ଉମରକୋଟ,୨୨/୦୭: ଅନ୍ୱେଷା ଯୋଜନାରେ ଆଉ ପଢିପାରିବେ ନାହିଁ ଗାଁ ଗହଳିର ଗିରବ ଆଦିବାସୀ ପିଲା । ବର୍ତ୍ତମାନ ରାଜ୍ୟ ସରକାର ଏହି ଯୋଜନା ବନ୍ଦ କରିବାକୁ ଯୋଜନା ରଖିଛନ୍ତି । ତତ୍କାଳୀନ ନବୀନ ସରକାରଙ୍କ ଅମଳରେ ୨୦୧୬ରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଗରିବ ଛାତ୍ରଛାତ୍ରୀଙ୍କୁ ସହରାଞ୍ଚଳ ଇଂଲିଶ ମିଡିୟମ ସ୍କୁଲରେ ପଢାଇ ଅନ୍ୟ ପିଲାଙ୍କ ସହ ସମକକ୍ଷ କରିବା ମୂଳ ଲକ୍ଷ୍ୟ ରହିଥିଲା । ଜିଲ୍ଲାର ଆର୍ଥିକ ଅନଗ୍ରସର ଏସଏସିଏସଟି ପିଲାଙ୍କୁ ଘରୋଇ ଇଂଲିଶ ସ୍କୁଲରେ ଶିକ୍ଷାଦାନ ପାଇଁ ସରକାର ସହାୟତା ଯୋଗାଇ ଆସୁଥିଲେ । ତାହା ଏଣିକି ବନ୍ଦ ହେବ ନେଇ ଜଣାପଡ଼ିବା ପରେ ଅଭିଭାବକ ଚିନ୍ତାରେ ପଡ଼ିଯାଇଛନ୍ତି ।
ସୂଚନାଥାଉକି, ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାର ଅଗ୍ରଣୀ ଘରୋଇ ଇଂଲିଶ ମିିଡିୟମ ସ୍କୁଲରେ ଅନ୍ୱେଷା ଯୋଜନାରେ ପିଲାମାନେ ପଢ଼ୁଛନ୍ତି । ଜିଲ୍ଲାର ବିଭିନ୍ନ ସ୍କୁଲରେ ୧୫୦୦ ରୁ ଅଧିକ ପିଲା ପଢ଼ୁଥିବା ବେଳେ ଚଳିତବର୍ଷ ଏହି ଯୋଜନାରେ ଛାତ୍ରଛାତ୍ରୀ ଗ୍ରହଣ ନିମନ୍ତେ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ । ଅନ୍ୟପକ୍ଷେ ଅନ୍ୟ ସ୍କୁଲଗୁଡ଼ିକରେ ନାମଲେଖା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସରକାରଙ୍କ ପକ୍ଷରୁ କୌଣସି ନୂତନ ଗାଇଡଲାଇନ ପ୍ରକାଶ ହୋଇ ନଥିବାରୁ ଅନ୍ୱେଷାରେ ଅନ୍ତର୍ଭୁକ୍ତ ହୋଇ ଇଂରାଜୀ ମାଧ୍ୟମରେ ପଢିବାକୁ ଆଶା ବାନ୍ଧିଥିବା ପିଲା ଓ ସେମାନଙ୍କ ଅଭିଭାବକ ନିରାଶ ହୋଇପଡିଛନ୍ତି । ଏହି ଯୋଜନାରେ ସରକାର ପିଲାଙ୍କ ମୁଣ୍ଡ ପିଛା ଟ୍ୟୁସନ୍ ଫି' ବାବଦରେ ବାର୍ଷିକ ୨୦ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ । ଏହା ସଂପୃକ୍ତ ସ୍କୁଲଗୁଡ଼ିକୁ ଦିଆଯାଉଛି । ଏହା ବ୍ୟତୀତ ସେମାନଙ୍କର ଖାଇବା, ରହିବା, ପୋଷାକପତ୍ର ଓ ଯାତାୟାତ ଖର୍ଚ୍ଚ ବାବଦରେ ବାର୍ଷିକ ଆହୁରି ୧୮ ହଜାର ଟଙ୍କା ସରକାର ଦେଉଛନ୍ତି ।
ଏସମ୍ପର୍କରେ ସ୍ଥାନୀୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଜନଜାତି ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ପାଇଁ ଭିତ୍ତିଭୂମି ବିକାଶ ଆବଶ୍ୟକ ରହିଛି । ଏଥିପାଇଁ ୪୫୦ ଆବାସିକ ବିଦ୍ୟାଳୟରେ ହଷ୍ଟେଲ ନିର୍ମାଣକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବା ପାଇଁ ଉଦ୍ୟମ ଚାଲିଛି । ଜନଜାତି ପିଲାଙ୍କୁ ଇଂରାଜୀ ଶିକ୍ଷା ଯୋଗାଇଦେବା ପାଇଁ କାର୍ଯ୍ୟକାରୀ ହେଉଥିବା ଅନ୍ୱେଷା ହଷ୍ଟେଲରେ ଘରୋଇ ଶିକ୍ଷକ ନିଯୁକ୍ତ କରିବା ସହ ଏହାକୁ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲରେ ବିକଶିତ କରାଯାଉଛି । ୯୯ଟି ସ୍କୁଲର ଜନଜାତି ଛାତ୍ରଛାତ୍ରୀ ନିଜସ୍ୱ କଳା, ସଂସ୍କୃତି, ଭାଷା ସହ ଯୋଡ଼ିହାଇ ରହିବେ ବୋଲି ମନ୍ତ୍ରୀ କହିଛନ୍ତି । ପିଲାଙ୍କ ବୌଦ୍ଧିକ ବିକାଶ ସମେତ ସ୍ୱାସ୍ଥ୍ୟ, ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।