ନୂଆଦିଲ୍ଲୀ ୧୦/୦୪: ଫ୍ରାନ୍ସର ଫୁଟ୍‌ବଲ ଷ୍ଟାର୍‌ ଆଣ୍ଟୋନି ଗ୍ରିଜ୍‌ମ୍ୟାନ ନିଜ କ୍ରୀଡ଼ା କ୍ୟାରିଅର୍‌ରେ ୫ ହ୍ୟାଟ୍ରିକ୍‌ କରିଛନ୍ତି । କିନ୍ତୁ ତନ୍ମଧ୍ୟରୁ କୌଣସିଟି ସେ ନିଜ ପରିବାରରେ କରିଥିବା ହ୍ୟାଟ୍ରିକ୍‌ ତୁଳନାରେ ଖାସ୍‌ ନୁହେଁ । ୩୪ ବର୍ଷୀୟ ବିଶ୍ୱକପ୍‌ ବିଜେତା ଗ୍ରିଜ୍‌ମ୍ୟାନ ନିଜର ୩ ସନ୍ତାନଙ୍କ ଜନ୍ମଦିନ ଗୋଟିଏ ଦିନ ଅର୍ଥାତ୍‌ ଏପ୍ରିଲ ୮ ତାରିଖରେ  ପାଳନ କରନ୍ତି । ହେଲେ ତାଙ୍କର କୌଣସି  ସନ୍ତାନ ଗୋଟିଏ ବର୍ଷରେ ଜନ୍ମ ହୋଇନାହାନ୍ତି ।  ଗ୍ରିଜ୍‌ମ୍ୟାନଙ୍କ ଝିଅ ମିୟା ପ୍ରଥମେ ୨୦୧୬  ମସିହା, ଏପ୍ରିଲ ୮ରେ ଜନ୍ମ ହେଲେ ।  ୨୦୧୯ରେ ଅମାରୋ ଏବଂ ୨୦୨୧ରେ ଆଲ୍‌ବା  ଜନ୍ମଗ୍ରହଣ କଲେ । ଜାଣି ଆଶ୍ଚର୍ଯ୍ୟ ହେବେ,  ଉଭୟଙ୍କ ଜନ୍ମ ମଧ୍ୟ ଏପ୍ରିଲ ୮ ତାରିଖ । ୨୦୨୩  ମସିହାରେ ଏକ ସାକ୍ଷାତକାରରେ ଗ୍ରିଜ୍‌ମ୍ୟାନ  କହିଥିଲେ ‘ଏହା ଆଦୌ ଉଦ୍ଦେଶ୍ୟମୂଳକ  କିମ୍ବା ଯୋଜନାବଦ୍ଧ ନ ଥିଲା, ସମ୍ପୂର୍ଣ୍ଣ ରୂପେ  ସଂଯୋଗ ଥିଲା ।’ ସେ ଆହୁରି କହିଲେ ଯେ  ତାଙ୍କ ପତ୍ନୀଙ୍କର କୌଣସି ଗୋଟିଏ ପ୍ରସବ  ବାଧ୍ୟତାମୂଳକ କରାଯାଇ ନ ଥିଲା । ଏହା  ବାସ୍ତବରେ ଅଦ୍ୱିତୀୟ ଘଟଣା । ସବୁକିଛି  ପ୍ରାକୃତିକ ରୂପେ ହୋଇଛି । 

ଗ୍ରିଜ୍‌ମ୍ୟାନ ଫ୍ରାନ୍ସ ନ୍ୟାସନାଲ ଟିମ୍‌ ପାଇଁ  ୧୩୭ଟି ଗେମ୍‌ ଖେଳିଛନ୍ତି । ନିଜ କ୍ୟାରିଅର୍‌ର  ସର୍ବାଧିକ ସମୟ ସେ ସ୍ପେନ୍‌ର ଲା ଲିଗା ସ୍ଥିତ  ଅନ୍ୟତମ ଶୀର୍ଷ କ୍ଲବ୍‌ ଅଟ୍‌ଲିଟିକୋ ମାଡ୍ରିଡ୍‌ରେ  ବିତାଇଛନ୍ତି । ସେ କୋଲକୋନେରୋସ୍‌ ସହିତ  ୟୁରୋପା ଲିଗ୍‌ ଓ ବାର୍ସିଲୋନା ସହିତ ସ୍ପାନିଶ୍‌  କପ୍‌ ଜିତିଛନ୍ତି । ଚାମ୍ପିଅନ୍ସ ଲିଗ୍‌ ଫାଇନାଲ  ସହିତ ଦୁଇଟି ବିଶ୍ୱକପ୍‌ ଫାଇନାଲରେ ସେ  ଖେଳିଛନ୍ତି । 

ବସନ୍ତ ଋତୁ ୟୁରୋପୀୟ ଫୁଟ୍‌ବଲ ଖେଳାଳିଙ୍କ  ପାଇଁ ସର୍ବଦା ଖାସ୍‌ ସମୟ ହୋଇଥାଏ । ଲିଗ୍‌  ଟାଇଟଲ ଓ କପ୍‌ ପ୍ରତିଯୋଗିତା ସାଧାରଣତଃ  ଏପ୍ରିଲ ଓ ମେ’ରେ ହୋଇଥାଏ । କିନ୍ତୁ  ଖେଳରେ ଯାହା ବି ହୋଇଯାଉ, ଗ୍ରିଜ୍‌ମ୍ୟାନ  ସର୍ବଦା ଏପ୍ରିଲ ୮ ତାରିଖରେ ହାଟ୍ରିକ୍‌ର ଖୁସି  ପାଳନ କରିବେ । ଏହା  ଏଭଳି ଏକ ଦିନ  ଯାହା ତାଙ୍କ ପରିବାର ସ୍ମୃତିରେ ସର୍ବଦା ଜୀବିତ  ରହିବ ବୋଲି ଗ୍ରିଜ୍‌ମ୍ୟାନ କହିଛନ୍ତି । 

