ରାଉରକେଲା,୨୩/୦୩: ସରଣ୍ଡାରେ ଲୁଚିଛନ୍ତି ୪୯ ନକ୍ସଲ । ସେମାନଙ୍କୁ ଠାବ କରିବା ଲାଗି ଓଡ଼ିଶା ସୀମାନ୍ତରେ ଉଡ଼ିଛି ଡ୍ରୋନ୍ । ନକ୍ସଲମାନେ ଆତ୍ମସମର୍ପଣ ନ କଲେ ସେମାନଙ୍କୁ ଦମନ କରିବା ପାଇଁ ଶେଷ ଲଢ଼େଇ ଆରମ୍ଭ ହୋଇଥିବା ବେଳେ ଝାଡ଼ଖଣ୍ଡ ପଟୁ ଚାଲିଛି ଜୋରଦାର ଅପରେସନ । ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ସମୟସୀମା ମାର୍ଚ୍ଚ ୩୧ ସରିବାକୁ ଆଉ ମାତ୍ର ୯ ଦିନ ବାକି ରହିଛି । ତେଣୁ ଉଭୟ ଓଡ଼ିଶା ଏବଂ ଝାଡ଼ଖଣ୍ଡ ପଟୁ ଅପରେସନକୁ ଆହୁରି ଜୋରଦାର କରାଯାଇଛି । ଓଡ଼ିଶା ସୀମାବର୍ତ୍ତୀ ସୁନ୍ଦରଗଡ଼ ଜିଲ୍ଲାର କେ.ବଲାଙ୍ଗ ପୁଲିସ୍ ପକ୍ଷରୁ ରବିବାର ଦିନ ମାଓବାଦୀଙ୍କ ଠାବ କରିବା ପାଇଁ ଡ୍ରୋନ୍ର ସହାୟତା ନିଆଯାଇଥିଲା। ରେଲହାତୁ, ଲଙ୍ଗଳକଡ଼ା, ବାଙ୍କୋ ଆଦି ଅଞ୍ଚଳରେ ଓଡ଼ିଶା ପୁଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନା ମୁତାବକ, ମାଓ ନେତା ମିଶିର ବେସ୍ରା ଓ ଅସୀମ ମଣ୍ଡଳଙ୍କ ଉପରେ ଏକ କୋଟି ଟଙ୍କା ଲେଖାଏ ପୁରସ୍କାର ରାଶି ରହିଥିବା ବେଳେ ବ୍ରଜେଶ ଗଞ୍ଜୁ ଓ ଅଜୟ ମାହାତୋ ମୁଣ୍ଡ ଉପରେ ରହିଛି ୨୫ ଲକ୍ଷ ଟଙ୍କା ଲେଖାଏ ରାଶି । ସେହିପରି ମେଚ୍ଛୁ ଓରଫ ମେହନତ, ମଦନ ମାହାତୋ, ସଞ୍ଜୟ ମାହାତୋ, ରାମ ପ୍ରସାଦ ମାରାଣ୍ଡି, ନିତେଶ ଯାଦବ, ରବୀନ୍ଦ୍ର ଗଞ୍ଜୁ, ବେଲା ସରକାର ଓ ସହଦେବ ମାହାତୋଙ୍କ ଉପରେ ୧୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ରହିଥିବା ବେଳେ ୮ ଜଣଙ୍କ ନାମରେ ୧୦ ଲକ୍ଷ, ୧୭ ଜଣଙ୍କ ନାମରେ ୫ ଲକ୍ଷ ୪ ଜଣଙ୍କ ନାମରେ ୨ ଲକ୍ଷ ଓ ୬ ଜଣଙ୍କ ନାଁରେ ୧ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଝାଡ଼ଖଣ୍ଡ ସରକାର ଘୋଷଣା କରି ସାରିଛନ୍ତି । ଏମାନେ ସମସ୍ତେ ସରଣ୍ଡା ଜଙ୍ଗଲରେ ଲୁଚି ରହିଛନ୍ତି । ତେବେ ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ଠାବ କରିବା ଝାଡ଼ଖଣ୍ଡ ପଟୁ ସିଆରପିଏଫ୍, କୋବ୍ରା, ଝାଡ଼ଖଣ୍ଡ ଜାଗୁଆର ଓ ଚାଇଁବସା ପୁଲିସ୍ ମିଳିତ ଭାବେ ଅପରେସନ ଚଳାଇଛନ୍ତି । ଯବାନମାନେ ଘଞ୍ଚ ଜଙ୍ଗଲ ଭିତରେ ଅସ୍ଥାୟୀ କ୍ୟାମ୍ପ୍ କରି ମାଓବାଦୀଙ୍କ ଯୋଗାଯୋଗକୁ ବିଚ୍ଛିନ୍ନ କରି ଦେଇଛନ୍ତି । ସେମାନଙ୍କ ପାଖରେ ଯେପରି ଅସ୍ତ୍ରଶସ୍ତ୍ର, ଖାଦ୍ୟ ସାମଗ୍ରୀ ପହଞ୍ଚି ପାରିବ ନାହିଁ ସେ ନେଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ଜଗି ରହିଛନ୍ତି ଯବାନ ।
ଅଧିକ ପଢ଼ନ୍ତୁ :- କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ସଙ୍କଟ, ୮ ଗୁଣା ବଢିଗଲା କୋଇଲା ଦର, କାଠ ୬ ଖଣ୍ଡକୁ ୩୨୦ ଟଙ୍କା
ଓଡ଼ିଶା ସୀମାନ୍ତରେ ସଜାଗ ରହିଛନ୍ତି ଯବାନ । ଡ୍ରୋନ୍ ସହାୟତାରେ ମାଓବାଦୀଙ୍କୁ ଠାବ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଉଭୟ ରାଜ୍ୟର ପୁଲିସ୍ ପରସ୍ପର ଭିତରେ ସମନ୍ୱୟ ରଖି ଅପରେସନ ଚଳାଇଛନ୍ତି । ମାଓବାଦୀମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଉଭୟ ରାଜ୍ୟର ପୁଲିସ୍ ପକ୍ଷରୁ କୁହାଯାଇଛି । ଯଦି ସେମାନେ ଆତ୍ମସମର୍ପଣ ନ କରନ୍ତି ତା’ ହେଲେ ସେମାନଙ୍କୁ ଦମନ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି ।