ଭାରତ ଉଭୟ ଏସିଆ ଓ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରୁଛି । ୨୦୪୭ ସୁଦ୍ଧା ଭାରତ ବିଶ୍ୱର ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାକୁ ଲକ୍ଷ୍ୟରଖି ଆଗେଇ ଚାଲିଛି । ଏଭଳି ସ୍ଥିତିରେ ଭାରତ ତା'ର ସୁରକ୍ଷା ଓ ଆଞ୍ଚଳିକ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିବାକୁ ଏକ ସୁଦୃଢ଼ ତଥା ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥା ଓ ଯୁଗୋପଯୋଗୀ ଅସ୍ତ୍ରଶସ୍ତ୍ର ଆବଶ୍ୟକ କରେ । ଏସିଆ ମହାଦେଶରେ ଚୀନ୍ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ଏବଂ ଏକ ଈର୍ଷାପରାୟଣ ପଡ଼ୋଶୀ । ଭାରତ କିପରି ତାହାର ସମକକ୍ଷ ନହେଉ ସେଥିପାଇଁ ଚୀନ୍ ସର୍ବଦା ଭାରତ ପ୍ରତି ଅସୂୟା ଭାବ ପ୍ରଦର୍ଶନ କରିଆସୁଛି । ଏହା ବ୍ୟତୀତ ପାକିସ୍ତାନ ଭଳି ଦୁଷ୍ଟ ପଡ଼ୋଶୀ ସର୍ବଦା ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ । ଭାରତ ମହାସାଗରରେ ଚୀନ୍ ତାହାର ପ୍ରଭୁତ୍ୱ ବଢ଼ାଇବାକୁ ସଦାସର୍ବଦା ଚେଷ୍ଟିତ ଏବଂ ଏଥିରେ ଆମର କେତେକ ପଡ଼ୋଶୀଙ୍କୁ ମଧ୍ୟ ବ୍ୟବହାର କରୁଥିବା କାରଣରୁ ଭାରତ ତା'ର ପ୍ରତିରକ୍ଷା ବ୍ୟବସ୍ଥାକୁ କେବେ ବି ଉପେକ୍ଷା କରିପାରିବ ନାହିଁ ।
ଦେଶର ସୁରକ୍ଷା ଓ ଆଞ୍ଚଳିକ ରଣକୌଶଳାତ୍ମକ ଭାରସାମ୍ୟ ଏବଂ ଶାନ୍ତି ରକ୍ଷା କ୍ଷେତ୍ରରେ ଦୃଢ଼ ତଥା ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥାର ଗୁରୁତ୍ୱ ଅନସ୍ୱୀକାର୍ଯ୍ୟ । ଏହି ପରିପ୍ରେକ୍ଷୀରେ ଭାରତୀୟ ନୌବାହିନୀରେ "ଅରିଦମନ' ଆଣବିକ ଶକ୍ତିଚାଳିତ ଏସ୍.ଏସ୍.ବି.