ନୂଆଦିଲ୍ଲୀ,୦୪/୦୫; ଆସାମ ବିଧାନସଭା ନିର୍ବାଚନ ଭୋଟ ଗଣତି ଜାରି ରହିଛି । ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ, ହିମନ୍ତ ରାଜ୍ୟରେ କମବ୍ୟାକ କରିବା ଏକ ପ୍ରକାର ନିଶ୍ଚିତ । ମିୟାଁ ପଲିଟିକ୍ସ ଉପରେ ଭାରି ପଡ଼ିଲା ମାମା ମ୍ୟାଜିକ୍  । ଏପ୍ରିଲ ୯ ତାରିଖରେ ରାଜ୍ୟରେ ୧୨୬ ନିର୍ବାଚନମଣ୍ଡଳୀରେ ୭୨୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଥିଲେ । ୮୫.୯୬ ପ୍ରତିଶତ ମତଦାନ ରେକର୍ଡ ହୋଇଥିଲା । ଆସାମର ସମସ୍ତ ୩୫ ଜିଲ୍ଲାରେ ବିସ୍ତାରିତ ୪୦ଟି ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଭୋଟ ଗଣତି ଜାରି ରହିଛି । ହାଇପ୍ରୋଫାଇଲ ସିଟ୍ ଜୋରହାଟରେ ୧୯ ହଜାର ଭୋଟରେ ପଛରେ ପଡିଛନ୍ତି ଗୌରବ ଗୋଗୋଇ । ୧୯୫୨ରେ ଜୋରହାଟ ପ୍ରତିଷ୍ଠା ହୋଇଥିଲା । ବିଜେପିର ବର୍ତ୍ତମାନର ବିଧାୟକ ହିତେନ୍ଦ୍ର ନାଥ ଗୋସ୍ୱାମୀ ଏବଂ କଂଗ୍ରେସର ଗୌରବ ଗୋଗୋଇଙ୍କ ମଧ୍ୟରେ ପ୍ରତିଯୋଗିତା ତୀବ୍ର ହୋଇଛି । ରାଜ୍ୟରେ ତୃତୀୟ ଥର ପାଇଁ ହିମନ୍ତ ବିଶ୍ୱଶର୍ମା ମୁଖ୍ୟମନ୍ତ୍ରୀ ହେବେ ବୋଲି ଚିତ୍ର ଏକପ୍ରକାର ସ୍ପଷ୍ଟ ହୋଇଛି । ଆସାମରେ ବିଜେପି ୯୩ ଆସନରେ ଆଗୁଆ ଥିବାବେଳେ  ୩ ଟି ଆସନରେ ଜିତିଛି । କଂଗ୍ରେସ ୨୮ଟି ଆସନରେ ଆଗୁଆ ରହିଛି ।

ରାଜ୍ୟସଭା ସାଂସଦ ଜୋରହାଟରୁ ଗୌରବ ଗୋଗୋଇ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି । ସେ ତାଙ୍କ ପିତାଙ୍କ ଐତିହ୍ୟକୁ ସିଧାସଳଖ ଚ୍ୟାଲେଞ୍ଜ କରୁଛନ୍ତି ଏବଂ କଂଗ୍ରେସକୁ ପୁନର୍ବାର କ୍ଷମତାକୁ ଆଣୁଛନ୍ତି । ଗୌରବଙ୍କ ପିତା ତରୁଣ ଗୋଗୋଇ ଦୀର୍ଘ ସମୟ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୨୪ ଲୋକସଭା ନିର୍ବାଚନ ପରେ ଗୌରବ ଗୋଗୋଇଙ୍କ ଲୋକପ୍ରିୟତା ଆସାମରେ ବୃଦ୍ଧି ପାଇଛି । ଜୋରହାଟ ଆସନ ଜୋରହାଟ ଲୋକସଭା ନିର୍ବାଚନମଣ୍ଡଳୀର ଏକ ଅଂଶ । ଜୋରହାଟ ଆସନଟି ସମସ୍ତ ଦଳ ଦ୍ୱାରା ଦଖଲ କରାଯାଇଥିବାବେଳେ, କଂଗ୍ରେସ ଆରମ୍ଭରୁ ଏକ ଦୃଢ଼ ଉପସ୍ଥିତି ରଖିଛି ।

ଏହା ବି ପଢନ୍ତୁ...Mamata-Modi Friendship: କେବେ ପରସ୍ପରର ତାରିଫ୍ ତ ପୁଣି କେବେ କଟାକ୍ଷ...ଉଥାନ ପତନ ଭରା ମମତା-ମୋଦିଙ୍କ ବନ୍ଧୁତା

୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ୨୦୧୬ ପର୍ଯ୍ୟନ୍ତ ଆସାମ କଂଗ୍ରେସର ଗଡ ହୋଇରହିଥିଲା । ଯଦିଓ ମଝିରେ ଜନତା ଦଳ ଓ ଆସାମ ଗଣ ପରିଷଦ (ଏଜିପି) କିଛି ବର୍ଷ ପାଇଁ ଶାସନ କରିଥିଲେ । କିନ୍ତୁ ୨୦୧୬ ପୂର୍ବରୁ ଏଜେପିରେ ବିଭାଜନ ଓ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଘଟିଥିଲା । ୨୦୧୫ରେ ତତ୍କାଳୀନ ବରିଷ୍ଠ କଂଗ୍ରେସ ନେତା ହିମନ୍ତ ବିଶ୍ୱ ଶର୍ମା ବିଜେପିରେ ସାମିଲ ହୋଇଥିଲେ । ଯାହାଫଳରେ ୨୦୧୬ରେ ବିଜେପି ପ୍ରଥମଥର ପାଇଁ ସରକାର ଗଢ଼ିବାକୁ ସକ୍ଷମ ହୋଇଥିଲା । ୨୦୨୧ରେ ବିଜେପି ଏଠାରେ ଦ୍ୱିତୀୟଥର ପାଇଁ କ୍ଷମତାସୀନ ହେଲା ଏବଂ ଶର୍ମା ମୁଖ୍ୟମନ୍ତ୍ରୀ ହେଲେ ।

ବିଜେପି ଏଥର ବି ହ୍ୟାଟ୍ରିକ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଗତ ୧୦ ବର୍ଷ ହେଲା କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ବିଜୟୀ ହେବ ବୋଲି ଆଶା ବାନ୍ଧିଛି । କିନ୍ତୁ ଲାଗୁଛି କଂଗ୍ରେସର ଏ ସ୍ୱପ୍ନ ଅଧୁରା ରହିଯିବ । ୨୦୨୧ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ୭୫ ଆସନ ଜିତିଥିଲା ବେଳେ କଂଗ୍ରେସ ନେତୃତ୍ୱରେ ମହାମେଣ୍ଟ ୫୦ ଆସନରେ ବିଜୟୀ ହୋଇଥିଲା । ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଜିତିଥିଲେ ।