ନୂଆଦିଲ୍ଲୀ: 'ମେଗାଷ୍ଟାର' ଚିରଞ୍ଜିବୀଙ୍କ ଭାଇ ଏବଂ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ଭାଇ କୋନିଡେଲା ନାଗେନ୍ଦ୍ର ବାବୁ (ନାଗାବାବୁ) ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦରେ ପ୍ରବେଶ କରିବାକୁ ଯାଉଛନ୍ତି। ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ମେଣ୍ଟରେ ଥିବା ଜନସେନା ପାର୍ଟି (ଜେଏସପି) ସଭାପତି ପବନ କଲ୍ୟାଣ ଆଗାମୀ ଏମଏଲସି ନିର୍ବାଚନ ପାଇଁ ବିଧାୟକ କୋଟାରେ ଦଳର ପ୍ରାର୍ଥୀ ଭାବରେ ନାଗାବାବୁଙ୍କ ନାମ ଚୂଡ଼ାନ୍ତ କରିଛନ୍ତି । ଜେଏସପିର ରାଜ୍ୟ ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିବା ନାଗାବାବୁଙ୍କୁ ବିଧାନ ପରିଷଦ (ଏମଏଲସି) ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରକ୍ରିୟାକୁ ସହଜ କରିବା ପାଇଁ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାକୁ ପବନ କଲ୍ୟାଣଙ୍କ ଦ୍ୱାରା ଦଳୀୟ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଡେକାନ କ୍ରୋନିକିଲ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ର ପ୍ରଦେଶ କ୍ୟାବିନେଟରେ ନାଗାବାବୁଙ୍କୁ ସାମିଲ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ପରେ ନାଗାବାବୁଙ୍କୁ ଏମଏଲସି ପଠାଇବା ଲାଗି ପ୍ରସ୍ତୁତି ଜୋରଦାର ହୋଇଛି ।
ନାଗାବାବୁ କିଏ?
କୋନିଡେଲା ନାଗେନ୍ଦ୍ର ରାଓ ଜଣେ ରାଜନୈତିକ ବ୍ୟକ୍ତିତ୍ୱ ଏବଂ ଜନସେନାର ଦୃଷ୍ଟିକୋଣ ଏବଂ ନୀତିର ଜଣେ ପ୍ରମୁଖ ସମର୍ଥକ । ସେ ତେଲୁଗୁ ସିନେମା ଅଭିନେତା ଏବଂ ପ୍ରଯୋଜକ ମଧ୍ୟ । ନାଗେନ୍ଦ୍ର ବାବୁ କେତେକ ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।
୨୯ ଅକ୍ଟୋବର, ୧୯୬୧ରେ ଜନ୍ମଗ୍ରହଣ କରିଥିବା ନାଗେନ୍ଦ୍ର ବାବୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ଅନ୍ୟାନ୍ୟ ପୁରସ୍କାର ପାଇଛନ୍ତି । ପ୍ରଯୋଜନା କ୍ଷେତ୍ରରେ ଅବଦାନ ପାଇଁ ସେ ଦୁଇଟି ନନ୍ଦୀ ପୁରସ୍କାର ମଧ୍ୟ ପାଇଛନ୍ତି ।
୧୪୩, ଅଞ୍ଜୀ, ସକ୍, ଶ୍ରୀ ରାମଦାସୁ, ଚାନ୍ଦାମାମା ଏବଂ ଅରେଞ୍ଜ ଭଳି ଚଳଚ୍ଚିତ୍ରରେ ବଳିଷ୍ଠ ଅଭିନୟ ପାଇଁ ବେଶ ଲୋକପ୍ରିୟତା ପାଇଛନ୍ତି ନାଗାବାବୁ । ସେ ଚିରଞ୍ଜିବୀ ଏବଂ ପବନ କଲ୍ୟାଣଙ୍କ ସହିତ ଅଞ୍ଜନା ପ୍ରଡକ୍ସନ୍ସ ବ୍ୟାନରରେ ଏକାଧିକ ଫିଲ୍ମର ପ୍ରଯୋଜନା କରିଛନ୍ତି । ଏହା ବ୍ୟତୀତ ତାଙ୍କର ଅନ୍ୟ ଏକ ପରିଚୟ ରହିଛି । ନାଗାବାବୁ ଅଭିନେତା ବରୁଣ ତେଜ ଏବଂ ନିହାରିକାଙ୍କ ପିତା ।