ବେଲଗ୍ରେଡ୍‌,୨୪/୧୧: ୨୪ଥର  ଗ୍ରାଣ୍ଡସ୍ଲାମ୍‌ ଚାମ୍ପିଅନ୍‌  ସର୍ବିୟାର ନୋଭାକ ଜୋକୋଭିିକ୍ ଆଗାମୀ ସିଜନ ପାଇଁ  ବ୍ରିଟେନର ପୂର୍ବତନ ଖେଳାଳି ଆଣ୍ଡି ମରେଙ୍କୁ ନିଜ କୋଚିଂ ଟିମ୍‌ରେ ସାମିଲ  କରିଛନ୍ତି । ସେ ନିଜେ ସୋସିଆଲ୍‌ ମିଡିଆରେ ଏବିଷୟରେ  ସୂଚନା ଦେଇଛନ୍ତି । 

ସେ କହିଛନ୍ତି, ମୋର ଅନ୍ୟତମ ବଡ଼  ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ମରେ । ଆଗାମୀ ସିଜନରେ ସେ ମୋ କୋଚ୍‌ ଦାୟିତ୍ୱ ତୁଲାଇବେ । ୨୦୨୫ ଅଷ୍ଟ୍ରେଲିଆନ୍‌ ଓପନରୁ ତାଙ୍କ ସହ ମୋର ସିଜନ ଆରମ୍ଭ କରିବାକୁ ଉତ୍ସୁକତାର  ସହ ଅପେକ୍ଷା କରିଛି ।’ ୩୭ବର୍ଷୀୟ ମରେ କ୍ୟାରିୟରରେ ୩ଥର ଗ୍ରାଣ୍ଡସ୍ଲାମ୍‌ ଚାମ୍ପିଅନ୍‌ ହୋଇଥିଲେ । 

ଗତ ଅଗଷ୍ଟ  ମାସରେ ସେ ପେସାଦାର ଟେନିସ୍‌ରୁ ଅବସର ନେଇଥିଲେ । ଜୋକୋଭିକ୍‌ କ୍ୟାରିୟରରେ ୧୦ ଥର ଅଷ୍ଟ୍ରେଲିଆନ୍‌  ଓପନ ଚାମ୍ପିଅନ୍‌ ହୋଇଛନ୍ତି । ସେଥିମଧ୍ୟରୁ ସେ ୪ଥର  ଟାଇଟଲ୍‌ ଲଢ଼େଇରେ ମରେଙ୍କୁ ପରାଜିତ କରିଥିଲେ ।