ନୂଆଦିଲ୍ଲୀ ୧୦/୦୧: ଉତ୍ତରାଖଣ୍ଡରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାକୁ ନେଇ ଦୁଇ ଭଉଣୀ ନିଜ ରକ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି । କାଶୀପୁର ଏସ୍ଡିଏମ୍ଙ୍କ ଜରିଆରେ ଚିଠିକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଛନ୍ତି । ଚିଠି ଜରିଆରେ ଉଭୟ ପ୍ରଶ୍ନ କରିଛନ୍ତି, ଯେଉଁଠି ଜଣେ ଝିଅକୁ ନ୍ୟାୟ ମିଳୁନି, ଦେଶର ଅନ୍ୟ ଝିଅ କେମିତି ସୁରକ୍ଷିତ ମନେକରିବେ? ରକ୍ତରେ ଚିଠି ଲେଖିଥିବା ବଡ଼ ଭଉଣୀଙ୍କ ନାଁ କୁସୁମ ଲତା ବୌଡାଇ । ସେ କୃଷକ ମଞ୍ଚର ପ୍ରଦେଶ ପ୍ରବକ୍ତା ଏବଂ ପାହାଡ଼ୀ ଫାଉଣ୍ଡେସନ୍ର ଅଧ୍ୟକ୍ଷା । ଛୋଟ ଭଉଣୀ ସଞ୍ଜନା କାଶୀପୁର ସ୍ଥିତ ତାରାବତୀ ବାଳିକା ବିଦ୍ୟା ମନ୍ଦିରର ୧୦ମ ଶ୍ରେଣୀ ଛାତ୍ରୀ । ଉଭୟ ସଲ୍ଟ ବିଧାନସଭା, ଜନପଦ ଅଲ୍ମୋରାର ବାସିନ୍ଦା । ଅଙ୍କିତାଙ୍କୁ ନ୍ୟାୟ ମିଳିବାର ସମସ୍ତ ସାମ୍ବିଧାନିକ ପ୍ରଚେଷ୍ଟା ବିଫଳ ହେଉଥିବା ଦେଖି ଦୁଇ ଭଉଣୀ ବିରୋଧର ଏଭଳି ଏକ ମାର୍ଗ ଚୟନ କଲେ, ଯାହା ସମଗ୍ର ଅଞ୍ଚଳବାସୀଙ୍କୁ ଚକିତ କରିଛି ।
ଚିଠିରେ ଉଭୟ ସ୍ପଷ୍ଟ ଶବ୍ଦରେ ଲେଖିଛନ୍ତି, ଏହା କେବଳ ଅଙ୍କିତାଙ୍କ ହତ୍ୟା ମାମଲା ନୁହେଁ, ବରଂ ପୂରା ସମାଜର ଅନ୍ତରାତ୍ମାର ହତ୍ୟା । ଯେତେବେଳେ ପ୍ରମାଣ ନଷ୍ଟ ହେବା କଥା ସାମ୍ନାକୁ ଆସେ ଏବଂ ସାକ୍ଷୀଙ୍କ ଉପରେ ଚାପ ଆଶଙ୍କା ହୁଏ, ଯେତେବେଳେ ପ୍ରଭାବଶାଳୀ ଲୋକଙ୍କୁ ସୁରକ୍ଷା ମିଳିବାର ଅଭିଯୋଗ ହୁଏ, ତଥାପି ନ୍ୟାୟ ମିଳିବାରେ ଲଗାତାର ବିଳମ୍ବ ହେଲେ ଏହି ପ୍ରଶ୍ନ ସ୍ୱାଭାବିକ ଯେ ଆଇନ କ’ଣ ସମସ୍ତଙ୍କ ପାଇଁ ସମାନ? ଦୁଇ ଭଉଣୀ ସ୍ପଷ୍ଟ କହିଛନ୍ତି, ରକ୍ତରେ ଲେଖିଥିବା ଏହି ଚିଠି ସମ୍ବେଦନହୀନ ବ୍ୟବସ୍ଥା ବିରୋଧରେ ଅନ୍ତିମ ଚେତାବନୀ । ଅଙ୍କିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏହି ସଂଘର୍ଷ ଥମିବ ନାହିଁ । ଏହି ଚିଠି ସୋସିଆଲ ମିଡିଆଠୁ ଆରମ୍ଭ କରି ସାମାଜିକ ସଂଗଠନଗୁଡ଼ିକରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି । ମହିଳା ଅଧିକାର ସମୂହ, ସମାଜ ର୍କମୀ ଓ ସାଧାରଣ ନାଗରିକ ଏହାକୁ ନ୍ୟାୟ ପାଇଁ ଏପର୍ଯ୍ୟନ୍ତର ସବୁଠୁ ହୃଦୟ ବିଦାରକ ପ୍ରତୀକାତ୍ମକ ବିରୋଧ କହିଛନ୍ତି । ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ୧୯ ବର୍ଷୀୟା ଅଙ୍କିତା ଭଣ୍ଡାରୀ ଋଷିକେଶ ନିକଟରେ ଏକ ରିସର୍ଟରେ କାମ କରୁଥିଲେ । ସେପ୍ଟେମ୍ବର ୨୦୨୨ରେ ସେ ହଠାତ୍ ନିଖୋଜ ହୋଇଗଲେ । କିଛି ଦିନ ପରେ ତାଙ୍କ ଶବ ଚୀଲା ନାଳରେ ମିଳିଲା ।