ଗ୍ରିଜ୍‌ମ୍ୟାନଙ୍କ ଭଳି ଆଉ ଏକ ପରିବାର ମଧ୍ୟ  ନିଜର ସମସ୍ତ ସନ୍ତାନଙ୍କ ଜନ୍ମଦିନ ଗୋଟିଏ  ଦିନରେ ପାଳନ କରେ । ଉତ୍ତର କାରୋଲିନା  ସ୍ଥିତ ଲାମର୍ଟ ପରିବାରରେ ୪ ଝିଅ ଅଛନ୍ତି ।  ପ୍ରତ୍ୟେକ ୩ ବର୍ଷ ବ୍ୟବଧାନରେ ଏମାନେ  ଜନ୍ମଗ୍ରହଣ କରିଛନ୍ତି । ସବୁଠୁ ସାନ ଝିଅ ଡାକ୍ତର ଦେଇଥିବା ତାରିଖର ମାସକ ପୂର୍ବରୁ ଜନ୍ମ  ହୋଇଥିଲେ । କ୍ରିଷ୍ଟିନ୍‌ ଲାମର୍ଟ ଗଣମାଧ୍ୟମକୁ  କହିଥିଲେ ଯେ ସେ ଓ ତାଙ୍କ ସ୍ୱାମୀ ହୃଦୟଙ୍ଗମ କଲେ ଯେ ଭାଗ୍ୟ ସେମାନଙ୍କର ସମସ୍ତ  ସନ୍ତାନଙ୍କୁ ସମାନ ଦିନରେ ଜନ୍ମ ଦେବାକୁ  ଚାହୁଁଥିଲା । 

ଗ୍ରିଜ୍‌ମ୍ୟାନ ପରିବାର ସନ୍ତାନ ଜନ୍ମର ଏଭଳି ଏକ  ଚମତ୍କାର ସଂଯୋଗର ସବୁଠୁ ବଡ଼ ଉଦାହରଣ  ହୋଇପାରେ । କିନ୍ତୁ ଗୋଟିଏ ଦିନରେ ସର୍ବାଧିକ  ସନ୍ତାନ ଜନ୍ମ ରେକର୍ଡଠୁ ଏହା ଦୂରରେ ଅଛି ।  ଗିନିଜ୍‌ ବିଶ୍ୱ ରେକର୍ଡସ ଅନୁସାରେ, ଏହି  ସଂଖ୍ୟା ହେଉଛି ୭ । ପାକିସ୍ତାନର ଲାରକାନା  ସହର ବାସିନ୍ଦା ଅମୀର ଅଲି ମଙ୍ଗୀ ଓ ଖୁଦେଜା  ଅମୀର ଏହି ରେକର୍ଡର ଅଧିକାରୀ । ଉଭୟ  ଦୁଇ ଯୋଡ଼ା ଯମଜଙ୍କ ସମେତ ୪ ପୁଅ ଓ ୩  ଝିଅଙ୍କ ମାତାପିତା । ଏମାନେ ସମସ୍ତେ ୧୯୯୨ ଓ  ୨୦୨୩ ମସିହା ମଧ୍ୟରେ ଅଗଷ୍ଟ ୧ ତାରିଖରେ  ଜନ୍ମଗ୍ରହଣ କରିଛନ୍ତି । 

ମଙ୍ଗୀ ଆରବ ନ୍ୟୁଜ୍‌କୁ କହିଥିଲେ, ବିଶ୍ୱ  ରେକର୍ଡ କରିବା ପୂର୍ବରୁ ସେମାନେ ନିଜ  ସନ୍ତାନଙ୍କ ଜନ୍ମଦିନ ସାଧାରଣ ଭାବେ ପାଳନ  କରୁଥିଲେ । କିନ୍ତୁ ଏବେ ଖୁବ୍‌ ଖୁସି ଓ ଉତ୍ସାହର  ସହ ପାଳନ କରୁଛନ୍ତି । ତାଙ୍କ ପରିବାର ଏବେ  ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇଛି । ସ୍ଥାନୀୟ ଅଞ୍ଚଳରେ ସେମାନେ ସେଲିବ୍ରିଟି ହୋଇଛନ୍ତି । 

ସବୁଠୁ ଖାସ୍‌ କଥା ହେଉଛି, ଏହି ପରିବାର ବର୍ଷର ଗୋଟିଏ ଦିନରେ ସବୁକିଛି ସେଲିବ୍ରେଟ୍‌  କରେ । ଏହି ଦମ୍ପତିଙ୍କ ସମସ୍ତ ସନ୍ତାନ କେବଳ ଅଗଷ୍ଟ ୧ ତାରିଖରେ ଜନ୍ମ ହୋଇଛନ୍ତି ତାହା ନୁହେଁ, ଉଭୟ ମଙ୍ଗୀ ଓ ଅମୀର ଯଥାକ୍ରମେ  ୧୯୬୮ ଓ ୧୯୭୩ ମସିହାର ଅଗଷ୍ଟ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେତିକି  ନୁହେଁ, ୧୯୯୧ ମସିହା, ଅଗଷ୍ଟ ୧ ତାରିଖରେ  ଉଭୟ ବିବାହ କରିଥିଲେ ।