୧୯୪୭ରେ ଦେଶ ସ୍ୱାଧୀନ ହେଲା । ସେଲୁଲାର ଜେଲ୍ର କଏଦୀମାନଙ୍କୁ ମୁକ୍ତ କରି ଦିଆଗଲା । ରବି ବର୍ମାର ଜେଜେବାପାଙ୍କ ସାଙ୍ଗଙ୍କର ବାପା, ମାଆ, ଭାଇଭଉଣୀ କେହି ବଞ୍ଚିନଥିଲେ । ସରକାର ଆଣ୍ଡାମାନରେ ତାଙ୍କୁ ଖଣ୍ଡେ ଜମି ଦେଇଥିଲା । ସେ ଚାଷ ଓ ବ୍ୟବସାୟ କରୁଥିଲେ । ୧୯୭୦ ମସିହାରେ ସେ ତାଙ୍କର ସାଙ୍ଗ, ରବି ବର୍ମାର ଜେଜେବାପାଙ୍କୁ ଆଣ୍ଡାମାନକୁ ଆଣିଥିଲେ ।

ପୋର୍ଟବ୍ଲେୟାରରେ ପହଞ୍ଚିଲା ବେଳକୁ ସକାଳ ନଅଟା । ସକାଳେ ବର୍ଷା ହୋଇ ଛାଡ଼ି ଯାଇଥାଏ । ରାସ୍ତାର ଦୁଇପଟେ ଗଛବୃକ୍ଷ । ଏୟାରପୋର୍ଟରୁ ଆମେ ଯାଇଥିଲୁ ହୋଟେଲ । ସକାଳେ ପୋର୍ଟବ୍ଲେୟାର ସହର ସତେଜ, ସୁନ୍ଦର ଦିଶୁଥାଏ । ଡ୍ରାଇଭରକୁ ପଚାରିଲି- ତୁମ ନାମ କ’ଣ? ରବି ବର୍ମା- ସେ କହିଲା । ରବି ବର୍ମା ଏକ ପ୍ରସିଦ୍ଧ ନାମ ।
ରବି ବର୍ମା ଜଣେ ଚିତ୍ରକରଙ୍କ ନାମ, ‘କର୍ଜ’ ଫିଲ୍ମର ନାୟକର ନାମ ମଧ୍ୟ ରବି ବର୍ମା । ମୁଁ କହିଲି । ମୁଁ ମଧ୍ୟ କମ୍ ନୁହେଁ । ଗୋଟିଏ ହିନ୍ଦୀ ଫିଲ୍ମର ସଂଳାପ ଉଦ୍ଧାର କରି ସେ କହିଲା ଏବଂ ଆମକୁ ଚାହିଁ ହସିଲା । ରବି ବର୍ମା ଜଣେ ମେକାନିକାଲ ଇଂଜିନିୟର । ସେ ଗୋଟିଏ ଡେଣ୍ଟାଲ କେୟାର ନିର୍ମାଣ ସଂସ୍ଥା ଗଢ଼ିଛି । ସେରାମିକ, ପ୍ରୋସେଲିନ ବା ଷ୍ଟିଲର ଦାନ୍ତ ତିଆରି କରେ । ତିନି ଜଣ ଲୋକ ରଖିଛି । ସେ ମଧ୍ୟ ଏକ ଟ୍ରାଭେଲ ଏଜେନ୍ସୀର କୋଅର୍ଡିନେଟର ଅଛି । ନିଜର କାର୍ ଅଛି, ଆବଶ୍ୟକ ପଡ଼ିଲେ ନିଜ କାର୍ ଚଳେଇ ସେ ପର୍ଯ୍ୟଟକଙ୍କୁ ନେବା ଆଣିବା କରେ ।
ରବି ବର୍ମାର ଜେଜେବାପା ଆସିଥିଲେ ଆଣ୍ଡାମାନ । ତାର ଜେଜେବାପାଙ୍କ ସାଙ୍ଗ ସେଲୁଲାର ଜେଲ୍ରେ କଏଦୀ ଥିଲେ । ସେ ଅସହଯୋଗ ଆନ୍ଦୋଳନରେ ଭାଗ ନେଇଥିଲେ । ୧୯୨୨ ମସିହାରେ ଚଉରିଚଉରା ଥାନାରେ ଅସହଯୋଗୀମାନେ ନିଆଁ ଲଗାଇ ଦେଇଥିଲେ । ବାଇଶ ଜଣ ପୁଲିସଙ୍କର ମୃତ୍ୟୁ ଘଟିଲା । ସେହି ଘଟଣାରେ ରବି ବର୍ମାର ଜେଜେବାପାଙ୍କ ସାଙ୍ଗକୁ ଆଜୀବନ କାରାଦଣ୍ଡ ହୋଇଥିଲା ଏବଂ ତାଙ୍କୁ ଆଣ୍ଡାମାନର ସେଲୁଲାର ଜେଲ୍କୁ ପଠେଇ ଦିଆଯାଇଥିଲା । ୧୯୪୭ରେ ଦେଶ ସ୍ୱାଧୀନ ହେଲା । ସେଲୁଲାର ଜେଲ୍ର କଏଦୀମାନଙ୍କୁ ମୁକ୍ତ କରି ଦିଆଗଲା । ରବି ବର୍ମାର ଜେଜେବାପାଙ୍କ ସାଙ୍ଗଙ୍କର ବାପା, ମାଆ, ଭାଇଭଉଣୀ କେହି ବଞ୍ଚିନଥିଲେ । ସରକାର ଆଣ୍ଡାମାନରେ ତାଙ୍କୁ ଖଣ୍ଡେ ଜମି ଦେଇଥିଲା । ସେ ଚାଷ ଓ ବ୍ୟବସାୟ କରୁଥିଲେ । ୧୯୭୦ ମସିହାରେ ସେ ତାଙ୍କର ସାଙ୍ଗ, ରବି ବର୍ମାର ଜେଜେବାପାଙ୍କୁ ଆଣ୍ଡାମାନକୁ ଆଣିଥିଲେ ।
୧୯୫୭ ମସିହା ସିପାହୀ ବିଦ୍ରୋହ ପରେ ଅପରାଧୀ ବା ବିଦ୍ରୋହୀମାନଙ୍କୁ ଆଣ୍ଡାମାନ ଦ୍ୱୀପରେ ବନ୍ଦୀ କରାଯାଉଥିଲା । ସେଠୁ ଖସି ଆସିବାର ସୁଯୋଗ ନଥିଲା । ଚାରିଆଡ଼େ ସମୁଦ୍ର, ଜେଲ୍ରୁ ଖସିଲେ ସମୁଦ୍ରରେ ପ୍ରାଣ ଯିବ । ଇଂରେଜମାନେ ୧୮୯୬ରୁ ୧୯୦୬ ମଧ୍ୟରେ ସେଲୁଲାର ଜେଲ୍ ନିର୍ମାଣ କରିଥିଲେ । ସେଲୁଲାର ଜେଲ୍ରେ ୬୯୭ ସେଲ୍ ବା କୋଠରି ଥିଲା । ସେଠି ଅପରାଧୀ ଏବଂ ରାଜନୈତିକ ବନ୍ଦୀଙ୍କୁ ରଖାଯାଉଥିଲା । ଛୋଟ ଛୋଟ ଘର, କୋଠରିର ପଛ କାନ୍ଥର ଉଚ୍ଚରେ ଜଳକବାଟୀ । ଆଗରେ ମୋଟା ଲୁହା ରଡ୍ର ଗେଟ୍ । ରାଜନୈତିକ ବନ୍ଦୀଙ୍କୁ ଅକଥନୀୟ ଅତ୍ୟାଚାର କରାଯାଉଥିଲା ।
