ଭୁବନେଶ୍ଵର, ୨୨/୯ : ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବି ବିଧାନସଭା ଅଚଳ। କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହୋହାଲ୍ଲାରେ ଚାଲିପାରୁନି ଗୃହ। ପ୍ରଶ୍ନ କାଳ ଆରମ୍ଭରୁ ପ୍ଲାକାର୍ଡ, ପୋଷ୍ଟର ଧରି ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଛନ୍ତି। ଅପରାହ୍ନ ୪ଟା ଯାଏଁ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଛନ୍ତି । ମାତ୍ର ୭ ମିନିଟ୍ ଚାଲି ଗୃହକାର୍ଯ୍ୟ ବନ୍ଦ ରହିଛି ।

ରାଜ୍ୟ ସରକାର ​​​​​​​ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରି ଅଫିସରମାନଙ୍କ କ୍ଷମତା ବୃଦ୍ଧି କରିଛନ୍ତି । ଗଣତନ୍ତ୍ର ବ୍ୟବସ୍ଥାକୁ ବିଜେପି ସରକାରଙ୍କ ଏପରି ନିଷ୍ପତ୍ତି ହତ୍ୟା କରିଥିବାରୁ ଏହାକୁ ବିରୋଧ କରି ଗୃହରେ ବିଜେଡି ପ୍ରତିବାଦ କରିଛି। ତୁରନ୍ତ ରାଜ୍ୟ ସରକାର ଏହି ନିଷ୍ପତ୍ତିର ପୂନର୍ବିଚାର କରିବାକୁ ଦଳ ଦାବି କରିଛି । ସେପଟେ ଅନାସ୍ଥା ନ ଆଣିବାକୁ ଫନ୍ଦି କରିବା ଅଭିଯୋଗରେ କଂଗ୍ରେସ ପ୍ରତିବାଦ କରିଛି । ଯାହାକୁ ନେଇ ଗୃହ ବେଶ ସରଗରମ୍ ରହିଛି। ଚଳିତ ବର୍ଷ ବିଳମ୍ଵରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏଥର ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟ ଦିବସ ରହିଛି । ହେଲେ ସରକାରଙ୍କ ଉପରେ ବିରୋଧୀ ବିଜେଡି ଓ କଂଗ୍ରେସ ଭାରି ପଡ଼ିଛନ୍ତି। ଏହାରି ଭିତରେ ଆଜିକୁ ମିଶାଇ ୪ଟି କାର୍ଯ୍ୟ ଦିବସ ସରିବାକୁ ବସିଥିବା ବେଳେ ଆଉ ମାତ୍ର ୩ଟି କାର୍ଯ୍ୟ ଦିବସ ରହିଛି। ଅଚଳାବସ୍ଥାରେ ଗୃହ ଚାଲିଛି।