ଭୁବନେଶ୍ବର (ପ୍ରମେୟ ଡିଜିଟାଲ): ଚାକିରି ବାହାରିଛି । ବିଜ୍ଞପ୍ତି ପ୍ରକାଶ ପାଇଛି । ହେଲେ ଆବେଦନ କଲା ବେଳକୁ ଖୋଲୁନି ଓ୍ବେବସାଇଟ୍ । ସକାଳୁ ସଂଜ । ସଂଜରୁ ଅଧରାତି ଯାଏ ଜଗିଲେ ବି ଫଳ ଶୂନ। କେମିତି ଆବେଦନ କରିବେ ସେ ଚିନ୍ତାରେ ଆଶାୟୀ ଛଟପଟ । ନିଯୁକ୍ତି ଚୟନ ସଂସ୍ଥା କିନ୍ତୁ ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରୁଛି । 

ଗତ ୧୯ ତାରିଖରେ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସ୍ଏସ) ପକ୍ଷରୁ ବିଭିନ୍ନ ବିଭାଗରେ ଗ୍ରାଜୁଏସନ୍ ସ୍ତରର ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଲା। କେବଳ ଷ୍ଟାଫ୍ ସିଲେକ୍ସନ କମିଶନ ନୁହଁ ଓଡ଼ିଶା ସବ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସଏସସି) ପକ୍ଷରୁ ମଧ୍ୟ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଆବେଦନ ଆହ୍ବାନ କରାଯାଇଛି । ଉଭୟ ଚୟନ ସଂସ୍ଥା ପକ୍ଷରୁ ଏ ନେଇ ନୋଟିସ୍ ଜାରି କରାଯିବା ସହ କେଉ ସାଇଟ୍ରେ ଆବେଦନ କରାଯିବ ତାହା ବି ଦର୍ଶ।ଯାଇଛି । ବିଡ଼ମ୍ବନା ଆବେଦନ କରିବାକୁ ଇଛୁକ ଆଶାୟୀ ମାନେ ହତାଶ ହୋଇ ବସିଛନ୍ତି । ବୈଷୟିକ ତ୍ରୃଟି ପାଇଁ ନା ସାଇଟ ଖୋଲୁଛି ନା ଆବେଦନ କରି ହେଉଛି । ହଜାର ହଜାର ସଂଖ୍ୟାରେ ଆଶାୟୀ ଦିନ ରାତି ବାରମ୍ବାର ଉଦ୍ୟମ କରି ମଧ୍ୟ ଫେଲ୍ ମାରୁଛନ୍ତି । ସାଇଟ୍ ପୁରା ମଠେଇ ମଠେଇ ଖୋଲୁଛି । ଦିନରେ ତ ଉଭୟ ସାଇଟ୍ ଆଦୌ ଖୋଲୁନି, ରାତିରେ କାଁ ଭାଁ ଖୋଲୁଛି । ଚାକିରି ପାଇଁ ଆବେଦନ କରିବାକୁ ରାତି ଅନିଦ୍ରା ହେଉଛନ୍ତି ଆଶାୟୀ। କିନ୍ତୁ ରେଜିଷ୍ଟ୍ରେସନର ଘଣ୍ଟାଏ ପରେ ଆସୁଛି ଓଟିପି । 5 ଜି ଇଣ୍ଟରନେଟରେ ଜଣେ ଆବେଦନ କରିବାକୁ ଅତି ବେଶୀରେ ୧୫ ମିନିଟରୁ ଅଧ ଘଣ୍ଟା ସମୟ ଲାଗିବା କଥା। କିନ୍ତୁ ଦିନଟିଏ ସମୟ ଲାଗି ଯାଉଛି ସିନା କିନ୍ତୁ ପ୍ରକ୍ରିୟା ସଂପୂର୍ଣ୍ଣ ହେଉନାହିଁ । ପାଠ ପଢା ଛାଡ଼ି ରାତି ଅନିଦ୍ରା ହୋଇ ଆବେଦନ କରିବାକୁ ଦିନ ରାତି ୫୦ ଥର ଉଦ୍ୟମ କଲେ ମଧ୍ୟ ଆଶାୟୀ ପ୍ରାର୍ଥୀ ମାନେ ନିରାଶ। ସବୁ ଥର ସାଇଟ୍ ଜାମ୍ ଆଉ ଖୋଲିଲେ ବି ଫର୍ମ ପୂରଣ କରିହେବା ଭଳି ସ୍ପିଡ ନାହିଁ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ଉପରେ ଗୁରୁତ୍ବ ଦେଉଛନ୍ତି। ମାତ୍ର ଏ ଦୁଇ ନିଯୁକ୍ତି ସଂସ୍ଥା ଆଶାୟୀ ମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଆବେଦନରୁ ବଂଚିତ କରିବାକୁ ଜାଣିଶୁଣି ସାଇଟ୍ ଜାମ କରୁଥିବା ଅଭିଯୋଗ ହେଉଛି। ଏହା ପଛରେ ରାକେଟ୍ କାମ କରୁଛି। ମେଧାବୀ ମାନଙ୍କୁ ଯୋଗ୍ୟଙ୍କୁ ଆବେଦନରୁ ବଂଚିତ କରି ଚାକିରି ବିକ୍ରି କରିବାକୁ କିଛି ନ୍ୟସ୍ତସ୍ବାର୍ଥ ଅଧିକାରୀ ହୀନ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହେଉଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହେଉଛି ।