୧୯୪୭ରେ ଦେଶ ସ୍ୱାଧୀନ ହେଲା ।  ସେଲୁଲାର ଜେଲ୍‌ର କଏଦୀମାନଙ୍କୁ  ମୁକ୍ତ କରି ଦିଆଗଲା । ରବି  ବର୍ମାର ଜେଜେବାପାଙ୍କ ସାଙ୍ଗଙ୍କର  ବାପା, ମାଆ, ଭାଇଭଉଣୀ କେହି  ବଞ୍ଚିନଥିଲେ । ସରକାର ଆଣ୍ଡାମାନରେ  ତାଙ୍କୁ ଖଣ୍ଡେ ଜମି ଦେଇଥିଲା । ସେ  ଚାଷ ଓ ବ୍ୟବସାୟ କରୁଥିଲେ ।  ୧୯୭୦ ମସିହାରେ ସେ ତାଙ୍କର  ସାଙ୍ଗ, ରବି ବର୍ମାର ଜେଜେବାପାଙ୍କୁ  ଆଣ୍ଡାମାନକୁ ଆଣିଥିଲେ ।

ପୋର୍ଟବ୍ଲେୟାରରେ ପହଞ୍ଚିଲା ବେଳକୁ  ସକାଳ ନଅଟା । ସକାଳେ ବର୍ଷା ହୋଇ ଛାଡ଼ି ଯାଇଥାଏ । ରାସ୍ତାର ଦୁଇପଟେ ଗଛବୃକ୍ଷ । ଏୟାରପୋର୍ଟରୁ ଆମେ ଯାଇଥିଲୁ ହୋଟେଲ ।  ସକାଳେ ପୋର୍ଟବ୍ଲେୟାର ସହର ସତେଜ, ସୁନ୍ଦର  ଦିଶୁଥାଏ । ଡ୍ରାଇଭରକୁ ପଚାରିଲି- ତୁମ ନାମ  କ’ଣ? ରବି ବର୍ମା- ସେ କହିଲା । ରବି ବର୍ମା ଏକ ପ୍ରସିଦ୍ଧ ନାମ । 

ରବି ବର୍ମା ଜଣେ  ଚିତ୍ରକରଙ୍କ ନାମ, ‘କର୍ଜ’ ଫିଲ୍ମର ନାୟକର ନାମ ମଧ୍ୟ ରବି ବର୍ମା । ମୁଁ କହିଲି । ମୁଁ ମଧ୍ୟ କମ୍‌ ନୁହେଁ । ଗୋଟିଏ ହିନ୍ଦୀ ଫିଲ୍ମର  ସଂଳାପ ଉଦ୍ଧାର କରି ସେ କହିଲା ଏବଂ ଆମକୁ ଚାହିଁ  ହସିଲା । ରବି ବର୍ମା ଜଣେ ମେକାନିକାଲ ଇଂଜିନିୟର ।  ସେ ଗୋଟିଏ ଡେଣ୍ଟାଲ କେୟାର ନିର୍ମାଣ ସଂସ୍ଥା  ଗଢ଼ିଛି । ସେରାମିକ, ପ୍ରୋସେଲିନ ବା ଷ୍ଟିଲର  ଦାନ୍ତ ତିଆରି କରେ । ତିନି ଜଣ ଲୋକ ରଖିଛି ।  ସେ ମଧ୍ୟ ଏକ ଟ୍ରାଭେଲ ଏଜେନ୍ସୀର  କୋଅର୍ଡିନେଟର ଅଛି । ନିଜର କାର୍‌  ଅଛି, ଆବଶ୍ୟକ ପଡ଼ିଲେ ନିଜ କାର୍‌  ଚଳେଇ ସେ ପର୍ଯ୍ୟଟକଙ୍କୁ ନେବା  ଆଣିବା କରେ । 

