ନୂଆଦିଲ୍ଲୀ ୧୦/୦୪: ଫ୍ରାନ୍ସର ଫୁଟ୍ବଲ ଷ୍ଟାର୍ ଆଣ୍ଟୋନି ଗ୍ରିଜ୍ମ୍ୟାନ ନିଜ କ୍ରୀଡ଼ା କ୍ୟାରିଅର୍ରେ ୫ ହ୍ୟାଟ୍ରିକ୍ କରିଛନ୍ତି । କିନ୍ତୁ ତନ୍ମଧ୍ୟରୁ କୌଣସିଟି ସେ ନିଜ ପରିବାରରେ କରିଥିବା ହ୍ୟାଟ୍ରିକ୍ ତୁଳନାରେ ଖାସ୍ ନୁହେଁ । ୩୪ ବର୍ଷୀୟ ବିଶ୍ୱକପ୍ ବିଜେତା ଗ୍ରିଜ୍ମ୍ୟାନ ନିଜର ୩ ସନ୍ତାନଙ୍କ ଜନ୍ମଦିନ ଗୋଟିଏ ଦିନ ଅର୍ଥାତ୍ ଏପ୍ରିଲ ୮ ତାରିଖରେ ପାଳନ କରନ୍ତି । ହେଲେ ତାଙ୍କର କୌଣସି ସନ୍ତାନ ଗୋଟିଏ ବର୍ଷରେ ଜନ୍ମ ହୋଇନାହାନ୍ତି । ଗ୍ରିଜ୍ମ୍ୟାନଙ୍କ ଝିଅ ମିୟା ପ୍ରଥମେ ୨୦୧୬ ମସିହା, ଏପ୍ରିଲ ୮ରେ ଜନ୍ମ ହେଲେ । ୨୦୧୯ରେ ଅମାରୋ ଏବଂ ୨୦୨୧ରେ ଆଲ୍ବା ଜନ୍ମଗ୍ରହଣ କଲେ । ଜାଣି ଆଶ୍ଚର୍ଯ୍ୟ ହେବେ, ଉଭୟଙ୍କ ଜନ୍ମ ମଧ୍ୟ ଏପ୍ରିଲ ୮ ତାରିଖ । ୨୦୨୩ ମସିହାରେ ଏକ ସାକ୍ଷାତକାରରେ ଗ୍ରିଜ୍ମ୍ୟାନ କହିଥିଲେ ‘ଏହା ଆଦୌ ଉଦ୍ଦେଶ୍ୟମୂଳକ କିମ୍ବା ଯୋଜନାବଦ୍ଧ ନ ଥିଲା, ସମ୍ପୂର୍ଣ୍ଣ ରୂପେ ସଂଯୋଗ ଥିଲା ।’ ସେ ଆହୁରି କହିଲେ ଯେ ତାଙ୍କ ପତ୍ନୀଙ୍କର କୌଣସି ଗୋଟିଏ ପ୍ରସବ ବାଧ୍ୟତାମୂଳକ କରାଯାଇ ନ ଥିଲା । ଏହା ବାସ୍ତବରେ ଅଦ୍ୱିତୀୟ ଘଟଣା । ସବୁକିଛି ପ୍ରାକୃତିକ ରୂପେ ହୋଇଛି ।
ଗ୍ରିଜ୍ମ୍ୟାନ ଫ୍ରାନ୍ସ ନ୍ୟାସନାଲ ଟିମ୍ ପାଇଁ ୧୩୭ଟି ଗେମ୍ ଖେଳିଛନ୍ତି । ନିଜ କ୍ୟାରିଅର୍ର ସର୍ବାଧିକ ସମୟ ସେ ସ୍ପେନ୍ର ଲା ଲିଗା ସ୍ଥିତ ଅନ୍ୟତମ ଶୀର୍ଷ କ୍ଲବ୍ ଅଟ୍ଲିଟିକୋ ମାଡ୍ରିଡ୍ରେ ବିତାଇଛନ୍ତି । ସେ କୋଲକୋନେରୋସ୍ ସହିତ ୟୁରୋପା ଲିଗ୍ ଓ ବାର୍ସିଲୋନା ସହିତ ସ୍ପାନିଶ୍ କପ୍ ଜିତିଛନ୍ତି । ଚାମ୍ପିଅନ୍ସ ଲିଗ୍ ଫାଇନାଲ ସହିତ ଦୁଇଟି ବିଶ୍ୱକପ୍ ଫାଇନାଲରେ ସେ ଖେଳିଛନ୍ତି ।
ବସନ୍ତ ଋତୁ ୟୁରୋପୀୟ ଫୁଟ୍ବଲ ଖେଳାଳିଙ୍କ ପାଇଁ ସର୍ବଦା ଖାସ୍ ସମୟ ହୋଇଥାଏ । ଲିଗ୍ ଟାଇଟଲ ଓ କପ୍ ପ୍ରତିଯୋଗିତା ସାଧାରଣତଃ ଏପ୍ରିଲ ଓ ମେ’ରେ ହୋଇଥାଏ । କିନ୍ତୁ ଖେଳରେ ଯାହା ବି ହୋଇଯାଉ, ଗ୍ରିଜ୍ମ୍ୟାନ ସର୍ବଦା ଏପ୍ରିଲ ୮ ତାରିଖରେ ହାଟ୍ରିକ୍ର ଖୁସି ପାଳନ କରିବେ । ଏହା ଏଭଳି ଏକ ଦିନ ଯାହା ତାଙ୍କ ପରିବାର ସ୍ମୃତିରେ ସର୍ବଦା ଜୀବିତ ରହିବ ବୋଲି ଗ୍ରିଜ୍ମ୍ୟାନ କହିଛନ୍ତି ।
