ଭୁବନେଶ୍ୱର ୨୪/୦୧ : ସମସ୍ତଙ୍କୁ ସକାଳ ୮ଟା ଭିତରେ ଜଳଖିଆ କରିନେବା ଉଚିତ୍‌ । ଅନେକ ସମୟରେ ଡେରିରେ ସକାଳ ଜଳଖିଆ ଖାଇବା ଦ୍ୱାରା ଅନେକ ସମସ୍ୟା ଉପୁଜିଥାଏ । ଖାସ୍‌ କରି ଯଦି ଏହାକୁ ଅଭ୍ୟାସରେ ପରିଣତ କରିସାରିଛନ୍ତି । ଏଥିରେ ପରିବର୍ତ୍ତନ ଜରୁରି । କାରଣ ଡେରିରେ ସକଳା ଜଳଖିଆ ଖାଇବା ଦ୍ୱାରା ଏହାର ନକାରାତ୍ମକ ପ୍ରଭାବ ଶରୀର ଉପରେ ପଡିଥାଏ । ଅବଶ୍ୟ ଏହାର ପ୍ରଭାବ ହଠାତ୍‌ ଦେଖା ଦେଇ ନଥାଏ, ବରଂ ଧୀରେ ଧୀରେ ତ୍ୱଚା ଉପରେ ଦେଖିବାକୁ ମିଳିଥାଏ । ସକାଳେ ଉଠିବାର ଏକ ଘଣ୍ଟା ଭିତରେ ସକାଳ ଜଳଖିଆ ଖାଇଦେବା ଜରୁରି । ଡେରିରେ ସକାଳ ଜଳଖିଆ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଚାଲନ୍ତୁ ଜାଣିବା ଏହାର ନକାରାତ୍ମକ ଦିଗ ବିଷୟରେ । 

ମଧୁମେହ ହୋଇପାରେ :

ବହୁତ ଡେରିରେ ସକାଳ ଜଳଖିଆ ଖାଇବା ଦ୍ୱାରା ଶରୀରରେ ଶର୍କରା ସ୍ତର ବଢିଥାଏ, ଯାହା ମଧୁମେହର ଆଶଙ୍କା ବଢାଇଥାଏ । ଡେରିରେ ଖାଇବା ଦ୍ୱାରା ଶରୀର ଇନ୍‌ସୁଲିନ୍‌ ଉତ୍ପାଦନ ବଢାଇଥାଏ, ଯାହା ରକ୍ତରେ ଶର୍କରା ସ୍ତର ବଢାଇପାରେ । ଯଦି ଏହି ଅଭ୍ୟାସ ବଜାୟ ରୁହେ, ତେବେ ଡାକ୍ତରଙ୍କ ମତରେ ବ୍ୟକ୍ତି ମଧୁମେହର ଶିକାର ହୋଇପାରେ । 

ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ :

ଅନେକ ସମୟରେ ଡେରିରେ ସକାଳ ଜଳଖିଆ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା ହେବା କଥା ଆପଣ ନିଶ୍ଚୟ ଲକ୍ଷ୍ୟ କରିଥିବେ । ଏହାର ଅର୍ଥ ଭୋକରେ ରହିବା ଦ୍ୱାରା ମସ୍ତିଷ୍କ ପ୍ରଭାବିତ ହୋଇଥାଏ । ଏହା ସହିତ ଡେରିରେ ଖାଇବା ଦ୍ୱାରା ପାଚନ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଯେପରିକି ଗ୍ୟାସ୍‌, ଏସିଡିଟି ଓ ପେଟ ଯନ୍ତ୍ରଣା । ଡେରିରେ ଖାଇବା ଦ୍ୱାରା ପେଟ ଖାଲି ରହି ପାଚନ ସମସ୍ୟା ସୃଷ୍ଟି ହୋଇଥାଏ ।

ଶରୀର ଶକ୍ତିହୀନ ଲାଗିଥାଏ :

ଡେରିରେ ସକାଳ ଜଳଖିଆ ଖାଇବା ଦ୍ୱାରା ସାରାଦିନ ଶକ୍ତିହୀନ ଅନୁଭବ ହୋଇଥାଏ । ସକାଳ ଅଧିକ ସମୟ ପେଟ ଖାଲି ରହିବା ଦ୍ୱାରା ଶରୀରରେ ଥକ୍କାପଣ ବଢିଥାଏ । ନିୟମିତ ଭାବେ ଏହି ଅଭ୍ୟାସକୁ ଅନୁସରଣ କରିବା ଦ୍ୱାରା ଶରୀର ଉପରେ ଏହାର ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ । ତେଣୁ ଯଥାସମ୍ଭବ ସକାଳୁ ଉଠିବାର ଏକଘଣ୍ଟା ଭିତରେ ହିଁ ଜଳଖିଆ କରିନେବା ଉଚିତ୍‌ ।