ରବି ବର୍ମାର ଜେଜେବାପା ଆସିଥିଲେ  ଆଣ୍ଡାମାନ । ତାର ଜେଜେବାପାଙ୍କ ସାଙ୍ଗ  ସେଲୁଲାର ଜେଲ୍‌ରେ କଏଦୀ ଥିଲେ ।  ସେ ଅସହଯୋଗ ଆନ୍ଦୋଳନରେ ଭାଗ ନେଇଥିଲେ ।  ୧୯୨୨ ମସିହାରେ ଚଉରିଚଉରା ଥାନାରେ  ଅସହଯୋଗୀମାନେ ନିଆଁ ଲଗାଇ ଦେଇଥିଲେ ।  ବାଇଶ ଜଣ ପୁଲିସଙ୍କର ମୃତ୍ୟୁ ଘଟିଲା । ସେହି  ଘଟଣାରେ ରବି ବର୍ମାର ଜେଜେବାପାଙ୍କ ସାଙ୍ଗକୁ  ଆଜୀବନ କାରାଦଣ୍ଡ ହୋଇଥିଲା ଏବଂ ତାଙ୍କୁ  ଆଣ୍ଡାମାନର ସେଲୁଲାର ଜେଲ୍‌କୁ ପଠେଇ  ଦିଆଯାଇଥିଲା । ୧୯୪୭ରେ ଦେଶ ସ୍ୱାଧୀନ ହେଲା ।  ସେଲୁଲାର ଜେଲ୍‌ର କଏଦୀମାନଙ୍କୁ ମୁକ୍ତ କରି  ଦିଆଗଲା । ରବି ବର୍ମାର ଜେଜେବାପାଙ୍କ ସାଙ୍ଗଙ୍କର  ବାପା, ମାଆ, ଭାଇଭଉଣୀ କେହି ବଞ୍ଚିନଥିଲେ ।  ସରକାର ଆଣ୍ଡାମାନରେ ତାଙ୍କୁ ଖଣ୍ଡେ ଜମି  ଦେଇଥିଲା । ସେ ଚାଷ ଓ ବ୍ୟବସାୟ କରୁଥିଲେ ।  ୧୯୭୦ ମସିହାରେ ସେ ତାଙ୍କର ସାଙ୍ଗ, ରବି ବର୍ମାର  ଜେଜେବାପାଙ୍କୁ ଆଣ୍ଡାମାନକୁ ଆଣିଥିଲେ । 

୧୯୫୭ ମସିହା ସିପାହୀ ବିଦ୍ରୋହ ପରେ  ଅପରାଧୀ ବା ବିଦ୍ରୋହୀମାନଙ୍କୁ ଆଣ୍ଡାମାନ ଦ୍ୱୀପରେ  ବନ୍ଦୀ କରାଯାଉଥିଲା । ସେଠୁ ଖସି ଆସିବାର  ସୁଯୋଗ ନଥିଲା । ଚାରିଆଡ଼େ ସମୁଦ୍ର, ଜେଲ୍‌ରୁ  ଖସିଲେ ସମୁଦ୍ରରେ ପ୍ରାଣ ଯିବ । ଇଂରେଜମାନେ  ୧୮୯୬ରୁ ୧୯୦୬ ମଧ୍ୟରେ ସେଲୁଲାର ଜେଲ୍‌  ନିର୍ମାଣ କରିଥିଲେ । ସେଲୁଲାର ଜେଲ୍‌ରେ ୬୯୭  ସେଲ୍‌ ବା କୋଠରି ଥିଲା । ସେଠି ଅପରାଧୀ ଏବଂ  ରାଜନୈତିକ ବନ୍ଦୀଙ୍କୁ ରଖାଯାଉଥିଲା । ଛୋଟ ଛୋଟ  ଘର, କୋଠରିର ପଛ କାନ୍ଥର ଉଚ୍ଚରେ ଜଳକବାଟୀ ।  ଆଗରେ ମୋଟା ଲୁହା ରଡ୍‌ର ଗେଟ୍‌ । ରାଜନୈତିକ  ବନ୍ଦୀଙ୍କୁ ଅକଥନୀୟ ଅତ୍ୟାଚାର କରାଯାଉଥିଲା । 

 ଦିନକୁ ମାତ୍ର ଦୁଇଥର ପାଣି ପିଇବାକୁ ଦିଆଯାଉଥିଲା ।  ସଂଜ ଛଅଟା ପରେ କୋଠରି ଭିତରେ ପୂରେଇ  ତାଲା ପକେଇ ଦଉଥିଲେ । ଝାଡ଼ା, ପରିସ୍ରା ଲାଗିଲେ  ଭିତରେ ଗୋଟିଏ ମାତ୍ର ମାଟିପାତ୍ର ଦଉଥିଲେ ।  ସେଥିରେ ଝାଡ଼ା ଯିବେ କିମ୍ବା ପରିସ୍ରା କରିବେ । ମଳ  ମୂତ୍ର ଗନ୍ଧରେ ରହିବାକୁ ପଡ଼ୁଥିଲା । ଅପମିଶ୍ରିତ  ଖାଦ୍ୟ ଖାଇବାକୁ ଦିଆଯାଉଥିଲା । ଲୁହାର ଘଣା  ପେଲି ନଡ଼ିଆ ତେଲ କିମ୍ବା ସୋରିଷ ତେଲ ବାହାର  କରିବାକୁ ବନ୍ଦୀଙ୍କୁ କୁହାଯାଉଥିଲା । ଗୋଟିଏ ବଳଦ  ଦିନକୁ ଯେତିକି ତେଲ ବାହାର କରିବ ସେତିକି  ଜଣକ ପିଛା ଲକ୍ଷ୍ୟଧାର୍ଯ୍ୟ କରାଯାଉଥିଲା । ତାହା  ସହିତ ଅନ୍ୟାନ୍ୟ ଶାରୀରିକ ପରିଶ୍ରମ କରିବାକୁ  ପଡ଼ୁଥିଲା । ଲକ୍ଷ୍ୟଧାର୍ଯ୍ୟ ନକରିପାରିଲେ ଅତ୍ୟାଚାର  କରାଯାଉଥିଲା । 

ଅପରାଧୀମାନେ ଦଶ ବାର ବର୍ଷ ଜେଲଦଣ୍ଡ  ଭୋଗିଲା ପରେ ରାଜନୈତିକ ବନ୍ଦୀଙ୍କୁ  ଶାସନ କରିବାକୁ ଦାୟିତ୍ୱ ଦିଆଯାଉଥିଲା ।  ହତ୍ୟା ଅଭିଯୋଗରେ ଦଣ୍ଡିତ କଏଦୀଙ୍କ  ଠାରୁ ରାଜନୈତିକ ବନ୍ଦୀଙ୍କୁ ଅଧିକ ନିର୍ଯାତନା  ଦିଆଯାଉଥିଲା । ନାଜି ଜର୍ମାନୀରେ ଇହୁଦୀମାନଙ୍କୁ  କନ୍‌ସେନ୍‌ଟ୍ରେସନ କ୍ୟାମ୍ପରେ ନିର୍ଯାତନା ଦେବା  ପରି ସେଲୁଲାର ଜେଲ୍‌ର ରାଜନୈତିକ ବନ୍ଦୀ ବା  ସ୍ୱାଧୀନତା ସଂଗ୍ରାମୀଙ୍କୁ ଇଂରେଜମାନେ ଅତ୍ୟାଚାର  କରୁଥିଲେ । ସେଲୁଲାର ଜେଲ୍‌ କିପରି ନିର୍ମାଣ  ହୋଇଛି, ଗୋଟିଏ ଧାଡ଼ିର ଘରର ଆଗକୁ ଅନ୍ୟ  ଧାଡ଼ିର ଘରର ପଛପଟ ରହିଛି । କଏଦୀମାନେ  ପରସ୍ପରକୁ ଜାଣିବାର ସୁଯୋଗ ନଥିଲା । ବୀର  ସଭରକର ଏବଂ ତାଙ୍କର ବଡ଼ଭାଇ ଗଣେଶ  ସଭରକର ସେଲୁଲାର ଜେଲରେ ଥିଲେ । ଦୁଇ  ବର୍ଷ ପର୍ଯ୍ୟନ୍ତ ଦୁହେଁ ଜାଣିପାରିନଥିଲେ । ନିର୍ମମ  ଅତ୍ୟାଚାରରେ ସ୍ୱାଧୀନତା ସଂଗ୍ରାମୀ ଇନ୍ଦୁଭୂଷଣ  ରାୟ ଆତ୍ମହତ୍ୟା କରିଥିଲେ, ଉଲ୍ଲସକର ଦତ୍ତ  ପାଗଳ ହୋଇଯାଇଥିଲେ । ଅନେକ କଏଦୀଙ୍କର  ମଧ୍ୟ ମୃତ୍ୟୁ ଘଟିଥିଲା । 

