ପୁରୀ,୦୬/୦୭: ମହାପ୍ରଭୁଙ୍କ ସେବାରେ ଯୋଗଦେଇଛନ୍ତି ସର୍ବକନିଷ୍ଠ ଦଇତାପତି  ସେବକ ଶ୍ରୀଅଂଶ ଦାସମହାପାତ୍ର । ବୟସ  ମାତ୍ର ୬ ମାସ ୨୧ ଦିନ । ଲଲାଟରେ ଚନ୍ଦନର ଗାଢ଼ ପ୍ରଲେପ । ପରିଧାନ କରିଛନ୍ତିି ପାଟମକୁଟା । ଦଇତାକୂଳରେ ତାଙ୍କର ଜନ୍ମ । ଅଣସର ପିଣ୍ଡିରେ ସେବା ପାଉଥିବା ଅସୁସ୍ଥ ଠାକୁରଙ୍କ  ଗୁପ୍ତ ସେବାରେ ଯୋଗ ସେ ଦେଲେ ।

ପରମ୍ପରା ଅନୁସାରେ ମହାପ୍ରଭୁଙ୍କୁ ଭେଟି ମଧ୍ୟ ଦେଇଛନ୍ତି । ଶିଶୁ ସେବକଙ୍କ କଅଁଳ  ହାତର ସ୍ପର୍ଶରେ ସୁସ୍ଥ ହେବେ ମହାପ୍ରଭୁ । ଦଇତାପତି ସେବକ ଶିବାନୀ ଦାସମହାପାତ୍ର ଓ ରୁଚିସ୍ମିତା  ଦାସମହାପାତ୍ରଙ୍କ ପୁତ୍ର ଶ୍ରୀଅଂଶ। ଅଜ୍ଞ ଶିଶୁଟିଏ ହେଲେ ମଧ୍ୟ ଆଜିଠାରୁ ଶ୍ରୀଅଂଶ ମହାପ୍ରଭୁଙ୍କ ସେବାରେ ସମର୍ପିତ ବୋଲି କହିଛନ୍ତି ଶ୍ରୀଅଂଶଙ୍କ ବଡ଼ବାପା ତଥା  ଶିବାନୀଙ୍କ ବଡ଼ଭାଇ ଦଇତାପତି ଭବାନୀ ଦାସମହାପାତ୍ର ।

 

ଦଇତାପତ ଶ୍ରୀ ଦାସମହାପାତ୍ର କୁହନ୍ତି, ଆଜି ପ୍ରଥମ  ଥର ବାପାଙ୍କ ସହ ଶ୍ରୀଅଂଶ ଶ୍ରୀମନ୍ଦିର ଅଣସର ଘରକୁ ଯାଇ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଓଷ ଲାଗି କରିଛନ୍ତି ।  ମହାପ୍ରଭୁଙ୍କ ଚରଣାଶ୍ରିତ ହୋଇ ସବୁଦିନେ ସେବା କରିବାକୁ ଆଶୀର୍ବାଦ ଲଭିଛନ୍ତି । ଦଇତାକୁଳର ପରମ୍ପରା  ଅନୁଯାୟୀ ଜନ୍ମ ହେବାର ୨୧ ଦିନ ପରେ  ଏମାନେ ଦଇତାପତି ଭାବେ ଗଣତି ହେବା ସହ ଅଣସର ଘରେ ମହାପ୍ରଭୁଙ୍କ ସେବା ଆରମ୍ଭ କରିଥାନ୍ତି । ଅଣସରର ପଞ୍ଚମୀ ତିଥି ଅର୍ଥାତ୍‌ ଫୁଲୁରୀ ତେଲ ଲାଗି ପରଦିନଠାରୁ ୩ ତିନି ଦିନ ପର୍ଯ୍ୟନ୍ତ ଏହି କୁନି ଦଇତାପତିମାନେ ମହାପ୍ରଭୁଙ୍କ ଗୁପ୍ତ ସେବାରେ ଯୋଗ ଦେଇଥାନ୍ତି ।

ଅଧିକ ପଢ଼ନ୍ତୁ :-  Rath khala Update: ପ୍ରଭାରେ ରଙ୍ଗ ଦେବାରେ ବ୍ୟସ୍ତ ଚିତ୍ରକର ସେବକ, ରାହୁମୁଣ୍ଡ ଓ ମଗରମୁଣ୍ଡ ମୂର୍ତ୍ତି ଖୋଦେଇ ବେଶ୍ ମନଲୋଭା