ନୂଆଦିଲ୍ଲୀ,୧୫।୧:  ଦିଲ୍ଲୀ ବିଧାନସଭା ନର୍ବାଚନରେ ବୁଧବାର ନାମାଙ୍କନର ଦିନ ଥିଲା। ବିଜେପି, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର ବହୁ ନେତା ନିଜର ନାମାଙ୍କନ ଦାଖଲ କରିଛନ୍ତି। ନୂଆଦିଲ୍ଲୀ ଆସନରୁ ଆପ୍‌ ମୁଖିଆ ଅରବିନ୍ଦ କେଜ୍ରିଓ୍ବାଲ ଓ ବିଜେପିର ପ୍ରାର୍ଥୀ ପ୍ରବେଶ ବର୍ମା ଦାଖଲ କରିଛନ୍ତି ନାମାଙ୍କନ।

ନାମାଙ୍କନ ପୂର୍ବରୁ ଦୁଇ ନେତା ବାଲ୍ମିକୀ ମନ୍ଦିର ଯାଇ ପୂଜା କରିଥିଲେ। ଏହାପରେ ପଦଯାତ୍ରା କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଫିସରେ ପହଁଞ୍ଚିଥିଲେ। ନାମାଙ୍କନ ପୂର୍ବରୁ କେଜ୍ରିଓ୍ବାଲ ଓ ପ୍ରବେଶ ବର୍ମା ପଦଯାତ୍ରା ଜରିଆରେ ନିଜର ଶକ୍ତି ପ୍ରଦର୍ଶନ ମଧ୍ୟ କରିଥିଲେ। ଦୁଇ ନେତାଙ୍କ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରୁଥିଲେ ଯେ, ଜନତାଙ୍କ ସମର୍ଥନ ତାଙ୍କ ସହ ରହିଛି। ଲୋକେ କାହା ସହିତ ଅଛନ୍ତି ତାହା କହିବା କଷ୍ଟକର ଥିଲା। ତେବେ ଏତିକି ତ ସ୍ପଷ୍ଟ ଯେ ନୂଆଦିଲ୍ଲୀ ଆସନରେ ପୁରା ହେବ କଡା ଟକ୍କର।

ନୂଆଦିଲ୍ଲୀ ଆସନରୁ ଏଥର ତ୍ରିକୋଣୀୟ ଓ ଦରଦାର ଲଢେଇ ଦେଖିବାକୁ ମିଳିପାରେ। କେଜ୍ରିଓ୍ବାଲ ଲଗାତାର ଚତୁର୍ଥ ଥର ଏହି ଆସନ ଜିତି ଲୋକଙ୍କ ଭିତରେ ଆସ୍ଥାଭାଜନ ହେବାର ସାର୍ଟଫିକେଟ୍‌ ଚାହାନ୍ତି। ସେପଟେ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ ଓ ପୂର୍ବତନ ସାଂସଦ ପ୍ରବେଶ ବର୍ମାଙ୍କୁ ଟିକେଟ ଦେଇ ଆପ୍ ମୁଖ୍ୟଙ୍କୁ କଡ୍ଡା ଟକ୍କର ଦେବାକୁ ଚାହୁଁଛି। ସେଭଳି କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପୁଅକୁ ଟିକେଟ ଦେଇ ଲଢେଇ ଆହୁରି ମଜାଦାର ମୋଡରେ ନେଇଆସିଛି। ଦିଲ୍ଲୀରେ ସବୁ ୭୦ଟି ଆସନରେ ୫ ଫେବୃଆରୀରେ ଭୋଟିଂ ହେବ ଓ ୮ ରେ ଫଳାଫଳ ଘୋଷିତ ହେବ।