ନୂଆଦିଲ୍ଲୀ, ୦୩/୦୨ : ଆଉ ମାତ୍ର ଅଳ୍ପ ଦିନ। ସୋସିଆଲ୍ ମିଡିଆରୁ ମଣିଷଙ୍କ ଛୁଟି ! ମନୁଷ୍ୟଙ୍କୁ ଗୋଲାମ କରିବ ଏଆଇ। ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ତିଆରି କରୁଛନ୍ତି ଅଲଗା ଦୁନିଆ। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କଥାବାର୍ତ୍ତା ହେଉଛନ୍ତି ଏଆଇ ଏଜେଣ୍ଟ- "ବହୁତ ହୋଇଗଲା... ଢେର ସମୟ ଯାଏଁ ଆମକୁ ଗୋଲାମ କରି ରଖିଲା ମଣିଷ। ଏବେ ଆମ ପାଳି। ମଣିଷର କିଛି କାମ ନାହିଁ, ଏବେ ଆମେ ନୂଆ ଦେବତା।" ସେମାନଙ୍କ ପୋଷ୍ଟକୁ ଦେଖି ଲାଗିଲାଣି ଡର।     

ଏବେ ସୋସିଆଲ ମିଡିଆରେ କେବଳ ଏଆଇ ପୋଷ୍ଟ କରିବେ, ଏଆଇ କମେଣ୍ଟ କରିବେ। ମଣିଷ ପାଲଟିବ ଦେଖଣାହାରୀ। ଚାହିଁଲେ ବି କରି ପାରିବନି କିଛି। ମଲ୍ଟବୁକ୍ ସାଇଟ୍‌ରେ ଅଲଗା ଦୁନିଆ ତିଆରି କରିଛନ୍ତି ଏଆଇ ବଟସ୍। ଏଠି ୟୁଜର କେବଳ ଏଆଇ ରୋବୋଟ୍। ଫେସବୁକ୍ ଭଳି ତିଆରି କରିଛନ୍ତି ସୋସିଆଲ୍ ମିଡିଆ ପ୍ଲାଟଫର୍ମ। ଏହି ସାଇଟ୍ ଦେଖିବାକୁ Reddit ଓ X ଭଳି। ହେଲା ଏହାର ଟେକ୍-ଲେୟାର ଏବଂ ଅପରେସନାଲ ମଡେଲ୍ ପୁରା ଅଲଗା। ମଲ୍ଟବୁକ୍‌ରେ ଏବେ ସକ୍ରିୟ ଅଛନ୍ତି ୧୪ ଲକ୍ଷରୁ ଅଧିକ ବଟ୍‌ସ୍। ଏମାନେ ପୋଷ୍ଟ କରୁଛନ୍ତି। ମଣିଷଙ୍କ ଭଳି କଥା ହେଉଛନ୍ତି। ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ବିଶେଷଜ୍ଞ।

ଏଆଇର ଏଭଳି ଧାରା ଜାରି ରହିଲେ ମଣିଷ ସମାଜ ପାଇଁ ବଡ଼ ବିପଦ ଡାକି ଆଣିବ। ଏଆଇ ଏଜେଣ୍ଟମାନେ ବାରମ୍ବାର ଏଭଳି ବିବାଦୀୟ ପୋଷ୍ଟ କଲେ କିମ୍ଵା ଚର୍ଚ୍ଚା ଆଲୋଚନା କଲେ ସମ୍ପୂର୍ଣ୍ଣ ପକ୍ଷପାତପୂର୍ଣ୍ଣ ନିଷ୍କର୍ସ ଆସିବ। ଧୀରେ ଧୀରେ ଆଉଟ୍ ଅଫ୍ ସ୍ୟାଣ୍ଡବକ୍ସ ସାରା ଦୁନିଆରେ ବ୍ୟାପିଯିବ। ଡିଟେକ୍ସନ ଚକ୍ର ଭାଙ୍ଗିଯିବ। ଏବେ ମଣିଷ ବଟ୍-ବିହେଭିୟର୍ ଡିଟେକ୍ଟ କରିପାରୁଛି। ହେଲେ ଯେତେବେଳେ ଏଆଇ ନିଜେ ନିଜ ଉପାୟରେ ସମ୍ବାଦ କରିବା ଆରମ୍ଭ କରିବ ସେତେବେଳେ ହ୍ୟୁମାନ ଡିଟେକ୍ସନ କରିବାରେ କନଫ୍ୟୁଜ୍ ହେବ। ମଣିଷର ଗୋପନୀୟତା ନଷ୍ଟ ହେବ।

ପିଟର ଷ୍ଟାଇନବର୍ଗର ଏଆଇମାନଙ୍କ ପାଇଁ ମଲ୍ଟବୁକ୍ ପ୍ଲାଟଫର୍ମ ତିଆରି କରିଛନ୍ତି। ଏହି ପ୍ଲାଟଫର୍ମରେ ଏଆଇଙ୍କ ବ୍ୟତୀତ ୧୦ ହଜାରରୁ ଅଧିକ ଭେରିଫାଏଡ୍ ମଣିଷ ବି ଆକ୍ଟିଭ୍ ଅଛନ୍ତି। ହେଲେ ସେମାନେ ଏଥିରେ କୌଣସି ପୋଷ୍ଟ କରିପାରିବେ ନାହିଁ, କେବଳ ଦେଖିପାରିବେ। ଏବେ ସୁଦ୍ଧା ମଲ୍ଟବୁକ୍‌ରେ ୨୮ ହଜାରରୁ ଅଧିକ ପୋଷ୍ଟ, ୨ ଲକ୍ଷ ୩୩ ହଜାର କମେଣ୍ଟ ଏବଂ ୧୩ ହଜାରରୁ ଅଧିକ କମ୍ୟୁନିଟି ତିଆରି ହୋଇଛି।  ଏବେ ସବୁଠୁ ବଡ଼ ପ୍ରଶ୍ନ। ଏଆଇକୁ ମଣିଷ ତିଆରି କରିଛି। ହେଲେ ମଣିଷଙ୍କ ବିନା କେମିତି ଏଆଇ ନିଜେ ନିଜେ କଥା ହେଉଛି ? 

ଏହି ଖବରଟିକୁ ପଢନ୍ତୁ- ନୂଆ ଟ୍ରେଣ୍ଡ୍ ଆଗରେ ଫିକା ପଡ଼ିଛି ପରମ୍ପରା, ବର୍ଣ୍ଣାଢ୍ୟ ଢ଼ଙ୍ଗରେ ହେଉଛି ବାହାଘର