ଦିନକୁ ମାତ୍ର ଦୁଇଥର ପାଣି ପିଇବାକୁ ଦିଆଯାଉଥିଲା । ସଂଜ ଛଅଟା ପରେ କୋଠରି ଭିତରେ ପୂରେଇ ତାଲା ପକେଇ ଦଉଥିଲେ । ଝାଡ଼ା, ପରିସ୍ରା ଲାଗିଲେ ଭିତରେ ଗୋଟିଏ ମାତ୍ର ମାଟିପାତ୍ର ଦଉଥିଲେ । ସେଥିରେ ଝାଡ଼ା ଯିବେ କିମ୍ବା ପରିସ୍ରା କରିବେ । ମଳ ମୂତ୍ର ଗନ୍ଧରେ ରହିବାକୁ ପଡ଼ୁଥିଲା । ଅପମିଶ୍ରିତ ଖାଦ୍ୟ ଖାଇବାକୁ ଦିଆଯାଉଥିଲା । ଲୁହାର ଘଣା ପେଲି ନଡ଼ିଆ ତେଲ କିମ୍ବା ସୋରିଷ ତେଲ ବାହାର କରିବାକୁ ବନ୍ଦୀଙ୍କୁ କୁହାଯାଉଥିଲା । ଗୋଟିଏ ବଳଦ ଦିନକୁ ଯେତିକି ତେଲ ବାହାର କରିବ ସେତିକି ଜଣକ ପିଛା ଲକ୍ଷ୍ୟଧାର୍ଯ୍ୟ କରାଯାଉଥିଲା । ତାହା ସହିତ ଅନ୍ୟାନ୍ୟ ଶାରୀରିକ ପରିଶ୍ରମ କରିବାକୁ ପଡ଼ୁଥିଲା । ଲକ୍ଷ୍ୟଧାର୍ଯ୍ୟ ନକରିପାରିଲେ ଅତ୍ୟାଚାର କରାଯାଉଥିଲା ।
ଅପରାଧୀମାନେ ଦଶ ବାର ବର୍ଷ ଜେଲଦଣ୍ଡ ଭୋଗିଲା ପରେ ରାଜନୈତିକ ବନ୍ଦୀଙ୍କୁ ଶାସନ କରିବାକୁ ଦାୟିତ୍ୱ ଦିଆଯାଉଥିଲା । ହତ୍ୟା ଅଭିଯୋଗରେ ଦଣ୍ଡିତ କଏଦୀଙ୍କ ଠାରୁ ରାଜନୈତିକ ବନ୍ଦୀଙ୍କୁ ଅଧିକ ନିର୍ଯାତନା ଦିଆଯାଉଥିଲା । ନାଜି ଜର୍ମାନୀରେ ଇହୁଦୀମାନଙ୍କୁ କନ୍ସେନ୍ଟ୍ରେସନ କ୍ୟାମ୍ପରେ ନିର୍ଯାତନା ଦେବା ପରି ସେଲୁଲାର ଜେଲ୍ର ରାଜନୈତିକ ବନ୍ଦୀ ବା ସ୍ୱାଧୀନତା ସଂଗ୍ରାମୀଙ୍କୁ ଇଂରେଜମାନେ ଅତ୍ୟାଚାର କରୁଥିଲେ । ସେଲୁଲାର ଜେଲ୍ କିପରି ନିର୍ମାଣ ହୋଇଛି, ଗୋଟିଏ ଧାଡ଼ିର ଘରର ଆଗକୁ ଅନ୍ୟ ଧାଡ଼ିର ଘରର ପଛପଟ ରହିଛି । କଏଦୀମାନେ ପରସ୍ପରକୁ ଜାଣିବାର ସୁଯୋଗ ନଥିଲା । ବୀର ସଭରକର ଏବଂ ତାଙ୍କର ବଡ଼ଭାଇ ଗଣେଶ ସଭରକର ସେଲୁଲାର ଜେଲରେ ଥିଲେ । ଦୁଇ ବର୍ଷ ପର୍ଯ୍ୟନ୍ତ ଦୁହେଁ ଜାଣିପାରିନଥିଲେ । ନିର୍ମମ ଅତ୍ୟାଚାରରେ ସ୍ୱାଧୀନତା ସଂଗ୍ରାମୀ ଇନ୍ଦୁଭୂଷଣ ରାୟ ଆତ୍ମହତ୍ୟା କରିଥିଲେ, ଉଲ୍ଲସକର ଦତ୍ତ ପାଗଳ ହୋଇଯାଇଥିଲେ । ଅନେକ କଏଦୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।
ଦେଶ ସ୍ୱାଧୀନ ହେଲାପରେ ସେଲୁଲାର ଜେଲ୍ର କଏଦୀମାନଙ୍କୁ ମୁକ୍ତ କରିଦିଆଗଲା । ରବି ବର୍ମାଙ୍କ ଜେଜେବାପାଙ୍କ ସାଙ୍ଗଙ୍କ ପରି ଅନେକଙ୍କର ପିତାମାତା ଆତ୍ମୀୟସ୍ୱଜନ ଚାଲିଯାଇଥିଲେ । ସରକାର ସେମାନଙ୍କୁ ଆଣ୍ଡାମାନରେ ରହିବାକୁ ଜମି ଦେଇଥିଲେ । ସେମାନେ ବସବାସ କରି ରହିଲେ । ଅନ୍ୟ ରାଜ୍ୟର କିଛି ଅଧିବାସୀ ସେଠି ବେପାର ବଣିଜ କରିବାକୁ ରହିଛନ୍ତି ।
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ମୂଳ ଅଧିବାସୀ ଜରୱା, ଅନ୍ଜ, ସେଣ୍ଟିନେଲ୍ସ, ସୋମ୍ପେନ୍ସ ଆଦି ଆଦିବାସୀ । କିନ୍ତୁ ସଭ୍ୟତା ଓ ଆଧୁନିକତା ଠାରୁ ସେମାନେ ବହୁ ଦୂରରେ, ଏବେ ବି ଜଙ୍ଗଲରେ ବାସ କରନ୍ତି । କେନ୍ଦ୍ର ସରକାର ନିକଟ ଅତୀତରେ ପୋର୍ଟବ୍ଲେୟାରର ନାମ ପରିବର୍ତ୍ତନ କରି ଶ୍ରୀବିଜୟପୁରୀ ରଖିଛନ୍ତି । ପୂର୍ବରୁ ହାଭଲକ ଆଇଲାଣ୍ଡ ନାମ ସ୍ୱରାଜ ଦ୍ୱୀପ ଏବଂ ନିଲ୍ ଆଇଲାଣ୍ଡର ନାମ ସହିଦ ଦ୍ୱୀପକୁ ପରିବର୍ତ୍ତନ କରିଥିଲେ ।
ସହିଦ ଦ୍ୱୀପରେ ଟ୍ରାଭେଲ ଏଜେନ୍ସିର ପରିଚାଳକ ମଂଜିତଙ୍କୁ ପଚାରିଲି- ପୋର୍ଟବ୍ଲେୟାରର ନାମ ଏବେ ସରକାର ପରିବର୍ତ୍ତନ କରି ଶ୍ରୀବିଜୟପୁରୀ ରଖିଲେ । ତୁମର ମତାମତ କ’ଣ? ସେ କହିଲା- ନାମ ପରିବର୍ତ୍ତନରୁ କ’ଣ ମିଳିବ? ଆମର ଭଲ ରାସ୍ତାଘାଟ ଆବଶ୍ୟକ, ଅନ୍ୟାନ୍ୟ ସୁବିଧା ସୁଯୋଗ ଦରକାର । ପଚାରିଲି- ଏଠି ତୁମକୁ ମାଗଣା ଯୋଜନାରେ କ’ଣ ମିଳୁଛି? ସେ କହିଲା- ଚାଉଳ, ଗହମ । କିନ୍ତୁ ବହୁତ ବାଟମାରଣା ହୋଇଯାଏ । କାହାର ବା ସମୟ ଅଛି ମାଗଣା ଚାଉଳ, ଗହମ କଥା ବୁଝିବାକୁ?
ଆଣ୍ଡାମାନ ନିକୋବର କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ର ଯୋଜନା ଅନ୍ତର୍ଗତ ସୁବିଧା ସେମାନେ ପାଆନ୍ତି । ଆମ ରାଜ୍ୟ ପରି ମାଆ ଗର୍ଭବତୀ ହେଲେ ମମତା ଯୋଜନାରୁ ଜଣଙ୍କର ମୃତ୍ୟୁ ହେଲେ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ମିଳିବା ପର୍ଯ୍ୟନ୍ତ ବ୍ୟବସ୍ଥା ସେଠି ନାହିଁ ।
ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଲା ପରେ ମୁଁ ଗୋଟିଏ ଉବେର ଗାଡ଼ିରେ ଘରକୁ ଫେରୁଥିଲି । ଡ୍ରାଇଭର ସହିତ ଗପ କରୁଥିଲି । ଡ୍ରାଇଭର କହିଲାସେ ବାହାରେ ଚାକିରି କରୁଥିଲା, ତା’ ବାପାଙ୍କ ଦେହ ଅସୁସ୍ଥ ହେବାରୁ ସେ ଚାକିରି ଛାଡ଼ି ଚାଲିଆସିଲା । ଏବେ ମାସକୁ ଖର୍ଚ୍ଚ ଯାଇ ହାରାହାରି ତିରିଶ ହଜାର ଟଙ୍କା ମିଳୁଛି । ଏଠି ଗୋଟିଏ ଚାକିରି ହୋଇଛି । ସେ ଉବେର ଗାଡ଼ି ଆଉ ଚଳେଇବ ନାହିଁ ।
ପଚାରିଲି- ଚାକିରି କଲେ କେତେ ଟଙ୍କା ପାଇବ? ସେ କହିଲା- କୋଡ଼ିଏ ହଜାର ଟଙ୍କା । ମୁଁ କହିଲି- ଏବେ ତିରିଶ ହଜାର ଟଙ୍କା ପାଉଛ, ବ୍ୟବସାୟରେ ଉନ୍ନତି କରିବାର ସୁଯୋଗ ଅଛି । ଭବିଷ୍ୟତରେ ବେପାର ବଢ଼େଇ ଅଧିକ ରୋଜଗାର କରିପାରିବ । କୋଡ଼ିଏ ହଜାର ଟଙ୍କାରେ ଘରୋଇ କଂପାନୀରେ ଚାକିରି କଲେ ଭବିଷ୍ୟତରେ କ’ଣ ମିଳିବ? ସେ କହିଲା- ଗାଡ଼ି ଚଲେଇବା କଷ୍ଟ କାମ । ଅଣ୍ଟା ଧରୁଛି ।
ଆଣ୍ଡାମାନର ମୁଣ୍ଡପିଛା ହାରାହାରି ବାର୍ଷିକ ଆୟ ଦୁଇ ଲକ୍ଷ ଅଠାବନ ହଜାର ଟଙ୍କା, ଯାହା ହାରାହାରି ଜାତୀୟ ମୁଣ୍ଡପିଛା ଆୟ ଦୁଇ ଲକ୍ଷ ବାର ହଜାର ଟଙ୍କା ଠାରୁ ଅଧିକ । ଓଡ଼ିଶାର ମୁଣ୍ଡପିଛା ହାରାହାରି ବାର୍ଷିକ ଆୟ ଏକ ଲକ୍ଷ ଏକଷଠି ହଜାର ଟଙ୍କା, ଜାତୀୟ ମୁଣ୍ଡପିଛା ହାରାହାରି ଆୟ ଠାରୁ ଯଥେଷ୍ଟ କମ୍ ।
ମଂଜିତର ସମୟ ନାହିଁ ମାଗଣା ଚାଉଳ, ଗହମ କଥା ବୁଝିବାକୁ । ରବି ବର୍ମା କହୁଥିଲା ତା’ ଡେଣ୍ଟାଲ କେୟାର ନିର୍ମାଣ ସଂସ୍ଥାରୁ ମାସକ ଆୟ ତିନି ଲକ୍ଷରୁ ଚାରି ଲକ୍ଷ ଟଙ୍କା । କର୍ମଚାରୀଙ୍କୁ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ପରେ ନିଜର ରୋଜଗାର ଏକ ଲକ୍ଷ ଟଙ୍କା ପାଖାପାଖି ହେଉଥିବ । ତାଙ୍କ ସହିତ ସେ ମଧ୍ୟ ଗୋଟିଏ ଟ୍ରାଭେଲ ଏଜେନ୍ସୀର କୋଅର୍ଡିନେଟର କାମ କରେ । ଆମକୁ ତା’ କାର୍ରେ ସେ ଏୟାରପୋର୍ଟକୁ ଛାଡ଼ିଦେବାକୁ ଆସିଥିଲା । କହିଲା- ସାର୍, ମୋ ଫୋନ୍ ରଖିଥାନ୍ତୁ । ଯେତେବେଳେ ଚାହିଁବେ ରାତି ହେଉ ବା ଦିନ, ମତେ ଫୋନ୍ କରିପାରିବେ । ଆଉ କେବେ ଆଣ୍ଡାମାନ ଆସିଲେ ମତେ ଖବର ଦେବେ ।