ଏନ୍ (ସିପ୍ ସବ୍ମେରିସିବିଲ୍ ବାଲିଷ୍ଟିକ ନ୍ୟୁକ୍ଲିଅର) ଶ୍ରେଣୀର ତୃତୀୟ ବୁଡ଼ାଜାହାଜ ସାମିଲ ହେବା ବିଶେଷ ଗୁରୁତ୍ୱ ରଖେ । ଏହି ଆଣବିକ ଶକ୍ତିଚାଳିତ ବୁଡ଼ାଜାହାଜ "ଅରିଦମନ' ଶତ୍ରୁପକ୍ଷ ଉପରେ ସମୁଦ୍ରର ଅତଳ ଜଳରାଶି ଭିତରୁ ଶକ୍ତିଶାଳୀ ଆଣବିକ କ୍ଷେପଣାସ୍ତ୍ର ପ୍ରୟୋଗ କରିବାକୁ ସମର୍ଥ । ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯାଇ ନୌସେନା, ଡି.ଆର୍.ଡି.ଓ. ଏବଂ ପ୍ରତିରକ୍ଷା ସାମଗ୍ରୀ ଉଦ୍ୟୋଗର ମିଳିତ ପ୍ରୟାସରେ ଏହା ନିର୍ମିତ । ଏଥିରେ ଆଧୁନିକ ଡିଜାଇନ ଓ ଜ୍ଞାନକୌଶଳର ଉପଯୋଗ କରାଯାଇଛି । ପୂର୍ବରୁ ଭାରତରେ ନିର୍ମିତ ପରମାଣୁ ଶକ୍ତିଚାଳିତ ବୁଡ଼ାଜାହାଜ "ଅରିଘାତ' ଓ "ଅରିହନ୍ତ' ପରେ "ଅରିଦମନ' ହେଉଛି ଏହି ଶ୍ରେଣୀର ତୃତୀୟ ବୁଡ଼ାଜାହାଜ । ଏହି ପ୍ରୟାସ ଆମ ପ୍ରତିରକ୍ଷା ଉଦ୍ୟୋଗକୁ ନିଶ୍ଚିତ ଆତ୍ମନିର୍ଭରଶୀଳ କରିବ ।
ସମ୍ପୂର୍ଣ୍ଣ ସ୍ୱଦେଶୀ କାରିଗରୀ କୌଶଳରେ ନିର୍ମିତ ପରମାଣୁ ଶକ୍ତିସମ୍ପନ୍ନ ସବ୍ମେରାଇନ୍ "ଅରିଦମନ'କୁ ଆନୁଷ୍ଠାନିକ ଭାବେ ୨୦୨୬ ଏପ୍ରିଲ ୩ ତାରିଖ (ଶୁକ୍ରବାର) କେରଳ ସ୍ଥିତ ନୌସେନା ଘାଟିରେ ଆୟୋଜିତ ଏକ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକାର୍ପିତ କରିଛନ୍ତି । ପୂର୍ବରୁ ଭାରତରେ ନିର୍ମିତ ପରମାଣୁ ଶକ୍ତିଚାଳିତ ବୁଡ଼ାଜାହାଜ "ଅରିହନ୍ତ' ଓ "ଅରିଘାତ' ଠାରୁ ବର୍ତ୍ତମାନର "ଅରିଦମନ' ବୁଡ଼ାଜାହାଜ ଅଧିକ ଶକ୍ତିଶାଳୀ ଏବଂ ଅଧିକ ଦୂରତ୍ୱକୁ କ୍ଷେପଣାସ୍ତ୍ର ନିକ୍ଷେପରେ ସମର୍ଥ । ପରମାଣୁ ଶକ୍ତିସମ୍ପନ୍ନ ସବ୍ମେରାଇନ୍ ବ୍ୟବହାର କରିବାରେ ଆମେରିକା, ରୁଷ, ବ୍ରିଟେନ୍, ଫ୍ରାନ୍ସ ଓ ଚୀନ୍ ପରେ ଭାରତ ଏହି କ୍ଲବରେ ସାମିଲ ହୋଇ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଭାରତର ଆଣବିକ ବୁଡ଼ାଜାହାଜ ନିର୍ମାଣ ପାଇଁ ବିଶାଖାପାଟଣା ବନ୍ଦର କାର୍ଯ୍ୟ କରେ । ୨୦୧୬ ମସିହାରେ "ଆଇ.ଏନ୍.ଏସ୍ ଅରିହନ୍ତ' ଏବଂ ୨୦୨୪ ମସିହାରେ "ଆଇ.ଏନ୍. ଏସ୍-ଅରିଘାତ' ଭାରତୀୟ ନୌସେନାରେ ସାମିଲ ହୋଇସାରିଥିଲା ବେଳେ ଏହି ତୃତୀୟ ବୁଡ଼ାଜାହାଜ "ଅରିଦମନ'ର ସାମିଲ ହେବା ଗର୍ବ ଓ ଗୌରବର ବିଷୟ ।
ଭାରତୀୟ ନୌସେନାରେ "ଆଇ.ଏନ୍.ଏସ୍ ଅରିଦମନ'ର ସାମିଲ ପ୍ରକ୍ରିୟା ଦେଶର ରଣନୈତିକ ସ୍ଥିତିରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି । ଏହା ଭାରତର ସାମୁଦ୍ରିକ ପରମାଣୁ ପ୍ରତିରୋଧକ ଶକ୍ତିକୁ ଏକ ପରୀକ୍ଷାମୂଳକ ପର୍ଯ୍ୟାୟରୁ ନେଇ ସ୍ଥାୟୀ ଓ କାର୍ଯ୍ୟକ୍ଷମ ବାସ୍ତବତାରେ ପରିଣତ କରିଛି । ତିନିସଂଖ୍ୟକ ଏହି କିସମର ବୁଡ଼ାଜାହାଜ ସୁରକ୍ଷାବ୍ୟୁହ ଗଠନ କରିବା ପରେ ଭାରତ ଏବେ "ଅବିରତ ସାମୁଦ୍ରିକ ପହରା' (ପେଟ୍ରୋଲିଂ) ସ୍ଥିତି ହାସଲ କରିପାରିବ, ଯାହା ବିଶ୍ୱର ମାତ୍ର କେତେକ ହାତଗଣତି ଶକ୍ତିଶାଳୀ ରାଷ୍ଟ୍ରଙ୍କ ପାଖରେ ରହିଛି । ବୈଷୟିକ ଦୃଷ୍ଟିରୁ "ଆଇ. ଏନ୍.ଏସ୍-ଅରିଦମନ' ଏହାର ପୂର୍ବବର୍ତ୍ତୀ "ଆଇ.ଏନ୍. ଏସ୍-ଅରିହନ୍ତ' ଏବଂ "ଆଇ.ଏନ୍.ଏସ୍-ଅରିଘାତ' ତୁଳନାରେ ଏକ ବଡ଼ ସଫଳତା । ପ୍ରାୟ ୭୦୦୦ ଟନ୍ ଓଜନର ଏହି ବୁଡ଼ାଜାହାଜରେ ୮ଟି ଭର୍ଟିକାଲ ଲଞ୍ଚ୍ ଟ୍ୟୁବ ରହିଛି, ଯାହା ପ୍ରଥମ ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ତୁଳନାରେ ମିସାଇଲ୍ ସଂଖ୍ୟାକୁ ଦ୍ୱିଗୁଣିତ କରିଛି । ଏହି ନ୍ୟୁକ୍ଲିଅର ଚାଳିତ ସବ୍ମେରାଇନରୁ "କେ-୧୫' (କ-୧୫) ସବ୍ମେରାଇନ୍ ଲଞ୍ଚଡ୍ ବାଲିଷ୍ଟିକ୍ ମିସାଇଲସ୍ (ସଂକ୍ଷେପରେ ଏସ୍.ଏଲ୍. ବି.ଏମ୍) କ୍ଷେପଣ କରାଯାଇପାରିବ । ୩୫୦୦ କି.