ନୂଆଦିଲ୍ଲୀ,୧୪।୯: ମହିଳା ଏସିଆ କପ୍ ହକି ୨୦୨୫ର ଫାଇନାଲରେ ଆଜି ରବିବାର ଭାରତ ଓ ଆୟୋଜକ ଚୀନ୍ ମଧ୍ୟରେ ହୋଇଛି କଡ଼ା ଟକ୍କର। ହାଙ୍ଗଝୋଉରେ ଖେଳା ଯାଇଥିବା ଏହି ମୁକାବିଲାରେ ଚୀନ୍ ୪-୧ରେ ବିଜୟ ହୋଇଛି। ଚୀନ୍ ପାଇଁ ଓଉ ଜିକ୍ସିୟା, (୨୧ ମିନିଟ୍), ଲି ହଙ୍ଗ (୪୧ ମିନିଟ୍), ଜୁ ମିରଙ୍ଗ (୫୧ ମିନିଟ୍) ଓ ଜୋଙ୍ଗ ଜିୟାକି (୫୩ ତମ ମିନିଟ୍)ରେ ଗୋଲ ଦେଇଥିଲେ।
ଭାରତ ପକ୍ଷରୁ ଏକ ମାତ୍ର ଗୋଲ୍ ନଭନୀତ କୌର (ପ୍ରଥମ ମିନିଟ୍)ରେ କରିଥିଲେ। ଚୀନ୍କୁ ଏବେ ଆଗାମୀ ବର୍ଷ ୧୪ ରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ବେଲଜିୟମ୍ ଓ ନେଦରଲ୍ୟାଣ୍ଡରେ ହେବାକୁ ଥିବା ମହିଳା ହକି ଓ୍ବାର୍ଲ୍ଡକପ୍ ପାଇଁ ସିଧା ଏଣ୍ଟ୍ରି ମିଳିଯାଇଛି। ସେଭଳି ଭାରତୀୟ ଟିମ୍କୁ ଏବେ କ୍ବାଲିଫାଏର ମୁକାବିଲା ଖେଳିବାକୁ ହେବ। କ୍ବାଲିଫାଏର ଟୁର୍ଣ୍ଣାମେଣ୍ଟ ଫେବୃଆରୀ-ମାର୍ଚ୍ଚ ମଧ୍ୟରେ ଖେଳାଯିବ।
ଭାରତୀୟ ଦଳ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲା। ପ୍ରଥମ କ୍ୱାର୍ଟରର ପ୍ରଥମ ମିନିଟ୍ରେ ନବନୀତ କୌର ପେନାଲ୍ଟି କର୍ଣ୍ଣରରେ ଗୋଟିଏ ଗୋଲ୍ ଦେଇ ଭାରତୀୟ ଦଳକୁ ୧-୦ ଆଗୁଆ କରିଥିଲେ। ପ୍ରଥମ କ୍ୱାର୍ଟରରେ ଚୀନ୍ ଟିମ୍ ମଧ୍ୟ ଖୁବ୍ ଚେଷ୍ଟା କରିଥିଲା କିନ୍ତୁ କୌଣସି ଗୋଲ କରିପାରିନଥିଲା। ଦ୍ୱିତୀୟ କ୍ୱାର୍ଟର ଚୀନ୍ ସପକ୍ଷରେ ଯାଇଥିଲା। ଏହି କ୍ୱାର୍ଟରର ଷଷ୍ଠ ମିନିଟ୍ରେ ଅଧିନାୟକ ଓଉ ଜିକ୍ସିଆ ପେନାଲ୍ଟି କର୍ଣ୍ଣରରେ ଗୋଲ ଦେଇଥିଲେ। ହାଫଟାଇମ୍ ସମୟ ପର୍ଯ୍ୟନ୍ତ ସ୍କୋର ୧-୧ ରହିଥିଲା। ତୃତୀୟ କ୍ୱାର୍ଟରରେ ଚୀନ୍ ଆଉ ଏକ ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। କ୍ୱାର୍ଟରର ୧୧ ତମ ମିନିଟ୍ରେ ଲି ହଙ୍ଗ୍ ଭାରତୀୟ ଡିଫେନ୍ସକୁ ଚକମା ଦେଇ ଏକ ଚମତ୍କାର ଫିଲ୍ଡ ଗୋଲ ଦେଇଥିଲେ। ଅନ୍ୟପକ୍ଷରେ, ଭାରତ ତୃତୀୟ କ୍ୱାର୍ଟରରେ ଗୋଟିଏ ଗୋଲ କରିପାରିନଥିଲା। ଶେଷ କ୍ୱାର୍ଟରରେ ଚୀନ୍ ଦୁଇଟି ଗୋଲ କରିଥିଲା। ଚତୁର୍ଥ କ୍ୱାର୍ଟରର ଷଷ୍ଠ ମିନିଟ୍ରେ ଜୁ ମେରଙ୍ଗ୍ ଗୋଟିଏ ଗୋଲ କରିବାରେ ସଫଳ ହୋଇଥିଲେ। ସେଭଳି ଝୋଙ୍ଗ୍ ଜିଆକି ଏହି କ୍ୱାର୍ଟରର ଅଷ୍ଟମ ମିନିଟ୍ରେ ଏକ ଗୋଲ କରିଥିଲେ। ଏଭଳି ଭାବରେ ଚୀନ୍ ଭାରତକୁ ୪-୧ରେ ହରାଇ ଓ୍ବାର୍ଲ୍ଡକପ୍କୁ ପ୍ରବେଶ କରିଛି।