ନୂଆଦିଲ୍ଲୀ, ୦୭/୦୮: ଅଭିନେତା ଧନୁଷ ଓ ମୃଣାଳ ଠାକୁରଙ୍କ ଡେଟିଂ ଗୁଜବକୁ ନେଇ ଏବେ ଚର୍ଚ୍ଚା । ମୃଣାଳଙ୍କର ଏକ ସଦ୍ୟ ସାକ୍ଷାତକାର ଏହି ଆଲୋଚନାକୁ ଖୋରାକ ଯୋଗାଇଛି । ଏଥିରେ ସେ ‘ଖରାପ ନଜର’ରେ ବିଶ୍ୱାସ କରିବା ବିଷୟରେ ଆଲୋଚନା କରିଛନ୍ତି । ତାଙ୍କର ଏହି ବୟାନ ସବୁରି ଧ୍ୟାନ ଆକର୍ଷଣ କରିଛି । ନିକଟରେ ଧନୁଷ ଓ ମୃଣାଳଙ୍କୁ ସାର୍ବଜନୀନ ସ୍ଥାନରେ ବାରମ୍ବାର ଏକାଠି ଦେଖିବା ପରେ ଉଭୟଙ୍କ ଡେଟିଂ ଗୁଜବ ଚର୍ଚ୍ଚା ଶିଖର ଛୁଇଁଛି ।
ଗତ ଅଗଷ୍ଟ ୧ରେ ମୃଣାଳଙ୍କ ଜନ୍ମଦିନରେ ଯୋଗ ଦେଇଥିଲେ ଧନୁଷ । ନିକଟରେ ରିଲିଜ୍ ହୋଇଥିବା ମୃଣାଳଙ୍କ ‘ସନ୍ ଅଫ୍ ସର୍ଦ୍ଦାର-୨’ର ସ୍ପେସାଲ ସ୍କ୍ରିନିଂରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପର ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । ଧନୁଷଙ୍କ ସହ ବ୍ୟକ୍ତିଗତ ଭାବେ କଥା ହେବାକୁ ମଧ୍ୟ ମୃଣାଳ ଆଗ୍ରହୀ ଥିବା ଦେଖିବାକୁ ମିଳିଥିଲା । ଗତ ଜୁଲାଇରେ ଧନୁଷଙ୍କ ଅପ୍କମିଙ୍ଗ ଫିଲ୍ମ ‘ତେରେ ଇଶ୍କ ମେଁ’ ପାଇଁ ଲେଖିକା-ପ୍ରଯୋଜିକା କନିକା ଢିଲୋଁଙ୍କ ସଂଚାଳନାରେ ଆୟୋଜିତ ଏକ ପାର୍ଟିରେ ମୃଣାଳ ଯୋଗ ଦେଇଥିଲେ । ନିକଟରେ ଏକ ମନୋରଞ୍ଜନଧର୍ମୀ ଖବର ସଂସ୍ଥା ସହିତ ସାକ୍ଷାତକାରରେ ମୃଣାଳ ତାଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଆଲୋଚନା କରିଥିଲେ । ଜଣଙ୍କ ବିଷୟରେ କିଛି କହିବା ପୂର୍ବରୁ ବାରମ୍ବାର ଚିନ୍ତା କରିବା କଥା ବୋଲି ସେ କହିଲେ । ଆହୁରି କହିଲେ, ସେ ନିଜ ବିଷୟରେ, ନିଜର ଅପ୍କମିଙ୍ଗ ଫିଲ୍ମ ଓ କାମ ବିଷୟରେ ଅଧିକ କହିବାକୁ ଭଲପାଆନ୍ତି ନାହିଁ । କାରଣ ‘ଖରାପ ନଜର’ ପ୍ରକୃତରେ ଅଛି ବୋଲି ସେ ବିଶ୍ୱାସ କରନ୍ତି । ମୃଣାଳ କିମ୍ବା ଧନୁଷ କେହି ବି ସେମାନଙ୍କ ସମ୍ପର୍କ ବିଷୟରେ ଅଦ୍ୟାବଧି ମୁହଁ ଖୋଲିନାହାନ୍ତି ।