ମି. ଦୂରତ୍ୱରେ ଟାର୍ଗେଟ୍ ଧ୍ୱଂସ କରିବାରେ ଏହା ସମର୍ଥ । ଏହା ଆଠଟି ୩୦୦ କିଲୋମିଟର ମାରକ ପରିସର ବିଶିଷ୍ଟ "କେ-୪' (କ-୪) ବାଲିଷ୍ଟିକ୍ ମିସାଇଲ୍ସ କିମ୍ବା ୨୪ ସଂଖ୍ୟକ "କେ-୧୫' (କ-୧୫) ମିସାଇଲ୍ ବହନ କରିପାରିବ, ଯାହା ଷ୍ଟ୍ରାଟେଜିକ ଫୋର୍ସେସ୍ କମାଣ୍ଡକୁ ଅସୀମ କ୍ଷମତା ଓ ଶକ୍ତି ପ୍ରଦାନ କରିପାରିବ ।
ପୂର୍ବରୁ ଭାରତରେ ନିର୍ମିତ ଦୁଇଟି ପରମାଣୁ ଶକ୍ତିଚାଳିତ ସବ୍ମେରାଇନ୍ ଠାରୁ ଏହା ସମୁଦ୍ରର ଜଳରାଶି ଭିତରେ ଅଧିକ ମାସ ଧରି ବୁଡ଼ି ରହିବାର କ୍ଷମତା ରହିଛି । ଏହାର ଆକାର ବଡ଼ ଥିବାରୁ ଅଧିକ ସଂଖ୍ୟକ "କେ-୪' ମିସାଇଲ୍ ଧାରଣ କରିବାରେ ସମର୍ଥ । ଏଥିରେ ବ୍ୟବହୃତ ଟେକ୍ନୋଲୋଜି ଅନ୍ୟ ଦୁଇଟି ପରମାଣୁ ଶକ୍ତିଚାଳିତ ବୁଡ଼ାଜାହାଜ ଠାରୁ ବେଶ୍ ଆଧୁନିକ । ଭାରତ ତା'ର ନୌବାହିନୀ ପାଇଁ ୪ର୍ଥ ଏସ୍.ଏସ୍.ବି.ଏନ୍. ବୁଡ଼ାଜାହାଜ ନିର୍ମାଣ କାର୍ଯ୍ୟ ମଧ୍ୟ ହାତକୁ ନେଇଛି । ଆଗାମୀ ପିଢ଼ିର "ଏସ୍-୫' ଶ୍ରେଣୀର ପ୍ରକଳ୍ପ ପାଇଁ ଏହି ପ୍ରକ୍ରିୟା ପଥପ୍ରଦର୍ଶକ ହେବ ବୋଲି ଆଶା କରାଯାଏ । ବିସ୍ତୀର୍ଣ୍ଣ ଅତଳ ଜଳରାଶି ତଳେ "ଅରିଦମନ'ର ପ୍ରଥମ ମିଶନ ବିଶ୍ୱକୁ ଏକ ବଡ଼ ବାର୍ତ୍ତା ଦେଇପାରିଛି । "ଅରିଦମନ' ପରମାଣୁ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ଭାବା ପରମାଣୁ ଗବେଷଣା କେନ୍ଦ୍ର (ବି.ଏ.ଆର୍.ସି) ଦ୍ୱାରା ବିକଶିତ ଏକ ଉନ୍ନତ ୮୩ ମେଗାୱାଟ୍ ପ୍ରେସରାଇଜଡ୍ ୱାଟର୍ ରିଆକ୍ଟର୍ (ପି.ଡବ୍ଲ୍ୟୁ.ଆର) ଦ୍ୱାରା ପରିଚାଳିତ । "ଆଇ.ଏନ୍.ଏସ୍-ଅରିଦମନ'ର ସାମିଲ ଭାରତକୁ ସମୁଦ୍ରରେ ନିରନ୍ତର ପ୍ରତିରୋଧ କ୍ଷମତା ବଜାୟ ରଖିବାକୁ ଶକ୍ତି ଯୋଗାଇବ ।
