କଟକ,୦୪/୧୦: ପ୍ରାୟ ୭୦ ଦଶକରେ  ଅରୁଣୋଦୟ ମାର୍କେଟ୍‌ସ୍ଥିତ ସିଡିଏ କମ୍ପେ୍ଲକ୍ସ  ନିର୍ମାଣ ହୋଇଥିଲା । ୫୦ ବର୍ଷ ବିତିବା ଭିତରେ  ଏହି ମାର୍କେଟ୍‌ କମ୍ପେ୍ଲକ୍ସ ପରିସର ଏବେ ଆଉ  ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ । ଅସୁରକ୍ଷିତ  ହେବା କାରଣରୁ ଏହାକୁ ଭଙ୍ଗାଯିବ । ସେହି  ସ୍ଥାନରେ ଏକ ପାଞ୍ଚ ମହଲା ବିଶିଷ୍ଟ ଭବ୍ୟ  ଅଟ୍ଟାଳିକା ନିର୍ମାଣ କରାଯିବାକୁ ସିଡିଏର ଅଥରିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।  

୧୯୬୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ  କଟକ ସହରର ଉନ୍ନତି ପାଇଁ ଗ୍ରେଟର୍‌ କଟକ  ଇମ୍ପ୍ରୁଭ୍‌ମେଣ୍ଟ୍‌ ଟ୍ରଷ୍ଟର ଭିତ୍ତିପ୍ରସ୍ତର ପକାଇଥିଲେ ।  ଏଥିପାଇଁ ଅରୁଣୋଦୟ ମାର୍କେଟ୍‌ କମ୍ପେ୍ଲକ୍ସର  ନିର୍ମାଣ କରାଯାଇଥିଲା । ମାର୍କେଟ୍‌ କମ୍ପେ୍ଲକ୍ସରେ  ଏହାର କାର୍ଯ୍ୟାଳୟ ଚାଲିଥିଲା । ପରେ ଓଡ଼ିଶା  ଡେଭଲପ୍‌ମେଣ୍ଟ ଅଥରିଟି ଆଇନ-୧୯୮୨  ଆଧାରରେ କଟକ ଇମ୍ପ୍ରୁଭ୍‌ମେଣ୍ଟ ଟ୍ରଷ୍ଟ ପରିବର୍ତ୍ତେ  ଏହାକୁ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ବୋଲି  ଘୋଷଣା କରାଗଲା । ସେବେଠାରୁ ମାର୍କେଟ୍‌  କମ୍ପେ୍ଲକ୍ସରେ ସିଡିଏ କାର୍ଯ୍ୟାଳୟ ଚାଲିଆସୁଛି ।  କେବଳ ସିଡିଏ କାର୍ଯ୍ୟାଳୟ ନୁହେଁ, ସେଠାରେ  ପୂର୍ବରୁ ଇନ୍‌କମ୍‌ ଟ୍ୟାକ୍ସ ଅଫିସ୍‌, ଟ୍ରେଜେରୀ  କାର୍ଯ୍ୟାଳୟ, ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ ଇଣ୍ଡିଆ,  ଓଡ଼ିଶା ସମବାୟ ସମିତି, ପୋଷ୍ଟାଲ୍‌ ଅଫିସ୍‌,  ପର୍ଯ୍ୟଟନ ନିର୍ଦ୍ଦେଶାଳୟ, ଚଳଚ୍ଚିତ୍ର ଉନ୍ନୟନ  ନିଗମ ଅଥରିଟି ଆଦି  କାର୍ଯ୍ୟାଳୟ କାର୍ଯ୍ୟ କରୁଥିଲା ।  ଏହାଦ୍ୱାରା ସିଡିଏର ଭଲ  ଆୟ ମଧ୍ୟ ହେଉଥିଲା ।  

କିନ୍ତୁ ଗତ କିଛି  ବର୍ଷ ଭିତରେ ସିଡିଏ  କାର୍ଯ୍ୟାଳୟ ପରିସରସ୍ଥ  ଏହି କଂପ୍ଲେକ୍‌ସ୍‌ର ଭିତ୍ତିଭୂମି  ଦୁର୍ବଳ ହେବାରେ ଲାଗିଛି ।  କେତେବେଳେ ଏହାର  ଛାତରୁ ପ୍ଲାଷ୍ଟର୍‌ ଭାଙ୍ଗି  ଗଳିପଡ଼ିଲାଣି ତ’ ଆଉ  କେଉଁଠି ଦୁର୍ବଳ କାନ୍ଥ ଭୁଶୁଡ଼ି ପଡୁଛି । ବର୍ଷାଦିନେ  ସିଡିଏ କାର୍ଯ୍ୟାଳୟ ଭିତରେ ପାଣି ଲହଡ଼ି ମାରିବା  ଚିତ୍ର ସେଠାରେ ଏକ ଅସ୍ୱାସ୍ଥ୍ୟକର ପରିବେଶ  ସୃଷ୍ଟି କରେ । ପାଣି ଭିତରେ ସିଡିଏର ଅଧିକାରୀ  ତଥା କର୍ମଚାରୀମାନେ ପଶିବା ମଧ୍ୟ କଷ୍ଟକର  ହୋଇପଡ଼େ । ସହର ଉନ୍ନତିର ଦାୟିତ୍ୱ ନେଇଥିବା  ସିଡିଏ ନିଜ କୋଠାର ସୁରକ୍ଷା କରିପାରିଲା ନାହିଁ ।  ଫଳରେ ଏହି ମାର୍କେଟ୍‌ କମ୍ପେ୍ଲକ୍ସରେ ଦୀର୍ଘ ବର୍ଷ  ଧରି ରହି ଆସିଥିବା ଅଧିକାଂଶ କାର୍ଯ୍ୟାଳୟ  ଧୀରେ ଧୀରେ ଅନ୍ୟତ୍ର  ଚାଲିଗଲେ । ଏବେ  ସିଡିଏ କାର୍ଯ୍ୟାଳୟ  ସମେତ ଆଉ ଅଳ୍ପ  କିଛି କାର୍ଯ୍ୟାଳୟ  ରହିଛି । କଟକ  ସହରର ଛାତି ଉପରେ  ଥିବା ଏକ ବିରାଟ  କୋଠା ଅସୁରକ୍ଷିତ  ହେବା କାରଣରୁ  ଏବେ ଶ୍ରୀହୀନ  ପାଲଟିଛି । ଅଧିକାଂଶ  ଘର ଏହାର ଖାଲିପଡ଼ିଛି । କିନ୍ତୁ ପ୍ରତିବର୍ଷ ଏହି  କୋଠାର ମରାମତି ନାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ  କରାଯାଉଛି । କେବଳ କିଛି ଅଧକାରୀ ତଥା ଯନ୍ତ୍ରୀ  ବିଭାଗ ନିଜ ହାତ ଚିକ୍କଣ ପାଇଁ ଏହି କୋଠାର  ମରାମତି ନାଁରେ ଅର୍ଥ ଲୁଟ୍‌ କରି ଚାଲିଛନ୍ତି ।  ହେଲେ ଏହି କାର୍ଯ୍ୟାଳୟର ପ୍ରକୃତପକ୍ଷେ  କୌଣସି ପ୍ରକାର ଉନ୍ନତି ହୋଇପାରୁନାହିଁ ।  

ଏହି ଘର ନଷ୍ଟ ହେବାକୁ ଲାଗିବାରୁ ପ୍ରାୟ ୮ବର୍ଷ  ତଳେ ଏହି ଘରକୁ ଅସୁରକ୍ଷିତ ଘୋଷଣା ପାଇଁ  ପୂର୍ତ୍ତ ବିଭାଗକୁ କୁହାଯାଇଥିଲା । କିନ୍ତୁ ପୂର୍ତ୍ତ ବିଭାଗ  ଘରର ସ୍ଥିତି ଦେଖିବା ପରେ ଏହା ଅସୁରକ୍ଷିତ  ନୁହେଁ ବୋଲି ଜଣାଇଥିଲା । ଇତିମଧ୍ୟରେ ଏହି ଘର  ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିଛି । ଘରର ଚାରିଆଡ଼ୁ  ପ୍ଲାଷ୍ଟର୍‌ ଖସିଗଲାଣି । ଛାତ, କାନ୍ଥରେ ଗଛ, ଲତା  ମାଡ଼ିଯାଇଛି । ଫଳରେ ଏହି ଘରକୁ ଅସୁରକ୍ଷିତ  ଘୋଷଣା ପାଇଁ ସିଡିଏ ପକ୍ଷରୁ ପୂର୍ତ୍ତ ବିଭାଗକୁ  ପୁଣି ଅନୁରୋଧ କରାଯାଇଛି । ପୂର୍ତ୍ତ ବିଭାଗ ଏହି  ଘରକୁ ଅସୁରକ୍ଷିତ ଘୋଷଣା ପରେ ଘରକୁ  ଭଙ୍ଗାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସିଡିଏ  ସଚିବ ଶ୍ୱେତ କୁମାର ଦାଶ ସୂଚନା ଦେଇଛନ୍ତି ।  ଅଥରିଟି ବୈଠକରେ ଏ ସଂକ୍ରାନ୍ତରେ ମଧ୍ୟ ନିଷ୍ପତ୍ତି  ନିଆଯାଇଛି । ତେବେ ପାଞ୍ଚ ମହଲା କୋଠା ନିର୍ମାଣ  ପାଇଁ କେତେ ଖର୍ଚ୍ଚ ହେବ ତାହାର ଏକ ବଜେଟ୍‌  ସିଡିଏକୁ ପୂର୍ତ୍ତ ବିଭାଗ ପ୍ରଦାନ କରିବ । ଏହି ଅର୍ଥ  ମଞ୍ଜୁର ପରେ ସିଡିଏର ନୂଆ କୋଠା ନିର୍ମାଣ ଆରମ୍ଭ  ହେବ ବୋଲି ସଚିବ ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।