ଲୁଣ ଏମିତି ଏକ ଜିନିଷ, ଯାହା ବିନା ଖାଦ୍ୟର ସ୍ୱାଦ ହିଁ ନଥାଏ । କିନ୍ତୁ ଅଧିକ ମାତ୍ରାରେ ଲୁଣ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଖାଦ୍ୟରେ ବ୍ୟବହୃତ ହେଉଥିବା ଲୁଣ ୪୦ ପ୍ରତିଶତ ସୋଡିୟମ୍ ଓ ୬୦ ପ୍ରତିଶତ କ୍ଲୋରାଇଡ୍ର ମିଶ୍ରଣ । ସୋଡିୟମ୍ ଶରୀରର ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ । ଏହା ଶରୀରରେ ପାଣି ଓ ମିନେରାଲ୍ସରେ ସନ୍ତୁଳନ ବଜାୟ ରଖିବାର କାମ କରିଥାଏ । ତା’ ସହିତ ଶରୀରରେ ଥିବା କୋଷିକାଗୁଡିକ ଠିକ୍ ଭାବେ କାମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାସତ୍ତେ୍ୱ ମାତ୍ରାଧିକ ସୋଡିୟମ୍ ଅନେକ ସମୟରେ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଆବଶ୍ୟକଠାରୁ ଅଧିକ ଲୁଣ ଖାଇବା ଦ୍ୱାରା ମଧ୍ୟ ଶରୀରକୁ ହାନି ପହଞ୍ଚିଥାଏ । ସାଧାରଣତଃ ଶରୀରରେ ମାତ୍ରାଧିକ ସୋଡିୟମ୍ ସ୍ତର ରହିଥିବା ଜଣାପଡେ, ଯେତେବେଳେ ବ୍ୟକ୍ତିଠାରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଶରୀର ଆପଣଙ୍କୁ କେତେକ ସଙ୍କେତ ଦେଇଥାଏ ଯେ ଆପଣ ଅଧିକ ଲୁଣ ଖାଉଛନ୍ତି । ଚାଲନ୍ତୁ ଦେଖିବା ଶରୀରରେ ସୋଡିୟମ୍ର ମାତ୍ରା ଅଧିକ ହେଲେ କି ଲକ୍ଷଣ ପ୍ରକାଶ ପାଏ ।

ଶରୀର ଫୁଲିଥାଏ

ଯଦି ସକାଳୁ ଉଠିବା ବେଳକୁ ଆପଣଙ୍କ ଚେହେରା ଫୁଲିବା ପରି ଦେଖାଯାଉଥାଏ । ତେବେ ଏହା ଶରୀରରେ ମାତ୍ରାଧିକ ସୋଡିୟମ୍ର ଲକ୍ଷଣ । ଅଧିକ ଲୁଣ ଖାଇବା ଦ୍ୱାରା ଶରୀରର ବିଭିନ୍ନ ସ୍ଥାନ ଫୁଲିବା ପରି ଦେଖାଯାଇଥାଏ । ସକାଳୁ ଉଠିବା ବେଳକୁ ଯଦି ଆଙ୍ଗୁଠିର ଆଖାପାଖ ଫୁଲିବା ପରି ଦେଖାଯାଉଥାଏ, ତେବେ ଏହାକୁ ଅଣଦେଖା କରନ୍ତୁନାହିଁ । ଶରୀରରେ ଥିବା ଟିସୁରେ ଅଧିକ ତରଳ ପଦାର୍ଥ ହେବାର ଏହା ସଙ୍କେତ । ଏହାକୁ ଏଡିମା କୁହାଯାଏ ।

ବାରମ୍ବାର ପରିସ୍ରା ଲାଗିବା

ବାରମ୍ବାର ପରିସ୍ରା ଲାଗିବା ମଧ୍ୟ ମାତ୍ରାଧିକ ସୋଡିୟମ୍ର ଲକ୍ଷଣ ହୋଇପାରେ । ଯଦି ରାତିରେ ବାରମ୍ବାର ପରିସ୍ରା ଲଗୁଥାଏ, ତେବେ ଏହା ଅଧିକ ଲୁଣ ଖାଇବାର ସଙ୍କେତ । ଅବଶ୍ୟ ମଧୁମେହ ଓ ୟୁଟିଆଇରେ ମଧ୍ୟ ଏହି ଲକ୍ଷଣ ଖୁବ୍ ସାଧାରଣ ।

ଅଧିକ ଶୋଷ ଲାଗିବା

ଯଦି ଆପଣଙ୍କ ଆବଶ୍ୟକଠାରୁ ଅଧିକ ଶୋଷ ଲାଗୁଥାଏ, ତେବେ ଏହା ଅଧିକ ଲୁଣ ଖାଇବାର ସଙ୍କେତ । ଅଧିକ ଲୁଣ ଖାଇବା ଦ୍ୱାରା ବାରମ୍ବାର ଶୋଷ ଲାଗିଥାଏ । ସେହିପରି ମାତ୍ରାଧିକ ସୋଡିୟମ୍ଯୁକ୍ତ ଖାଦ୍ୟ ପଦାର୍ଥ ଶରୀରରେ ଦ୍ରବ୍ୟ ସନ୍ତୁଳନକୁ ବିଗାଡି ଦେଇଥାଏ । ଏହି କାରଣରୁ ଆପଣ ପ୍ରାୟ ସମୟରେ ଜଳାଭାବ ଅନୁଭବ କରିଥାନ୍ତି ।

ମାଂସପେଶୀରେ ଦୁର୍ବଳ

ମାଂସପେଶୀ ଦୁର୍ବଳ ଲାଗିବା ଶରୀରରେ ମାତ୍ରାଧିକ ସୋଡିୟମ୍ର ଲକ୍ଷଣ । ମାଂସପେଶୀ ସୁସ୍ଥ ରହିବା ପାଇଁ ସୋଡିୟମ୍ ଖୁବ୍ ଜରୁରି । ଶରୀରରେ ସୋଡିୟମ୍ର ମାତ୍ରା ବଢିବା ଦ୍ୱାରା ହାଡ଼ ଦୁର୍ବଳ ହେବାର ଆଶଙ୍କା ରହିଥାଏ । ଯଦି ମାଂସପେଶୀରେ ଦୁର୍ବଳ ଅନୁଭବ କରୁଥାନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ସୋଡିୟମ୍ ସ୍ତର ପରୀକ୍ଷା କରାଇ ନିଅନ୍ତୁ ।