ରାଉରକେଲା, ୨୩/୦୩ : ୧୫ ଦିନ ତଳେ କୋଇଲା କେଜି ପିଛା ୩ରୁ ୫ ଟଙ୍କାରେ ମିଳୁଥିଲା । ହଠାତ୍‌ ୮ ଗୁଣା ବଢ଼ି ୪୦ ଟଙ୍କାରେ ପହଞ୍ଚିଛି । କାଠ ବି ଅମୂଲ ମୂଲ ହେଲାଣି । ୬ ଖଣ୍ଡ କାଠ ଥିବା ବିଡ଼ା ୩୨୦ରୁ ୩୪୦ ଟଙ୍କାରେ ବିକ୍ରି ହେଉଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ବ୍ୟାବସାୟିକ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ସଙ୍କଟ ଦେଖାଦେଇଥିବାବେଳେ ଏଥିରେ ହୋଟେଲ ଶିଳ୍ପ ପ୍ରଭାବିତ ହୋଇଛି । ହେଟେଲ୍‌, ରେଷ୍ଟୁରାଣ୍ଟ, ଢାବା ମାଲିକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଅଧିକାଂଶ ହୋଟେଲରେ ଆଇଟମ୍‌ କମିଗଲାଣି । ଠେଲା ଏବଂ ଚା’ ଦୋକାନୀ ଭଳି କ୍ଷୁଦ୍ର ବ୍ୟବସାୟୀମାନେ ବ୍ୟବସାୟ ବନ୍ଦ କରିବାକୁ ଚିନ୍ତା କଲେଣି । ମଧ୍ୟପ୍ରାଚ୍ୟ ଯୁଦ୍ଧ ରାଉରକେଲାର ହୋଟେଲ ଶିଳ୍ପକୁ ଦୋହଲାଇ ଦେଲାଣି । 

କାଠ ୬ ଖଣ୍ଡକୁ ୩୨୦ ଟଙ୍କା

କମର୍ସିଆଲ୍‌ ସିଲିଣ୍ଡର ମିଳୁ ନ ଥିବାରୁ ଖାଦ୍ୟ ପ୍ରସ୍ତୁତି କରିବା ନେଇ ମାଲିକମାନେ ସଂଘର୍ଷ କରୁଛନ୍ତି । ଜଣେ ହୋଟେଲ ମାଲିକଙ୍କ କହିବା କଥା, ୧୫ଦିନ ତଳେ ସବୁକିଛି ସ୍ୱାଭାବିକ ଥିଲା । ସୁବିଧାରେ ଗ୍ୟାସ ସିଲିଣ୍ଡର ମିଳି ଯାଉଥିଲା । ଗ୍ରାହକଙ୍କୁ ସେମାନଙ୍କ ଇଛା ମୁତାବକ ଖାଦ୍ୟ ଯୋଗାଇ ଦେବାରେ କୌଣସି ଅସୁବିଧା ହେଉ ନ ଥିଲା । ମାତ୍ର ଏବେ ତାହା ହେଉନାହିଁ । ଗ୍ୟାସ୍‌ ସିଲିଣ୍ଡର ମିଳୁ ନ ଥିବାରୁ ସବୁ ପ୍ରକାର ଆଇଟମ୍‌ କରିହେଉନି । ଗ୍ରାହକଙ୍କୁ ସେମାନଙ୍କର ମନ ପସନ୍ଦର ଖାଦ୍ୟ ଦେଇ ହେଉନାହିଁ । ଗ୍ରାହକ ଫେରିଯାଉଛନ୍ତି । ପୂର୍ବରୁ କିଲୋ ପ୍ରତି ୩ରୁ ୫ ଟଙ୍କାରେ କୋଇଲା ମିଳୁଥିଲା । ବର୍ତ୍ତମାନ ତାହା ୮ ଗୁଣା ବୃଦ୍ଧି ପାଇଛି । ୪୦ କେଜି ବିଶିଷ୍ଟ କୋଇଲା ବସ୍ତା ୧୬୦୦ ଟଙ୍କାରେ ପହଞ୍ଚିଛି । ଗୋଟିଏ ବସ୍ତା କୋଇଲା ୩ରୁ ୪ ଦିନ ଯିବ । ସେହିପରି ୬ ଖଣ୍ଡ କାଠ ଥିବା ଏକ ବିଡ଼ା ୩୨୦ ଟଙ୍କାରେ ବିକ୍ରି ହେଉଛି । ଏତେ ଟଙ୍କା ଦେଇ କାଠ କିମ୍ବା କୋଇଲା ଆଣି ବେପାର କଲେ ପ୍ରବଳ କ୍ଷତି ହେବ । ଦୋକାନ ବନ୍ଦ କରିଦେବା ବଡ଼ କଥା ନୁହେଁ । କିନ୍ତୁ ଥରେ ଗ୍ରାହକ ମୁହଁ ମୋଡ଼ିଦେଲେ ଆଉଥରେ ଫେରିବା କଷ୍ଟକର । ତେଣୁ ବାଧ୍ୟ ହୋଇ ଦୋକାନ ଖୋଲିବାକୁ ପଡୁଛି । 

ହୋଟେଲ, ଜଳଖିଆ ଦୋକାନୀ କମାଇଲେଣି ଆଇଟମ୍‌

ଅନ୍ୟ କେତେଜଣ ହୋଟେଲ ମାଲିକଙ୍କ କହିବା କଥା, ଜାଳେଣି ସମସ୍ୟାରୁ ଖାଦ୍ୟପଦାର୍ଥ ଦାମ ବଢ଼ାଇବାକୁ ବାଧ୍ୟ ହୋଇଛୁ । ପୂର୍ବରୁ ଚିକେନ୍ ପ୍ଲେଟ୍‌ ୧୫୦ରୁ ୧୮୦ ଟଙ୍କାରେ ବିକ୍ରି କରୁଥିଲୁ । ବର୍ତ୍ତମାନ ତାହା ୨୨୦ରୁ ୨୪୦ ଟଙ୍କା କରାଯାଇଛି । ୨୦ ଟଙ୍କାରେ ମିଳୁଥିବା ଖଣ୍ଡେ ମାଛ ଭଜା ୩୦ ଟଙ୍କା କରିବାକୁ ବାଧ୍ୟ ହେଉଛୁ । ଗ୍ରାହକମାନେ ଏତେ ଟଙ୍କା ଦେଇ ଖାଇବାକୁ ରାଜି ହେଉନାହାନ୍ତି । ଦାମ୍‌ ପଚାରିଦେଇ ଅନେକ ପଳାଉଛନ୍ତି । କର୍ମଚାରୀଙ୍କୁ ଦରମା ଦେବା ମଧ୍ୟ କଷ୍ଟକର ହୋଇ ପଡ଼ୁଛି ବୋଲି ଆଉ କେତେକ ହୋଟେଲ ମାଲିକ କହିଛନ୍ତି । ରନ୍ଧନ ଗ୍ୟାସ୍‌ ଅଭାବଜନିତ ସମସ୍ୟା ପାନ୍ଥ ନିବାସରେ ମଧ୍ୟ ପ୍ରତିଫଳିତ ହୋଇଛି । ଏବେ କାଠ ଚୁଲିରେ ରୋଷେଇ ହେଉଛି । କ୍ୱିଣ୍ଟାଲ ପିଛା ୬୦୦ ଟଙ୍କାରେ ଜାଳେଣି କାଠ ଅଣାଯାଉଛି । ପୂର୍ବାପେକ୍ଷା ଏବେ ଗ୍ରାହକଙ୍କ ସଂଖ୍ୟା ଢେର କମି ଯାଇଛି । ଆଗକୁ ଯଦି ଏଭଳି ସ୍ଥିତି ଲାଗି ରହେ ତା’ ହେଲେ ହୋଟେଲ, ରେଷ୍ଟୁରାଣ୍ଟ, ଢାବା ଓ ଜଳଖିଆ ଦୋକାନରେ ତାଲା ଝୁଲିବ । ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର କର୍ମଚାରୀ ରୋଜଗାର ହରାଇବେ ବୋଲି ମାଲିକମାନେ ଦୁଃଖର ସହ କରିଛନ୍ତି ।

ଏହି ଖବବରଟିକୁ ପଢନ୍ତୁ- ଓଡ଼ିଶାର ୩୪ ଖଣି ହେବ ନିଲାମ, ୨୦୨୩ ପରଠାରୁ ହୋଇନଥିଲା ରାଜ୍ୟରେ ଖଣି ନିଲାମ