ନୂଆଦିଲ୍ଲୀ: ବାର୍ଷିକ ସାଧାରଣ ବୈଠକ ପୂର୍ବରୁ ଆଇଟି ଜାଏଣ୍ଟ ‘ଆପଲ୍‌’ କମ୍ପାନି ନିଜ ସିଇଓଙ୍କ ଦରମା ବଢ଼ାଇଛି । ୧୮ ପ୍ରତିଶତ ବଢ଼ିଛି ଆପଲ୍‌ ସିଇଓ ଟିମ୍‌ କୁକଙ୍କ ଦରମା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଟିମ୍‌ କୁକଙ୍କ ଦରମା ଭାରତରେ ୩୨ ହଜାର କର୍ମଚାରୀଙ୍କ ବାର୍ଷିକ ଦରମା ଠାରୁ ଅଧିକ । ୧୮ ପ୍ରତିଶତ ବଢ଼ିବା ପରେ ଟିମଙ୍କ ଦରମା ୭୪.୬ ମିଲିୟନ୍‌ ଡଲାର (୬୪୩ କୋଟି ଟଙ୍କା) ହୋଇଛି । 

ଭାରତରେ ଯଦି ଜଣେ ବ୍ୟକ୍ତିଙ୍କ ବାର୍ଷିକ ଆୟ ହାରାହାରି ୧,୮୪, ୨୦୫ ଟଙ୍କା ବୋଲି ଧରିନିଆଯାଏ ତେବେ କୁକ୍‌ଙ୍କ ଦରମା ୩୨ହଜାର ବ୍ୟକ୍ତିଙ୍କ ସହ ସମାନ ବା ତାଠୁ ଅଧିକ ହୋଇପାରେ । ତେବେ ଟିମ୍‌ କୁକଙ୍କ ଦରମା ୨୦୨୩ରେ ୬୩.୨ ମିଲିୟନ୍‌ ଡଲାର ଥିଲା ଏବଂ ଏବେ ୧୮ ପ୍ରତିଶତ ବଢ଼ିବା ପରେ ଏହା ୭୪.୬ ମିଲିୟନ୍‌ ଡଲାରକୁ ବୃଦ୍ଧି ପାଇଛି ।  ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ଟିମ କୁକ୍‌ଙ୍କ ଷ୍ଟକ୍‌ ଆଓ୍ବାର୍ଡ ମୂଲ୍ୟ ବୃଦ୍ଧିର କାରଣ ଦର୍ଶାଇ ଆପ୍‌ଲ ତାଙ୍କର ଦରମା ବଢ଼ାଇଛି । ଫେବୃଆରୀ ୨୫ରେ ହେବାକୁ ଥିବା କମ୍ପାନିର ବାର୍ଷିକ ସାଧାରଣ ବୈଠକ ପୂର୍ବରୁ ଆପ୍‌ଲ ପକ୍ଷରୁ ଏତେ ବଡ଼ ନିଷ୍ପତ୍ତି ନିଆଯାଇଛି । 

ଟିମ୍‌ କୁକଙ୍କ ଦରମା ସମେତ ନିବେଶକଙ୍କ ପାଖରୁ ମିଳିଥିବା ୪ଟି ପ୍ରସ୍ତାବ ଉପରେ ଏଜିଏମରେ ଭୋଟିଂ ହୋଇପାରେ । ଜଣେ ନିବେଶକ ଆପ୍‌ଲରେ ଚାଲିଥିବା ଡାଇଭର୍ସିଟି, ଇକ୍ୟୁଟି ଏବଂ ଇନକ୍ଲୁଜନ୍‌ ପ୍ରୋଗ୍ରାମକୁ ବନ୍ଦ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଏହାକୁ ଏଜିଏମକୁ ନେବା ପୂର୍ବରୁ ଖାରଜ କରିଦିଆଯାଇଛି । ଏହି ପ୍ରୋଗ୍ରାମ ବନ୍ଦ ହେବ ନାହିଁ ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି ।