ନୂଆଦିଲ୍ଲୀ ୧୦/୦୬: ଏକ ସଦ୍ୟ ଆବିଷ୍କାର ବ୍ରହ୍ମାଣ୍ଡ ବିଷୟରେ ଆମ  ଧାରଣାକୁ ବଦଳାଇ ଦେବ । ଗତ ଏପ୍ରିଲରେ  ନକ୍ଷତ୍ରବିଜ୍ଞାନୀମାନେ ‘କେ୨-୧୮ବି’ ନାମକ  ଏକ ସୁଦୂର ଗ୍ରହର ବାୟୁମଣ୍ଡଳରେ ଦୁଇଟି  ଅଣୁ ଘୂରିବୁଲିବାର ସଙ୍କେତ ଚିହ୍ନଟ କରିଥିଲେ । ପୃଥିବୀରେ ଏହି ଅଣୁ କେବଳ ଜୀବିତ ପ୍ରାଣୀଙ୍କ ଦ୍ୱାରା ଉତ୍ପନ୍ନ ହୋଇଥାଏ । ଏହା ଏକ ଧ୍ୟାନ ଆକର୍ଷଣକାରୀ ସମ୍ଭାବନା ଥିଲା, ଯାହା କୌଣସି  ବାହ୍ୟ ଜାଗତ ସମ୍ବନ୍ଧୀୟ ଜୈବସଙ୍କେତ କିମ୍ବା  ଜୀବବିଜ୍ଞାନ କାର୍ଯ୍ୟକଳାପ ସହ ସଂଶ୍ଳିଷ୍ଟ ଜୀବନ ସଙ୍କେତର ଏପର୍ଯ୍ୟନ୍ତର ସବୁଠୁ ଆଶାଜନକ ପ୍ରମାଣ । 

ଏହି ଆବିଷ୍କାରର ମାତ୍ର କିଛି ସପ୍ତାହ ପରେ  ନୂଆ ତଥ୍ୟ ଅଧ୍ୟୟନକୁ ଜାରି ରଖିବା ଉପରେ ଜୋର ଦେଲା । ଆରିଜୋନା ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ଆର୍ଥ ଆଣ୍ଡ୍‌ ସ୍ପେସ୍‌ ଏକ୍ସପ୍ଲୋରେସନ୍‌ର  ଅଧ୍ୟୟନକର୍ତ୍ତା ଲୁଇସ ୱେଲବ୍ୟାଙ୍କ୍‌ସ କହିଛନ୍ତି,  ଏହି ଆବିଷ୍କାର ଉତ୍ସାହଜନକ ଥିଲା । କିନ୍ତୁ ସେହି  ସମ୍ଭାବ୍ୟ ଜୈବସଙ୍କେତ ମିଳିବାର ଦାବି ଐତିହାସିକ  ହୋଇପାରେ ବୋଲି ଅନେକ ଦାବି କଲେ । କିନ୍ତୁ  ସାଂଖ୍ୟିକ ପ୍ରମାଣର ମହତ୍ୱ ମଧ୍ୟ ତଥ୍ୟ ପାଇଁ ବହୁତ  ଅଧିକ ଗୁରୁତ୍ୱପୂର୍ଣ୍ଣ ।  

ଗତ ଏପ୍ରିଲ ଅଧ୍ୟୟନରେ କେ୨-୧୮ବି  ଗ୍ରହରେ ‘ଡାଇମିଥାଇଲ ସଲ୍‌ଫାଇଡ’ ବା  ଡିଏମ୍‌ଏସ୍‌ ଓ ଡାଇମିଥାଇଲ ଡାଇସଲ୍‌ଫାଇଡ  ବା ଡିଏମ୍‌ଡିଏସ୍‌ ଅଣୁ ଚିହ୍ନଟ ହୋଇଥିଲା । ଆମ  ଗ୍ରହରେ ସୂକ୍ଷ୍ମଜୀବଙ୍କ ସହିତ ଏହି ଦୁଇ ଅଣୁ  ବ୍ୟାପକ ଭାବେ ସଂଶ୍ଳିଷ୍ଟ । ବୈଜ୍ଞାନିକଙ୍କ ଅନୁସାରେ,  ଜୀବନର ଉପସ୍ଥିତି ବିନା ମଧ୍ୟ ଏହି ଦୁଇ ଯୌଗିକ  ସୃଷ୍ଟି ହୋଇପାରେ । ମୂଳ ଜୈବସଙ୍କେତ  ଆବିଷ୍କାରରେ ପ୍ରୟୋଗ କରାଯାଇଥିବା  ମଡେଲ ଓ ତଥ୍ୟକୁ ୱେଲ୍‌ବ୍ୟାଙ୍କସ୍‌ଙ୍କ ସମେତ  ନକ୍ଷତ୍ରବିଜ୍ଞାନୀଙ୍କର ୩ଟି ଟିମ୍‌ ଆକଳନ କରିଛି  ଏବଂ ଖୁବ୍‌ ଭିନ୍ନ ଫଳ ପାଇଛି। ଏହାକୁ ସେମାନେ  ବିସ୍ତୃତ ସମୀକ୍ଷା ପାଇଁ ପ୍ରଦାନ କରିଛନ୍ତି ।  