ଦେଶ ସ୍ୱାଧୀନ ହେଲାପରେ ସେଲୁଲାର  ଜେଲ୍‌ର କଏଦୀମାନଙ୍କୁ ମୁକ୍ତ କରିଦିଆଗଲା । ରବି  ବର୍ମାଙ୍କ ଜେଜେବାପାଙ୍କ ସାଙ୍ଗଙ୍କ ପରି ଅନେକଙ୍କର  ପିତାମାତା ଆତ୍ମୀୟସ୍ୱଜନ ଚାଲିଯାଇଥିଲେ ।  ସରକାର ସେମାନଙ୍କୁ ଆଣ୍ଡାମାନରେ ରହିବାକୁ ଜମି  ଦେଇଥିଲେ । ସେମାନେ ବସବାସ କରି ରହିଲେ ।  ଅନ୍ୟ ରାଜ୍ୟର କିଛି ଅଧିବାସୀ ସେଠି ବେପାର  ବଣିଜ କରିବାକୁ ରହିଛନ୍ତି । 

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ମୂଳ  ଅଧିବାସୀ ଜରୱା, ଅନ୍‌ଜ, ସେଣ୍ଟିନେଲ୍‌ସ,  ସୋମ୍ପେନ୍‌ସ ଆଦି ଆଦିବାସୀ । କିନ୍ତୁ ସଭ୍ୟତା ଓ  ଆଧୁନିକତା ଠାରୁ ସେମାନେ ବହୁ ଦୂରରେ, ଏବେ  ବି ଜଙ୍ଗଲରେ ବାସ କରନ୍ତି । କେନ୍ଦ୍ର ସରକାର ନିକଟ ଅତୀତରେ  ପୋର୍ଟବ୍ଲେୟାରର ନାମ ପରିବର୍ତ୍ତନ କରି  ଶ୍ରୀବିଜୟପୁରୀ ରଖିଛନ୍ତି । ପୂର୍ବରୁ ହାଭଲକ  ଆଇଲାଣ୍ଡ ନାମ ସ୍ୱରାଜ ଦ୍ୱୀପ ଏବଂ ନିଲ୍‌ ଆଇଲାଣ୍ଡର  ନାମ ସହିଦ ଦ୍ୱୀପକୁ ପରିବର୍ତ୍ତନ କରିଥିଲେ । 

ସହିଦ ଦ୍ୱୀପରେ ଟ୍ରାଭେଲ ଏଜେନ୍ସିର ପରିଚାଳକ  ମଂଜିତଙ୍କୁ ପଚାରିଲି- ପୋର୍ଟବ୍ଲେୟାରର ନାମ ଏବେ  ସରକାର ପରିବର୍ତ୍ତନ କରି ଶ୍ରୀବିଜୟପୁରୀ ରଖିଲେ ।  ତୁମର ମତାମତ କ’ଣ? ସେ କହିଲା- ନାମ  ପରିବର୍ତ୍ତନରୁ କ’ଣ ମିଳିବ? ଆମର ଭଲ ରାସ୍ତାଘାଟ  ଆବଶ୍ୟକ, ଅନ୍ୟାନ୍ୟ ସୁବିଧା ସୁଯୋଗ ଦରକାର ।  ପଚାରିଲି- ଏଠି ତୁମକୁ ମାଗଣା ଯୋଜନାରେ କ’ଣ  ମିଳୁଛି? ସେ କହିଲା- ଚାଉଳ, ଗହମ । କିନ୍ତୁ  ବହୁତ ବାଟମାରଣା ହୋଇଯାଏ । କାହାର ବା ସମୟ  ଅଛି ମାଗଣା ଚାଉଳ, ଗହମ କଥା ବୁଝିବାକୁ? 

ଆଣ୍ଡାମାନ ନିକୋବର କେନ୍ଦ୍ରଶାସିତ ଅଞ୍ଚଳ,  କେନ୍ଦ୍ର ଯୋଜନା ଅନ୍ତର୍ଗତ ସୁବିଧା ସେମାନେ ପାଆନ୍ତି ।  ଆମ ରାଜ୍ୟ ପରି ମାଆ ଗର୍ଭବତୀ ହେଲେ ମମତା  ଯୋଜନାରୁ ଜଣଙ୍କର ମୃତ୍ୟୁ ହେଲେ ହରିଶ୍ଚନ୍ଦ୍ର  ଯୋଜନାରେ ଆର୍ଥିକ ସହାୟତା ମିଳିବା ପର୍ଯ୍ୟନ୍ତ  ବ୍ୟବସ୍ଥା ସେଠି ନାହିଁ । 

ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଲା ପରେ  ମୁଁ ଗୋଟିଏ ଉବେର ଗାଡ଼ିରେ ଘରକୁ ଫେରୁଥିଲି ।  ଡ୍ରାଇଭର ସହିତ ଗପ କରୁଥିଲି । ଡ୍ରାଇଭର କହିଲାସେ ବାହାରେ ଚାକିରି କରୁଥିଲା, ତା’ ବାପାଙ୍କ ଦେହ  ଅସୁସ୍ଥ ହେବାରୁ ସେ ଚାକିରି ଛାଡ଼ି ଚାଲିଆସିଲା ।  ଏବେ ମାସକୁ ଖର୍ଚ୍ଚ ଯାଇ ହାରାହାରି ତିରିଶ ହଜାର  ଟଙ୍କା ମିଳୁଛି । ଏଠି ଗୋଟିଏ ଚାକିରି ହୋଇଛି । ସେ  ଉବେର ଗାଡ଼ି ଆଉ ଚଳେଇବ ନାହିଁ । 

ପଚାରିଲି- ଚାକିରି କଲେ କେତେ ଟଙ୍କା  ପାଇବ? ସେ କହିଲା- କୋଡ଼ିଏ ହଜାର ଟଙ୍କା ।  ମୁଁ କହିଲି- ଏବେ ତିରିଶ ହଜାର ଟଙ୍କା ପାଉଛ,  ବ୍ୟବସାୟରେ ଉନ୍ନତି କରିବାର ସୁଯୋଗ ଅଛି ।  ଭବିଷ୍ୟତରେ ବେପାର ବଢ଼େଇ ଅଧିକ ରୋଜଗାର  କରିପାରିବ । କୋଡ଼ିଏ ହଜାର ଟଙ୍କାରେ ଘରୋଇ  କଂପାନୀରେ ଚାକିରି କଲେ ଭବିଷ୍ୟତରେ କ’ଣ  ମିଳିବ? ସେ କହିଲା- ଗାଡ଼ି ଚଲେଇବା କଷ୍ଟ  କାମ । ଅଣ୍ଟା ଧରୁଛି । 

ଆଣ୍ଡାମାନର ମୁଣ୍ଡପିଛା ହାରାହାରି ବାର୍ଷିକ ଆୟ  ଦୁଇ ଲକ୍ଷ ଅଠାବନ ହଜାର ଟଙ୍କା, ଯାହା ହାରାହାରି  ଜାତୀୟ ମୁଣ୍ଡପିଛା ଆୟ ଦୁଇ ଲକ୍ଷ ବାର ହଜାର ଟଙ୍କା  ଠାରୁ ଅଧିକ । ଓଡ଼ିଶାର ମୁଣ୍ଡପିଛା ହାରାହାରି ବାର୍ଷିକ  ଆୟ ଏକ ଲକ୍ଷ ଏକଷଠି ହଜାର ଟଙ୍କା, ଜାତୀୟ  ମୁଣ୍ଡପିଛା ହାରାହାରି ଆୟ ଠାରୁ ଯଥେଷ୍ଟ କମ୍‌ । 

ମଂଜିତର ସମୟ ନାହିଁ ମାଗଣା ଚାଉଳ,  ଗହମ କଥା ବୁଝିବାକୁ । ରବି ବର୍ମା କହୁଥିଲା ତା’ ଡେଣ୍ଟାଲ କେୟାର ନିର୍ମାଣ ସଂସ୍ଥାରୁ ମାସକ ଆୟ ତିନି ଲକ୍ଷରୁ ଚାରି ଲକ୍ଷ ଟଙ୍କା । କର୍ମଚାରୀଙ୍କୁ  ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ପରେ ନିଜର ରୋଜଗାର  ଏକ ଲକ୍ଷ ଟଙ୍କା ପାଖାପାଖି ହେଉଥିବ । ତାଙ୍କ  ସହିତ ସେ ମଧ୍ୟ ଗୋଟିଏ ଟ୍ରାଭେଲ ଏଜେନ୍‌ସୀର  କୋଅର୍ଡିନେଟର କାମ କରେ । ଆମକୁ ତା’  କାର୍‌ରେ ସେ ଏୟାରପୋର୍ଟକୁ ଛାଡ଼ିଦେବାକୁ  ଆସିଥିଲା । କହିଲା- ସାର୍‌, ମୋ ଫୋନ୍‌ ରଖିଥାନ୍ତୁ ।  ଯେତେବେଳେ ଚାହିଁବେ ରାତି ହେଉ ବା ଦିନ,  ମତେ ଫୋନ୍‌ କରିପାରିବେ । ଆଉ କେବେ  ଆଣ୍ଡାମାନ ଆସିଲେ ମତେ ଖବର ଦେବେ ।