୁନାଫା କମାଇଥିଲା । ଲାପ୍‌ଟପ୍‌ରୁ ଚୋରି  କରିଥିବା ଅଭିଯୁକ୍ତ ଜିତନ ସହ ନିହାରଙ୍କ ସମ୍ପୃକ୍ତି ଥିବାର କ୍ରାଇମ୍‌ବ୍ରାଞ୍ଚ୍‌  ତଦନ୍ତରୁ ଜାଣିବାକୁ ପାଇଥିଲା । ତେଣୁ ଜିତନ ଗିରଫ ପରେ ନିହାର ମଧ୍ୟ  ଗିରଫ ହୋଇ ଜେଲ୍‌ ଯାଇଥିଲେ । ଫଳରେ ଗତ ୩ ତାରିଖରୁ ଉପସଭାପତି  ପଦବି ଖାଲି ପଡ଼ିଥିଲା । ତେଣୁ ସ୍ଥଗିତ ଥିବା ସ୍ପେସାଲ୍‌ ଓଟିଇଟି ପରୀକ୍ଷା  ପ୍ରସ୍ତୁତି ସମେତ ଅନ୍ୟାନ୍ୟ ପରୀକ୍ଷା ପ୍ରସ୍ତୁତି ଓ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ  ପରୀକ୍ଷା ଫଳ ପ୍ରକାଶନ ଆଦିରେ ସମସ୍ୟା ଉପୁଜିଛି । ପରୀକ୍ଷା ଆୟୋଜନ  ଓ ପ୍ରଶ୍ନ ପ୍ରସ୍ତୁତି ଆଦିରେ ବିଳମ୍ବକୁ ନେଇ ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗରେ ସମୀକ୍ଷା କରାଯାଇଥିଲା । ଆଗକୁ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି  ଓ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଫଳ ପ୍ରକାଶ ଆଦି ଅନ୍ୟାନ୍ୟ ପରୀକ୍ଷା ସମ୍ପର୍କିତ  ଜରୁରି କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୋର୍ଡ ଉପସଭାପତି  ପଦବି ପୂରଣ କରିବା ସହ ବୋର୍ଡର କଣ୍ଟ୍ରୋଲର୍‌ଙ୍କୁ ବଦଳାଇ ଅନ୍ୟ ଜଣେ  ନୂଆ ଅଧିକାରୀଙ୍କୁ ଇନ୍‌ଚାର୍ଜ ଭାବେ ଅବସ୍ଥାପିତ କରାଇଛନ୍ତି । କଣ୍ଟ୍ରୋଲର୍‌ଙ୍କ  ପ୍ରକୋଷ୍ଠରେ ଅଭିଯୁକ୍ତ ଜିତନ ବସି କମ୍ପ୍ୟୁଟରରେ ପ୍ରଶ୍ନକୁ ଟାଇପ୍‌ କରି  ବାହାରେ ବିକ୍ରି ଥିବାରୁ ସମ୍ପୃକ୍ତ ଅଧିକାରୀ ମଧ୍ୟ ବିବାଦରେ ଥିଲେ ।  କ୍ରାଇମ୍‌ବ୍ରାଞ୍ଚ୍‌ ଇତିମଧ୍ୟରେ କଣ୍ଟ୍ରୋଲର୍‌ଙ୍କ ପ୍ରକୋଷ୍ଠରେ ଦୁଇ ଥର ଚଢ଼ଉ  କରି ଦୁଇଟି କମ୍ପ୍ୟୁଟର ଜବତ କରିବା ସହ ଏକାଧିକ ପେନ୍‌ଡ୍ରାଇଭ୍‌ ଜବତ  କରିଥିଲା । ଏଥିଲାଗି ପ୍ରଶ୍ନ ଚୋରି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ କଣ୍ଟ୍ରୋଲରଙ୍କୁ  ତଦନ୍ତ ପରିସରକୁ ଆଣି ପଚରା ଉଚରା କରିଥିଲା ।