ଯୁଦ୍ଧ ଜାହାଜ, ବୁଡ଼ାଜାହାଜ, ବାଲିଷ୍ଟିକ ଆଣବିକ ବୁଡ଼ାଜାହାଜ ଭାରତକୁ ଅଧିକ ସାମର୍ଥ୍ୟ ଯୋଗାଇବ ଏଥିରେ ସନ୍ଦେହ ନାହିଁ । ଗଭୀର ଜଳରାଶି ତଳେ ଲୁକ୍କାୟିତ ରହିଥିବା ଏସ୍.ଏସ୍.ବି.ଏନ୍. ବୁଡ଼ାଜାହାଜ ପ୍ରତିଶୋଧମୂଳକ ଆକ୍ରମଣରେ ସାମର୍ଥ୍ୟ ଥିବାରୁ ଆକ୍ରମଣକୁ ପ୍ରତିହତ କରିବାର ଯଥେଷ୍ଟ କ୍ଷମତା ବହନ କରେ । ଭାରତ ଦୁଇଟି ନ୍ୟୁକ୍ଲିଅର ଶକ୍ତିସମ୍ପନ୍ନ ଆଟାକ୍ ସବ୍ମେରାଇନ୍ (ଏସ.ଏସ୍.ଏନ୍) ନିର୍ମାଣର କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛି । ଆଉ ଗୋଟିଏ ଆକ୍ରମଣକାରୀ ସବ୍ମେରାଇନ୍ ରୁଷିଆ ଠାରୁ ଲିଜ୍ ସୂତ୍ରରେ ୨୦୨୭-୨୮ ସୁଦ୍ଧା ଆଣିବାକୁ ପ୍ରଚେଷ୍ଟା ଜାରି ରଖିଛି ।
ଆମେରିକା ନୌସେନା ୧୪ ସଂଖ୍ୟକ ଏସ୍.ଏସ୍. ବି.ଏନ୍ ଏବଂ ୫୩ ସଂଖ୍ୟକ ଆଟାକ୍ ସବ୍ମେରାଇନରେ ସଜ୍ଜିତ ଥିଲାବେଳେ ଚୀନ୍ ନୌସେନାରେ ୧୨ ସଂଖ୍ୟକ ନ୍ୟୁକ୍ଲିଅର ସବ୍ମେରାଇନ୍ ରହିଛି ଏବଂ ଏଥିମଧ୍ୟରୁ ୬ଟି ନ୍ୟୁକ୍ଲିଅର ପାୱାର୍ଡ ଆଟାକ୍ ସବ୍ମେରାଇନ୍ ଥିବାର ସୂଚନା ମିଳେ । ଚୀନ୍ର ମାରିଟାଇମ୍ ଷ୍ଟଡିଜ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରକାଶିତ ଏକ ଆଲେଖ୍ୟରୁ ଜଣାଯାଏ ଯେ, ଚୀନ୍ ଅତିଘାତକ ସାଇଲେଣ୍ଟ ପରମାଣୁ ବୁଡ଼ାଜାହାଜ ନିର୍ମାଣ କରୁଛି । ଏହି ବୁଡ଼ାଜାହାଜ ସମୁଦ୍ରର ଜଳରାଶି ଭିତରେ ଯାତାୟାତ କରୁଥିଲାବେଳେ କୌଣସି ପ୍ରକାର ଶବ୍ଦ ହେବନାହିଁ । ଫଳରେ ଏହାକୁ ଟ୍ରାକିଂ କରିବା ବିଶେଷ କଷ୍ଟସାଧ୍ୟ । ଚୀନ୍ର ଏହି ବୁଡ଼ାଜାହାଜ ଜଳାବତରଣ କଲା ପରେ ଅନ୍ୟ ଦେଶପାଇଁ ନିଶ୍ଚୟ ଚିନ୍ତାର କାରଣ ପାଲଟିବ । ଚୀନ୍ ବିଗତ ୧୦ବର୍ଷ ଭିତରେ ୧୫୦ ସଂଖ୍ୟକ ଯୁଦ୍ଧପୋତ ତା'ର ନୌବାହିନୀରେ ସାମିଲ କରିସାରିଛି । ଆଗାମୀ ୧୦ବର୍ଷ ଭିତରେ ଚୀନ୍ ୫୫୫ ସଂଖ୍ୟକ ଭିନ୍ନ ଭିନ୍ନ କିସମର ଯୁଦ୍ଧପୋତରେ ସଜ୍ଜିତ କରିବାକୁ ରଖିଛି ଲକ୍ଷ୍ୟ । ସ୍ୱିଡେନଭିତ୍ତିକ ଥିଙ୍କ ଟ୍ୟାଙ୍କ "ସିପ୍ରି' ମୁତାବକ ବିଶ୍ୱରେ ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ଅଧିକ ଫୋକସ୍ ବଢ଼ିବାରେ ଲାଗିଛି ।
