​​​​​ଭୁବନେଶ୍ଵର, ୧୧/୦୭ : ଭିଜିଲାନ୍ସକୁ ଚକମା ଦେଇ ଚମ୍ପଟ ମାରିଲେ ପୁଲିସ ବାବୁ। ନାଚୁଣୀ ଥାନା ASI ଅକ୍ଷୟ ସେଠୀ ଲାଞ୍ଚ ନେଇ ଫେରାର, ଜଳକା ହୋଇଗଲା ଭିଜିଲାନ୍ସ ଟିମ୍ । ଜମି ବିବାଦର ସମାଧାନ ପାଇଁ ASI ଅକ୍ଷୟ ସେଠୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ରେଡ୍ କରିଥିଲା । ଭିଜିଲାନ୍ସକୁ ଚକମା ଦେଇ ASI ଲାଞ୍ଚ ଟଙ୍କା ଧରି ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ପୁଲିସ ପ୍ରୟାସ କରୁଛି।

ସୂଚନା ଅନୁଯାୟୀ, ଜୁଲାଇ ୫ ତାରିଖରେ ଜମିଜମା ବିବାଦକୁ ନେଇ ଜଣେ ଅଭିଯୋଗକାରୀ ନାଚୁଣୀ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷ ମଧ୍ୟ ଅଭିଯୋଗକାରୀଙ୍କ ବିରୋଧରେ ଏକ ପାଲଟା ଏଫଆଇଆର ଦେଇଥିଲେ। ଉଭୟ ମାମଲାର ତଦନ୍ତ ଦାୟିତ୍ୱ ଏଏସ୍ଆଇ ଅକ୍ଷୟ କୁମାର ସେଠୀଙ୍କୁ ଦିଆଯାଇଥିଲା। ସେହିଦିନ ସନ୍ଧ୍ୟାରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଏହା ପରେ ମାମଲାକୁ ଥାନା ସ୍ତରରେ ଫଇସଲା କରିବା ପାଇଁ ଏଏସ୍ଆଇ ଉଭୟ ପକ୍ଷଙ୍କଠାରୁ ୫ ହଜାର ଟଙ୍କା ଲେଖାଏଁ ମୋଟ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଓଡ଼ିଶା ବାହାରକୁ ଫେରିବାକୁ ଥିବାରୁ ସେ ଶୀଘ୍ର ମାମଲାର ସମାଧାନ ପାଇଁ ଅନୁରୋଧ କରିଥିଲେ। ଏଥିରେ ଏଏସ୍ଆଇ ଜୁଲାଇ ୧୦ ତାରିଖରେ ଏକ ଆଫିଡେଭିଟ୍ ସହ ୫ ହଜାର ଟଙ୍କା ଆଣିବାକୁ କହିଥିଲେ ଏବଂ ତା'ପରେ ମାମଲାର ସମାଧାନ କରିଦେବେ ବୋଲି ଆଶ୍ୱାସନ ଦେଇଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ଟିମ୍ ଛକି ବସିଥିଲେ। ଏଏସ୍ଆଇ ଅଭିଯୋଗକାରୀଙ୍କଠାରୁ ୫ ହଜାର ଟଙ୍କା ଗ୍ରହଣ କରିବା ପରେ ଭିଜିଲାନ୍ସ ଟିମ୍ ତାଙ୍କ ଆଡ଼କୁ ଆସୁଥିବା ଦେଖି ବାଇକ୍ ରେ ଲାଞ୍ଚ ଟଙ୍କା ଧରି ଫେରାର ହୋଇଯାଇଥିଲେ। ଫେରାର ଏଏସ୍ଆଇଙ୍କୁ ଧରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି।

ଆହୁରି ପଢନ୍ତୁ- IPS resignation : ଜଗମୋହନ ମୀନାଙ୍କ ପରେ ଆଉ ଜଣେ ଯୁବ IPSଙ୍କ ଇସ୍ତଫା, ଚାକିରିରେ ଯୋଗ ନଦେଉଣୁ ପଠାଇଲେ ଇସ୍ତଫା ପତ୍ର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସାରା ଶରୀରର ରଙ୍ଗ ଭିନ୍ନ ରହିଥିବାବେଳେ ମୁହଁ କଳା କାହିଁକି ?