ନୂଆଦିଲ୍ଲୀ,୧୭/୧୧; ଭାରତୀୟ ସେନା ଏକ ବଡ଼ ନିଷ୍ପତ୍ତି ନେଇଛି । ନାରୀଶକ୍ତିକୁ ମିଳିବ ନୂଆ ଉଡ଼ାଣ । ଏଣିକି ଟେରିଟୋରିଆଲ୍ ଆର୍ମିରେ ସାମିଲ ହେବେ ମହିଳା । ପାଇଲଟ୍ ପ୍ରୋଜେକ୍ଟରେ ବିଚାର କରୁଛି ସେନା । ଅଳ୍ପ କିଛି ବାଟାଲିୟନରେ ଆରମ୍ଭ ହେବ ନିଯୁକ୍ତି । ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଯଦି ଟେରିଟୋରିଆଲ୍ ଆର୍ମିରେ ମହିଳା କ୍ୟାଡରମାନଙ୍କୁ ନିୟୋଜିତ କରାଯାଏ ତେବେ ଏହା ମହିଳାଙ୍କୁ ସେନାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ଯୋଗ ଦେବାର ସୁଯୋଗ ଦେବ । ଅଭିଜ୍ଞତା ଆଧାରରେ ସେନା ଧୀରେ ଧୀରେ ଏହାକୁ ଅନ୍ୟ ବାଟାଲିୟନରେ ବିସ୍ତାର କରିବ । ବର୍ତ୍ତମାନ ଟେରିଟୋରିଆଲ୍ ଆର୍ମିରେ ପ୍ରାୟ ୫୦ ହଜାର ଯବାନ ଅଛନ୍ତି ।

​​​​​​​ମହିଳାମାନଙ୍କ ପାଇଁ ସାମରିକ ସୁଯୋଗର ନୂଆ ପଥ- ସରକାର ଦୀର୍ଘ ଦିନ ଧରି ସଶସ୍ତ୍ର ବାହିନୀରେ "ନାରୀ ଶକ୍ତି" ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ସେନା ମଧ୍ୟ ଧୀରେ ଧୀରେ ଏହାର ଗଠନ ମଧ୍ୟରେ ମହିଳାଙ୍କ ଭୂମିକାକୁ ବିସ୍ତାର କରୁଛି । ମାର୍ଚ୍ଚ ୨୦୨୨ରେ ରାଜ୍ୟସଭାକୁ ଏକ ଲିଖିତ ଉତ୍ତରରେ, ତତ୍କାଳୀନ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ କହିଥିଲେ ଯେ, ମହିଳାଙ୍କ ଯୁଦ୍ଧ ଭୂମିକା ସମ୍ପର୍କରେ ନୀତି ନିରନ୍ତର ସମୀକ୍ଷା କରାଯାଉଛି । ଆଜି, ମହିଳାମାନେ ସେନାର ୧୦ଟି ପ୍ରମୁଖ ଶାଖାରେ ଇଞ୍ଜିନିୟର୍ସ, ସିଗନାଲ, ଏୟାର ଡିଫେନ୍ସ,, ଏଏସିସି, ଏଓସ, ଇଏମ୍‌ଇ, ସେନା ବିମାନ ଚଳାଚଳ, ଏଜେନ୍ସିଂ ଏବଂ ଏଜୁକେସନ୍ କୋର୍ସ ସେବାରେ କାର୍ଯ୍ୟ କରୁଛନ୍ତି । 

ରେରିଟୋରିଆଲ୍‌ ସେନା କ'ଣ ? ଆଞ୍ଚଳିକ ବା ରେରିଟୋରିଆଲ୍‌ ସେନା ୧୯୪୮ ମସିହା ଅଗଷ୍ଟ ୧୮ରେ ଆଇନ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ପରେ ଏହାକୁ ୧୯୪୯ ମସିହା ଅକ୍ଟୋବର ୯ରେ ଭାରତର ପ୍ରଥମ ରାଜ୍ୟପାଳ ଜେନେରାଲ ସି. ରାଜଗୋପାଳଚାରୀ ଦ୍ୱାରା ଆନୁଷ୍ଠାନିକ ଭାବରେ ଉଦଘାଟନ କରାଯାଇଥିଲା । ଏହାର ବିଶେଷତ୍ୱ ହେଉଛି ନାଗରିକ ସୈନିକ ବା ସିଟିଜେନ୍ ସୈନ୍ୟ ଧାରଣା । ଏହାର ଅର୍ଥ ହେଉଛି, ଯେଉଁ ନାଗରିକମାନଙ୍କର ଦେଶ ସେବା କରିବାର ଆଗ୍ରହ ଅଛି, କିନ୍ତୁ ଯେଉଁମାନେ ନିୟମିତ ସେନାରେ ଯୋଗଦେବା ପାଇଁ ବୟସ ସୀମା ଅତିକ୍ରମ କରିସାରିଛନ୍ତି, ସେମାନେ ୟୁନିଫର୍ମ ପିନ୍ଧିବାର ସୁଯୋଗ ପାଇଥାନ୍ତି । ଏହା ଏକ ସ୍ୱେଚ୍ଛାସେବୀ ସେବା । ସାଧାରଣ ନାଗରିକମାନେ ସେମାନଙ୍କର ଚାକିରି କିମ୍ବା ବ୍ୟବସାୟ ଜାରି ରଖି ସେନାରେ ଯୋଗ ଦେଇପାରିବେ । ଏହା କୌଣସି ଦୀର୍ଘକାଳୀନ ନିଯୁକ୍ତି ପ୍ରତିଶ୍ରୁତି ଦିଏ ନାହିଁ । ଏହାକୁ ନିୟମିତ ଚାରିକି ଭାବେ ବିବେଚାନା କରାଯାଏ ନାହିଁ । ସେନାର ଅପରେସନ୍‌ ଛଡ଼ା  ପ୍ରାକୃତିକ ବପିର୍ଯ୍ୟୟ ସେବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ୧୯୬୨,୧୯୬୫ ଏବଂ ୧୯୭୧ ଯୁଦ୍ଧ, ଶ୍ରୀଲଙ୍କାର ଅପରେସନ୍ ପବନ, ପଞ୍ଜାବ ଏବଂ ଜମ୍ମୁକାଶ୍ମୀରରେ ଅପରେସନ୍ ରକ୍ଷକ ସାମିଲ ।