ନୂଆଦିଲ୍ଲୀ:ଆନ୍ଧ୍ରପ୍ରଦେଶର କୋନାସୀମା ଜିଲ୍ଲାର ରାୟବରମରେ ଆଜି (ବୁଧବାର) ଏକ ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ଏହି ମୃତଦେହ ଗୁଡିକୁ ଚିହ୍ନିବା ଏବେ କଷ୍ଟକର ହୋଇପଡୁଛି। ଘଟଣାରେ କିଛି ଜଣ ଗୁରୁତର ହୋଇଥିବା ମଧ୍ୟ କୁହାଯାଉଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।
ଏସିପି ରାହୁଲ ମୀନା କହିଛନ୍ତି ଯେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଶବ ଅତି ଖରାପ ଭାବେ ଜଳିଯାଇଛି । ମୃତକ ମାନେ ବାଣ କାରଖାନାର ଶ୍ରମିକ ହୋଇଥାଇପାରନ୍ତି । ମୃତଦେହ ଗୁଡିକର ପରିଚୟ ଖୋଜା ଚାଲିଛି । ଉଦ୍ଧାରକାର୍ଯ୍ୟ ଚାଲିଛି । ବାଣ କାରଖାନା ପାଖରେ ମ୍ୟାନୁଫ୍ୟାକଚରିଙ୍ଗ୍ ଲାଇସେନ୍ସ ରହିଥିଲା। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଶର୍ଟ ସର୍କିଟରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।
ଘଟଣାର କିଛି ଭିଡିଓ ସାମ୍ନାକୁ ଆସିଛି । ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ, ପୂରା କାରଖାନା ନିଆଁ ଘେର ଭିତରେ ରହିଛି । ଅନ୍ୟ ଏକ ଭିଡିଓରେ ଜଣେ ବ୍ୟକ୍ତିଙ୍କ ଶବ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ମଧ୍ୟ ଦେଖିବାକୁ ମିଳୁଛି । ଏହି ସମୟରେ ଦୂରରୁ ରେକର୍ଡ ହୋଇଥିବା ଏହି ଭିଡିଓରେ କାରଖାନାରୁ ନିଆଁ ବହୁ ଉଚ୍ଚତା ପର୍ଯ୍ୟନ୍ତ ଜଳୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଭୟଙ୍କର ଶଦ୍ଧ ମଧ୍ୟ ଶୁଣିବାକୁ ମିଳୁଛି । ସିଏମ ଚନ୍ଦ୍ରବାବୁ ନାଇଡୁ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।