ଇତିମଧ୍ୟରେ ଏପ୍ରିଲ ଅଧ୍ୟୟନର ମୁଖ୍ୟ  ଲେଖକ ନିକ୍କୁ ମଧୁସୂଦନ ଓ ତାଙ୍କ ସାଥୀ ଅତିରିକ୍ତ  ଅନୁସନ୍ଧାନ କରିଛନ୍ତି । ସେମାନେ କହିଛନ୍ତି ଯେ ଗ୍ରହ ସମ୍ପର୍କିତ ପୂର୍ବ ତଥ୍ୟକୁ ଏହା ବଳ ଦେଇଛି । ବିଭିନ୍ନ ବୈଜ୍ଞାନିକ ସମୁଦାୟ ଏ ନେଇ ଅତିରିକ୍ତ  ଅବଲୋକନ ଓ ଅନୁସନ୍ଧାନ କରିପାରନ୍ତି । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌  ଆଷ୍ଟ୍ରୋଫିଜିକ୍ସର ପ୍ରଫେସର ଓ ନକ୍ଷତ୍ରବିଜ୍ଞାନୀ  ମଧୁସୂଦନଙ୍କ ନେତୃତ୍ୱାଧୀନ ପୂର୍ବ ଅଧ୍ୟୟନ ଅନୁସାରେ, ପୃଥିବୀଠୁ ୧୨୪ ଆଲୋକବର୍ଷ ଦୂରରେ ଅବସ୍ଥିତ କେ୨-୧୮ବିକୁ ସାଧାରଣତଃ  ଜୀବନର ସଙ୍କେତ ପାଇଁ ସ୍ରୋତର ଏକ ମୂଲ୍ୟବାନ  ଲକ୍ଷ୍ୟ ଭାବେ ବିବେଚନା କରାଯାଏ । ଏହାକୁ ଏକ  ହାଇସିନ୍‌ ଜଗତ ଭାବେ ବିଚାର କରାଯାଏ, ଯାହା  ସମ୍ପୂର୍ଣ୍ଣ ରୂପେ ଉଦ୍‌ଯାନ-ସମୃଦ୍ଧ ବାୟୁମଣ୍ଡଳଯୁକ୍ତ  ତରଳ ଜଳରେ ଆବୃତ୍ତ ଏକ ଗ୍ରହ । ଏହିଭଳି  ଭାବେ କେ୨-୧୮ବି ଆମ ସୌରମଣ୍ଡଳ ବାହାରେ  ଏକ ସମ୍ଭାବ୍ୟ ବାସଯୋଗ୍ୟ ଗ୍ରହ ଭାବେ ଖୁବ୍‌ଶୀଘ୍ର  ଧ୍ୟାନ ଆକର୍ଷଣ କଲା । 

ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଗ୍ରହର ଅଧ୍ୟୟନ  ପାଇଁ ମଧୁସୂଦନ ଓ ତାଙ୍କ ସାଥୀମାନେ ସର୍ବବୃହତ  ମହାକାଶ ଟେଲିସ୍କୋପ୍‌ ଜେମ୍ସ ୱେବ୍‌ ସ୍ପେସ୍‌ ଟେଲିସ୍କୋପ୍‌ ଦ୍ୱାରା ଅବଲୋକନ କଲେ । କିନ୍ତୁ  ଚିକାଗୋ ବିଶ୍ୱବିଦ୍ୟାଳୟର ଦୁଇ ଜଣ ବୈଜ୍ଞାନିକ  ଏହି ଅଧ୍ୟୟନରେ କିଛି ସମସ୍ୟା ଚିହ୍ନଟ କଲେ ।  ମଧୁସୂଦନଙ୍କ ଅଧ୍ୟୟନକୁ ସମୀକ୍ଷା କରିବା  ପରେ ଜେମ୍ସ ୱେବ୍‌ର ତଥ୍ୟ କୋଳାହଳପୂର୍ଣ୍ଣ  ଦେଖାଯାଉଥିବା ଦୁହେଁ ଲକ୍ଷ୍ୟ କଲେ ।