ଗ୍ରିଜ୍ମ୍ୟାନଙ୍କ ଭଳି ଆଉ ଏକ ପରିବାର ମଧ୍ୟ ନିଜର ସମସ୍ତ ସନ୍ତାନଙ୍କ ଜନ୍ମଦିନ ଗୋଟିଏ ଦିନରେ ପାଳନ କରେ । ଉତ୍ତର କାରୋଲିନା ସ୍ଥିତ ଲାମର୍ଟ ପରିବାରରେ ୪ ଝିଅ ଅଛନ୍ତି । ପ୍ରତ୍ୟେକ ୩ ବର୍ଷ ବ୍ୟବଧାନରେ ଏମାନେ ଜନ୍ମଗ୍ରହଣ କରିଛନ୍ତି । ସବୁଠୁ ସାନ ଝିଅ ଡାକ୍ତର ଦେଇଥିବା ତାରିଖର ମାସକ ପୂର୍ବରୁ ଜନ୍ମ ହୋଇଥିଲେ । କ୍ରିଷ୍ଟିନ୍ ଲାମର୍ଟ ଗଣମାଧ୍ୟମକୁ କହିଥିଲେ ଯେ ସେ ଓ ତାଙ୍କ ସ୍ୱାମୀ ହୃଦୟଙ୍ଗମ କଲେ ଯେ ଭାଗ୍ୟ ସେମାନଙ୍କର ସମସ୍ତ ସନ୍ତାନଙ୍କୁ ସମାନ ଦିନରେ ଜନ୍ମ ଦେବାକୁ ଚାହୁଁଥିଲା ।
ଗ୍ରିଜ୍ମ୍ୟାନ ପରିବାର ସନ୍ତାନ ଜନ୍ମର ଏଭଳି ଏକ ଚମତ୍କାର ସଂଯୋଗର ସବୁଠୁ ବଡ଼ ଉଦାହରଣ ହୋଇପାରେ । କିନ୍ତୁ ଗୋଟିଏ ଦିନରେ ସର୍ବାଧିକ ସନ୍ତାନ ଜନ୍ମ ରେକର୍ଡଠୁ ଏହା ଦୂରରେ ଅଛି । ଗିନିଜ୍ ବିଶ୍ୱ ରେକର୍ଡସ ଅନୁସାରେ, ଏହି ସଂଖ୍ୟା ହେଉଛି ୭ । ପାକିସ୍ତାନର ଲାରକାନା ସହର ବାସିନ୍ଦା ଅମୀର ଅଲି ମଙ୍ଗୀ ଓ ଖୁଦେଜା ଅମୀର ଏହି ରେକର୍ଡର ଅଧିକାରୀ । ଉଭୟ ଦୁଇ ଯୋଡ଼ା ଯମଜଙ୍କ ସମେତ ୪ ପୁଅ ଓ ୩ ଝିଅଙ୍କ ମାତାପିତା । ଏମାନେ ସମସ୍ତେ ୧୯୯୨ ଓ ୨୦୨୩ ମସିହା ମଧ୍ୟରେ ଅଗଷ୍ଟ ୧ ତାରିଖରେ ଜନ୍ମଗ୍ରହଣ କରିଛନ୍ତି ।
ମଙ୍ଗୀ ଆରବ ନ୍ୟୁଜ୍କୁ କହିଥିଲେ, ବିଶ୍ୱ ରେକର୍ଡ କରିବା ପୂର୍ବରୁ ସେମାନେ ନିଜ ସନ୍ତାନଙ୍କ ଜନ୍ମଦିନ ସାଧାରଣ ଭାବେ ପାଳନ କରୁଥିଲେ । କିନ୍ତୁ ଏବେ ଖୁବ୍ ଖୁସି ଓ ଉତ୍ସାହର ସହ ପାଳନ କରୁଛନ୍ତି । ତାଙ୍କ ପରିବାର ଏବେ ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇଛି । ସ୍ଥାନୀୟ ଅଞ୍ଚଳରେ ସେମାନେ ସେଲିବ୍ରିଟି ହୋଇଛନ୍ତି ।
ସବୁଠୁ ଖାସ୍ କଥା ହେଉଛି, ଏହି ପରିବାର ବର୍ଷର ଗୋଟିଏ ଦିନରେ ସବୁକିଛି ସେଲିବ୍ରେଟ୍ କରେ । ଏହି ଦମ୍ପତିଙ୍କ ସମସ୍ତ ସନ୍ତାନ କେବଳ ଅଗଷ୍ଟ ୧ ତାରିଖରେ ଜନ୍ମ ହୋଇଛନ୍ତି ତାହା ନୁହେଁ, ଉଭୟ ମଙ୍ଗୀ ଓ ଅମୀର ଯଥାକ୍ରମେ ୧୯୬୮ ଓ ୧୯୭୩ ମସିହାର ଅଗଷ୍ଟ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେତିକି ନୁହେଁ, ୧୯୯୧ ମସିହା, ଅଗଷ୍ଟ ୧ ତାରିଖରେ ଉଭୟ ବିବାହ କରିଥିଲେ ।