ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜଙ୍ଗପୁରାରେ ଆୟୋଜିତ ନିର୍ବାଚନୀ ରାଲିରେ 'ଶୀଶମହଲ'କୁ ନେଇ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ‘‘ଶୀଶ୍‌ମହଲ ପାଇଁ ଖର୍ଚ୍ଚ ହୋଇଥିବା ୫୧,୦୦୦ କୋଟି ଟଙ୍କା ଦିଲ୍ଲୀବାସୀଙ୍କର । ୨୦୧୩ ମସିହାରେ କେଜ୍ରିୱାଲ କହିଥିଲେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ଘର, ଗାଡ଼ି କିମ୍ବା ସୁରକ୍ଷା ନେବେ ନାହିଁ । କିନ୍ତୁ ସେ ଏକ ଗାଡ଼ି ଏବଂ ଏକ ବଙ୍ଗଳା ନେଇଥିଲେ । ସେ ଗୋଟିଏ ଘରରେ ସନ୍ତୁଷ୍ଟ ନଥିଲେ, ତେଣୁ ସେ 'ଶୀଶମହଲ' ନିର୍ମାଣ କରିଥିଲେ । ଏହି ୫୧,୦୦୦ କୋଟି ଟଙ୍କା କାହାର ? ଏହା ଦିଲ୍ଲୀବାସୀଙ୍କର । ମୁଁ ପ୍ରତିଶ୍ରୁତି ଦେଉଛି ଯେ, ଆମେ ସାଧାରଣ ଲୋକଙ୍କ ଲାଗି 'ଶୀଶ୍‌ମହଲ' ଖୋଲିବୁ।’’

ଆପ ନେତା ମନୀଷ ସିସୋଦିଆଙ୍କୁ ଟାର୍ଗେଟ କରି ଶାହ କହିଛନ୍ତି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପାଟପରଗଞ୍ଜର ବାସିନ୍ଦାଙ୍କୁ ଠକିଛନ୍ତି।  ମନୀଷ ସିସୋଦିଆ (ଜଙ୍ଗପୁରା ନିର୍ବାଚନମଣ୍ଡଳୀରୁ ଆପ ପ୍ରାର୍ଥୀ) ଏବେ ଏଠାକୁ ଆସିଛନ୍ତି । ଆପଣ ତାଙ୍କୁ ପଚାରିବା ଉଚିତ ଯେ, ସେ ଏପରି କ'ଣ କରିଥିଲେ ତାଙ୍କୁ ପାଟପରଗଞ୍ଜ (ନିର୍ବାଚନମଣ୍ଡଳୀ) ଛାଡିବାକୁ ପଡିଲା ? ସେ ଭାବୁଛନ୍ତି ପାଟପରଗଞ୍ଜର ଲୋକମାନଙ୍କୁ ଠକିବା ପରେ ସେ ଏବେ ଜଙ୍ଗପୁରାରେ ମିଥ୍ୟା ପ୍ରତିଶ୍ରୁତି ଦେବେ । ବିଜେପି ନେତା ଆହୁରି କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ଭାବରେ, ସିସୋଦିଆ ସମସ୍ତ ମନ୍ଦିର, ସ୍କୁଲ ଏବଂ ଗୁରୁଦ୍ୱାର ନିକଟରେ ମଦ ଦୋକାନ ଖୋଲିଥିଲେ। ଦେଶରେ ଏଭଳି ଜଣେ ଶିକ୍ଷାମନ୍ତ୍ରୀ ଯିଏ ମଦ ଦୁର୍ନୀତିରେ ଜେଲ ଯାଇଥିଲେ ବୋଲି ସିସୋଦିଆଙ୍କୁ କଟାକ୍ଷ କରି କହିଛନ୍ତି ଶାହ ।




ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କ ଟାର୍ଗେଟ କରି ଶାହ କହିଛନ୍ତି, "ବଡେ ମିଆଁ ଏବଂ ଛୋଟେ ମିଆଁ ଦିଲ୍ଲୀକୁ ଠକିଛନ୍ତି।" ଉଲ୍ଲେଖଯୋଗ୍ୟ, ବର୍ତ୍ତମାନର ପାଟପରଗଞ୍ଜ ବିଧାୟକ ମନୀଷ ସିସୋଦିଆ ଜଙ୍ଗପୁରା ବିଧାନସଭା ଆସନରୁ ବିଜେପିର ତରବିନ୍ଦର ସିଂହ ମାରୱାହ ଏବଂ କଂଗ୍ରେସର ଫରହାଦ ସୁରୀଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଶେଷ ହୋଇଛି । ଦିଲ୍ଲୀରେ ଫେବୃଆରୀ ୫ ରେ ନିର୍ବାଚନ ହେବ ଏବଂ ଫେବୃଆରୀ ୮ ରେ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ ରେଜଲ୍ଟ ଆସିବା ପରେ କେଉଁ ଦଳ ଦିଲ୍ଲୀରେ ସରକାର ଗଢ଼ିବ ତାହା ସ୍ପଷ୍ଟ ହୋଇଯିବ । ଆଜି ପ୍ରଚାର ଶେଷ ହୋଇଥିବା ବେଳେ ବୁଧବାର ମତଦାନ ଏବଂ ଶନିବାର ଆସିବ ଦିଲ୍ଲୀ ରେଜଲ୍ଟ ।