ନୂଆଦିଲ୍ଲୀ: ସାରା ବିଶ୍ୱର ସେନା ସେମାନଙ୍କର ଅସ୍ତ୍ରଶସ୍ତ୍ର ଏବଂ କୌଶଳ ବୃଦ୍ଧି କରିବାକୁ AI ବ୍ୟବହାର କରୁଛନ୍ତି । ଏହାର ସଦ୍ୟତମ ଉଦାହରଣ ହେଉଛି ଜୁନ୍ ମାସରେ ହୋଇଥିବା ଇରାନ-ଇସ୍ରାଏଲ ଯୁଦ୍ଧ । ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବା ପାଇଁ ଏଆଇ-ଚାଳିତ ଅସ୍ତ୍ରଶସ୍ତ୍ର ମଧ୍ୟ ବ୍ୟବହାର କରିଥିଲା । କିନ୍ତୁ ଚୀନର ଚେତାବନୀ ଏବେ ଏକ ବହୁତ ବଡ଼ ବିପଦକୁ ଇଙ୍ଗିତ କରୁଛି । ଚୀନ୍ ଚେତାବନୀ ଦେଇଛି ଯେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଆତଙ୍କବାଦୀମାନଙ୍କୁ ପରମାଣୁ କ୍ଷେପଣାସ୍ତ୍ର ଭଳି ସମଗ୍ର ବିଶ୍ୱକୁ ଧ୍ୱଂସ କରିପାରୁଥିବା ଅସ୍ତ୍ର ବିକଶିତ କରିବାରେ ସକ୍ଷମ କରିପାରେ।
ନିକଟରେ ପ୍ରକାଶିତ ଏଆଇ ସୁରକ୍ଷା ଡକ୍ୟୁମେଣ୍ଟରେ ସାଇବର ସୁରକ୍ଷା ଅଧିକାରୀମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ଏଆଇକୁ ନିୟନ୍ତ୍ରଣ କରାନଯାଏ ତେବେ ପରମାଣୁ, ଜୈବିକ, ରାସାୟନିକ ଏବଂ କ୍ଷେପଣାସ୍ତ୍ର ଅସ୍ତ୍ର ସହ ଜଡିତ ବିପଦପୂର୍ଣ୍ଣ ଜ୍ଞାନ ସାଧାରଣ ଲୋକ ଏବଂ ଆତଙ୍କବାଦୀ ସଂଗଠନମାନଙ୍କ ପାଖରେ ପହଞ୍ଚିପାରେ । ଚୀନ୍ ଅନୁଯାୟୀ, ଏଆଇର ‘etrieval-augmented generation’ଅର୍ଥାତ୍ ଇଣ୍ଟରନେଟ୍ ଏବଂ ଡାଟାବେସରୁ ଅଧିକରୁ ଅଧିକ ସୂଚନା ବାହାର କରି ଜବାବ ତିଆରି କରିବା କୌଶଳ ଦ୍ବାରା କୌଣସି ବ୍ୟକ୍ତି ଅସ୍ତ୍ରଶସ୍ତ୍ରର ତତ୍ତ୍ୱ ଏବଂ ଡିଜାଇନ୍ ପାଇପାରିବ।
ଚୀନ୍ କହିଛି ଯେ, ଯଦି ଏଭଳି ହୁଏ ତେବେ ବର୍ତ୍ତମାନର ସୁରକ୍ଷା ବ୍ୟବସ୍ଥା ଅକ୍ଷମ ହୋଇଯିବ । ବିଶ୍ୱ ଶାନ୍ତି ଏବଂ ସୁରକ୍ଷା ଗମ୍ଭୀର ଭାବରେ ପ୍ରଭାବିତ ହେବ । ଏହି ଡକ୍ୟୁମେଣ୍ଟ ଗତ ବର୍ଷର ଗ୍ଲୋବାଲ୍ ଏଆଇ ଗଭର୍ଣ୍ଣାନ୍ସ ଇନିସିଏଟିଭର ଏକ ଅପଡେଟ୍, ଯାହାକୁ ଚୀନ୍ର ନ୍ୟାସନାଲ୍ ସାଇବର ସିକ୍ୟୁରିଟି ଷ୍ଟାଣ୍ଡାର୍ଡାଇଜେସନ୍ ଟେକ୍ନିକାଲ୍ କମିଟି ଏବଂ ନ୍ୟାସନାଲ୍ କମ୍ପ୍ୟୁଟର୍ ନେଟୱାର୍କ ଜରୁରୀକାଳୀନ ଦଳ ଦ୍ୱାରା ବିକଶିତ କରାଯାଇଛି ।
ଏହା ପୂର୍ବରୁ ୨୦୨୪ରେ ଚୀନ୍ ଏଆଇର ଡୁଆଲ-ୟୁଜ୍ ଟେକନୋଲୋଜିକୁ ବିପଦପୂର୍ଣ୍ଣ ବୋଲି କହିଥିଲା । ପ୍ରଯୁକ୍ତିବିଦ୍ୟା ଯାହା ନିୟମିତ କାର୍ଯ୍ୟ ଏବଂ ଅସ୍ତ୍ର ଉଭୟ ପାଇଁ ବ୍ୟବହାର କରାଯାଇପାରିବ । ଆଉ ଏବେ ଚୀନ୍ ନିଜର ରିପୋର୍ଟରେ ଏଆଇ ଦ୍ବାରା ହେବାକୁ ଥିବା ବିନାଶର ଏକ ବିଶାଳ ରୂପକୁ ଉଜାଗର କରିଛି । ଅସ୍ତ୍ରଶସ୍ତ୍ର ବ୍ୟତୀତ, ଚୀନ୍ ରିପୋର୍ଟରେ ଏହା ମଧ୍ୟ କହିଛି ଯେ, ଲୋକମାନେ ଏଆଇ ଚାଟବଟ୍ ପ୍ରତି ଆକର୍ଷିତ ହୋଇପାରନ୍ତି । ଫଳରେ ଏହା ଲୋକମାନଙ୍କ ଶିକ୍ଷା ଏବଂ ନବସୃଜନକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।