ପୁରୀ, ୧୮।୪(ରାଜଶ୍ରୀ ସାହୁ): ଐତିହ୍ୟ ନଗରୀ ଶ୍ରୀକ୍ଷେତ୍ର । କାହିଁ କେଉଁ କାଳରୁ ପୁରୀରେ ଗଢ଼ି ଉଠିଛି ଅନେକ ମଠ, ମନ୍ଦିର, ଆଶ୍ରମ, ଧର୍ମଶାଳାଠାରୁ ଆରମ୍ଭ କରି ଅନେକ କୀର୍ତ୍ତିରାଜି । ହଜାର ହଜାର ବର୍ଷ ଧରି କଳା, ସଂସ୍କୃତି, ସ୍ଥାପତ୍ୟକୁ ଜାବୁଡ଼ି ଧରିଛି ଏହି ମାଟି । ହେଲେ ସମୟ ସୁଅରେ ଅନେକ କିଛି ଐତିହ୍ୟ ପୃଷ୍ଠାରୁ ଲିଭିଯାଇଛି । କିଛି ଐତିହ୍ୟକୁ ଡୋଜର ଲଗାଇ ଭାଙ୍ଗି ଦିଆଯାଇଛି । ସମୟ ସହିତ ଲଢ଼େଇ କରି ବଞ୍ଚି ରହିଥିବା ଆଉ କିଛି ଐତିହ୍ୟ ଶେଷ ନିଃଶ୍ୱାସ ନେଉଛି । ପୂର୍ବପିଢ଼ିଙ୍କର ଏହି ଶେଷ ସନ୍ତକକୁ ସାଇତି ନ ରଖିଲେ ଏହି ଐତିହ୍ୟ କୀର୍ତ୍ତି ମଧ୍ୟ ଖୁବଶୀଘ୍ର ଧ୍ୱଂସାବଶେଷର ରୂପ ନେଇଯିବ । ଏଣୁ ବେଳ ହୁଁ ସାବଧାନ ହୋଇ ଐତିହ୍ୟର ସଂରକ୍ଷଣ ପାଇଁ ଶନିବାର ଐତିହ୍ୟ ଦିବସ ଉପଲକ୍ଷେ ଐତିହ୍ୟ ପ୍ରେମୀମାନେ ଆହ୍ୱାନ ଦେଇଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ପୁରୀରୁ ଅନେକ ଐତିହ୍ୟ କୀର୍ତ୍ତି ଲୋପ ପାଇଛି । ଏଥିମଧ୍ୟରେ ଅନେକ ପୁରାତନ ଐତିହ୍ୟ କୋଠା ମଧ୍ୟ ରହିଛି ।
ଏହା ବି ପଢ଼ନ୍ତୁ... କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ଆଜି ମୟୂରଭଞ୍ଜରେ ୧୨ଘଣ୍ଟିଆ ହରତାଳ, ବିଜେଡିର ବନ୍ଦ ଡାକରାରେ କଂଗ୍ରେସର ସମର୍ଥନ
ସେଥିମଧ୍ୟରୁ ଅନ୍ୟତମ ହେଉଛି ମୋତିଲାଲ ମୋହନଲାଲ କୋଠାରୀ ଧର୍ମଶାଳା । ପାଖାପାଖି ୧୦୦ ବର୍ଷ ପୁରୁଣା ଏହି ଐତିହ୍ୟ କୀର୍ତ୍ତି ପୂର୍ଣ୍ଣ କୋଠାକୁ ଶ୍ରୀଦାଣ୍ଡ ନିର୍ମାଣ ସମୟରେ ଭଙ୍ଗା ଯାଇଥିଲା । ସେହିଭଳି ଦୋଳମଣ୍ଡପ ସାହିରେ ଥିବା ଐତିହ୍ୟ ଖେମକା ଧର୍ମଶାଳାକୁ ମଧ୍ୟ ଭଙ୍ଗାଯାଇ ସେଠାରେ ଲଜ୍ ନିର୍ମାଣ କରାଯାଇଛି । ପୁରୀ ବଡ଼ଦାଣ୍ଡରେ ଥିବା ଖ୍ୟାତିପୂର୍ଣ୍ଣ ବଗଲା ଧର୍ମଶାଳାକୁ ମଧ୍ୟ ଭଙ୍ଗାଯାଇଛି । ଏହି ଐତିହ୍ୟପୂର୍ଣ୍ଣ ଧର୍ମଶାଳାକୁ ପ୍ରଭାବଶାଳୀ ତଥା ବିତ୍ତଶାଳୀ ବ୍ୟକ୍ତିତ୍ୱମାନେ ଶ୍ରଦ୍ଧାଳୁଙ୍କ ସୁଲଭ ରହଣୀ ପାଇଁ ନିର୍ମାଣ କରିଥିଲେ । ଏସବୁ ଭାଙ୍ଗିଯିବା ଦ୍ୱାରା ଗରିବ ତଥା ଆର୍ଥିକ ଅନୁନ୍ନତ ବ୍ୟକ୍ତିମାନେ ପୁରୀରେ ଆସିଲେ ରହିବାକୁ ସମସ୍ୟା ଭୋଗିବା ସହ ଅନେକ ଐତିହ୍ୟ ମଧ୍ୟ ଲୋପ ପାଉଛି । ଏବେ ପୁରୀରେ ହାତଗଣତି କିଛି ଧର୍ମଶାଳା ଶେଷ ନିଃଶ୍ୱାସ ନେଉଛନ୍ତି । ସେଥିମଧ୍ୟରେ ରହିଛି ତୋଲାରାମ ସୁଜନ ମଲ୍ ବାଗେଡ଼ିଆ ଧର୍ମଶାଳା । ଯାହା ଲୋକ ଉକ୍ତିରେ ବାଗେଡ଼ିଆ ଧର୍ମଶାଳା ଭାବେ ପରିଚିତ । ସେହିଭଳି ଅନ୍ୟ ଐତିହ୍ୟପୂର୍ଣ୍ଣ ଧର୍ମଶାଳା ହେଉଛି ଡୁଡୁୱାଲା ଧର୍ମଶାଳା ଓ ରାମଚନ୍ଦ୍ର ଗୋଏଙ୍କା ଧର୍ମଶାଳା । ଏହି ୩ ଧର୍ମଶାଳା ଏବେ ରହିଛି । ହେଲେ ଏହାର ରକ୍ଷଣାବେକ୍ଷଣ ସେଭଳି ହେଉନାହିଁ ।
ଏହି ସମସ୍ତ ଧର୍ମଶାଳାର ବୟସ ଶହେ ବର୍ଷ ପାଖାପଖି ହେବ । ଏଣୁ ରକ୍ଷଣାବେକ୍ଷଣ କରାନଗଲେ ଏହା ଖୁବଶୀଘ୍ର ବିଲୋପ ପାଇବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ପୁରୀରେ ଥିବା ଏକମାତ୍ର ଯାତ୍ରୀ କୋଠା ମଧ୍ୟ ଏବେ ରୁଗ୍ଣ ଓ ଭଗ୍ନ ଅବସ୍ଥାରେ ରହିଛି । ଚୁଡ଼ାପଟି ଗଳି ଶେଷରେ ଥିବା ‘ବ୍ରଜବାସୀ ଯାତ୍ରୀ କୋଠା’ରେ ଗଛଲଟା ମାଡ଼ି ରହିବା ସହ ଏହା ଭିତରେ କୁଢ଼କୁଢ଼ ଆବର୍ଜନା ଜମି ରହିଛି । ଏହି ଯାତ୍ରୀ କୋଠାର ନିର୍ମାଣ ଶୈଳୀ ମଧ୍ୟ କୀର୍ତ୍ତିପୂର୍ଣ୍ଣ । ପ୍ରଶାସନ ପକ୍ଷରୁ ଏହାକୁ ବିପଦପୂର୍ଣ୍ଣ ଘୋଷଣା କରାଯାଇଛି । ଏଣୁ କେଉଁ ମୁହୂର୍ତ୍ତରେ ମଧ୍ୟ ଏହି କୋଠା ମାଟିରେ ମିଶିପାରେ । ସେହିଭଳି ଶ୍ରୀମନ୍ଦିର ନିକଟରେ ଥିବା ଶହେ ବର୍ଷ ପୁରୁଣା ନରେନ୍ଦ୍ର ମହଲା ମଧ୍ୟ ୨ ବର୍ଷ ତଳେ ମାଟିରେ ମିଶିଛି । ଏହି ସ୍ଥାନରେ ଏବେ ସେବାୟତଙ୍କ ନିମନ୍ତେ ୨ ଚକିଆ ପାର୍କିଂସ୍ଥଳ ନିର୍ମିତ । ସେହିଭଳି ପୁରୀରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ମଧ୍ୟ ଦୀର୍ଘବର୍ଷ ହେବ ବନ୍ଦ ପଡ଼ିଛି । ଏହି ଐତିହ୍ୟ କୋଠାରେ ନେତାଜୀ ସଂଗ୍ରହାଳୟ ଚାଲୁଥିଲା । ହେଲେ ପୁନଃନିର୍ମାଣ କରାଯିବା ପାଇଁ ଏହି କୋଠାକୁ ଏବେ ପର୍ଯ୍ୟଟକ କିମ୍ବା ସ୍ଥାନୀୟ ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି । ଏସବୁ ବାଦ୍ ଶ୍ରୀମନ୍ଦିର ନିକଟବର୍ତ୍ତୀ ସେବାୟତ ପ୍ରବଣ ସାହିରେ ମଧ୍ୟ ଅନେକ ଐତିହ୍ୟ କୋଠା ରହିଛି । ଅନେକ କୋଠାର ଆୟୁଷ ଦେଢ଼ ଶହ ବର୍ଷରୁ ମଧ୍ୟ ଅଧିକ । ହେଲେ ଏହି କୋଠାଗୁଡ଼ିକ ଏବେ ଧ୍ୱଂସାଭିମୁଖୀ ଅବସ୍ଥାରେ ।
ଏଣୁ ଏସବୁର ରକ୍ଷଣାବେକ୍ଷଣ କରାଗଲେ ପୁରୀରେ ହେରିଟେଜ୍ ଟୁରିଜିମ୍ ବା ଐତିହ୍ୟ ପର୍ଯ୍ୟଟନର ମଧ୍ୟ ବିକାଶ ହୋଇପାରନ୍ତା ବୋଲି ଐତିହ୍ୟ ଉତ୍ସାହୀ ଅଶୋକା ମଞ୍ଜରୀ ନାୟକ କହିଛନ୍ତି । ସେ କହିଛନ୍ତି, ପୁରୀର ପ୍ରତ୍ୟେକ ସ୍ଥାନରେ ଐତିହ୍ୟ ରହିଛି । ହେଲେ ଏସବୁ ଅଧିକାଂଶ ସମୟରେ ପର୍ଯ୍ୟଟକଙ୍କ ନଜରକୁ ଆସିପାରେନି କାହିଁକି ନା ଏହାର ରକ୍ଷଣାବେକ୍ଷଣ କିମ୍ବା ପ୍ରଚାର ପ୍ରସାର ହୁଏନାହିଁ । ଏବେ ଯେଉଁ ହାତଗଣତି କିଛି ଐତିହ୍ୟ କୋଠାଗୁଡ଼ିକ ଅଛି, ସେଥିରୁ କିଛି ବ୍ୟକ୍ତିଗତ ହୋଇଥିବା ବେଳେ କିଛି ମଠ, ମନ୍ଦିର, ରାଜପରିବାର କିମ୍ବା ଏଣ୍ଡାଓମେଣ୍ଟ ଅଧୀନରେ ଅଛି । ବ୍ୟକ୍ତିଗତ କୋଠା ଥିବା ପରିବାରମାନେ ହୁଏତ ସ୍ୱଚ୍ଛଳତା ନଥିବାରୁ ମରାମତି କରିପାରୁନାହାନ୍ତି । ଏଣୁ ସେମାନଙ୍କୁ ସାହାଯ୍ୟ ମିଳିଲେ ସେମାନେ ମରାମତି କରିପାରନ୍ତେ । ପିପିପି ମୋଡ୍ରେ ସରକାର ଏହାର ରକ୍ଷଣାବେକ୍ଷଣ କରି ଏଠାରେ ପର୍ଯ୍ୟଟନ ବିକାଶ କରିପାରନ୍ତେ । ସେହିଭଳି ସାର୍ବଜନୀନ ଐତିହ୍ୟ କୋଠାଗୁଡ଼ିକରେ ସରକାରଙ୍କ ପକ୍ଷରୁ ପୁନଃନିର୍ମାଣ କରାଯିବା ଆବଶ୍ୟକ । ଏହାଦ୍ୱାରା ଏହାର ପ୍ରଚାର ପ୍ରସାର ହୋଇପାରିବ ବୋଲି ସେ କହିଛନ୍ତି ।