ଭାରତୀୟ ନୌବାହିନୀରେ ୧୬ ସଂଖ୍ୟକ କନ୍ଭେନ୍ସାନାଲ ସବ୍ମେରାଇନ୍ ଏବେ କାର୍ଯ୍ୟରତ । ଏଥିରେ ୬ ସଂଖ୍ୟକ "କାଲଭରି' ଶ୍ରେଣୀ ଆଟାକ୍ ସବ୍ମେରାଇନ୍ (ଆକ୍ରମଣକାରୀ ବୁଡ଼ାଜାହାଜ) ରହିଛି, ଯାହାକି ଫ୍ରାନ୍ସ ସହ ମିଳିତ ଉଦ୍ୟମରେ ମାଜଗାଓଁ ଡକ୍ରେ ନିର୍ମିତ । ଏଥିସହ "ଶିଶୁମାର କ୍ଲାସ୍ ସବ୍ମେରାଇନ୍' ଓ "ସିନ୍ଧୁଘୋଷ କ୍ଲାସ୍' ସବ୍ମେରାଇନ୍ ମଧ୍ୟ ରହିଛି । ଭାରତୀୟ ନୌବାହିନୀରେ ୧୮ (ଅଠର) ସଂଖ୍ୟକ ସବ୍ମେରାଇନ୍ରେ ସଜ୍ଜିତ ରହିବାର ଆବଶ୍ୟକତା ଥିବାର ଜଣାଯାଏ । ୨୦୩୫ ମସିହା ସୁଦ୍ଧା ୧୭୫ ସଂଖ୍ୟକ ଭିନ୍ନ ଭିନ୍ନ କିସମର ଯୁଦ୍ଧଜାହାଜରେ ଆମ ନୌବାହିନୀ ସଜ୍ଜିତ ହେବାକୁ ରହିଛି ଲକ୍ଷ୍ୟ ।
ପ୍ରତିରକ୍ଷା କ୍ଷେତ୍ରରେ ଆମକୁ କେବଳ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ, ବରଂ ଆମକୁ ଅତ୍ୟାଧୁନିକ ହେବାକୁ ମଧ୍ୟ ପଡ଼ିବ । ବିଗତ କିଛି ବର୍ଷ ଧରି ବର୍ତ୍ତମାନର ସରକାର କ୍ରମାଗତ ଭାବେ ପ୍ରତିରକ୍ଷା କ୍ଷେତ୍ରରେ ଏହି ଦିଗରେ ଉଦ୍ୟମ ଜାରି ରଖିଛନ୍ତି । ପ୍ରତିରକ୍ଷା ଭଳି ବିଭାଗରେ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି । ସାଧାରଣ ନାଗରିକଙ୍କ ସ୍ୱାର୍ଥକୁ ଉପେକ୍ଷା କରି ଦେଶ ଏହି କ୍ଷେତ୍ରରେ ମନଇଚ୍ଛା ଅର୍ଥବ୍ୟୟ କରିପାରିବ ନାହିଁ । ତେଣୁ ଏହି କ୍ଷେତ୍ରରେ ଏକ ବିଶ୍ୱାସଯୋଗ୍ୟ ପନ୍ଥା ବାହାର କରି ଆମକୁ ପ୍ରତିରକ୍ଷା ବ୍ୟବସ୍ଥାରେ ଆତ୍ମନିର୍ଭର ଏବଂ ଅପରାଜେୟ ଶକ୍ତିରେ ପରିଣତ ହେବାକୁ ପଡ଼ିବ । ଆଣବିକ ଶକ୍ତିଚାଳିତ "ଅରିଦମନ' ଆମ ଶୌର୍ଯ୍ୟ, ପ୍ରଯୁକ୍ତି ତଥା ଆତ୍ମନିର୍ଭରଶୀଳତାର ପ୍ରତୀକ ହେଉ ।