କପ୍ତିପଦା, ୦୨/୦୬: ସହକାରୀ ତହସିଲଦାରଙ୍କୁ ପିଛା କରି ଆକ୍ରମଣ କରିଲେ ବାଲି ମାଫିଆ । ତାଙ୍କ ଗାଡ଼ିକୁ ପିଟି ଭାଙ୍ଗି ଦେଲେ ମାଫିଆ । ଗାଡ଼ିଟି ଜଣେ ବାଲି ମାଫିଆଙ୍କ ମଟର ସାଇକେଲକୁ ଦୁର୍ଘଟଣା ଘଟାଇ ଥିବାରୁ କେତେଜଣ ମିଳିତ ଆକ୍ରମଣ କରିଥିବା ଜଣାପଡ଼ିଛି । ଫଳରେ ମଟର ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ସରକାରଙ୍କ ତରଫରୁ ବାଲି ଚାଲାଣ ଉପରେ ରୋକ ଥିବାବେଳେ ବେଧଡ଼କ ଭାବେ ଚାଲିଛି ବେଆଇନ ବାଲି ଚାଲାଣ । ଏହାକୁ ନେଇ କପ୍ତିପଦା ପ୍ରଶାସନ ଧରପଗଡ଼ କରି ବିଭିନ୍ନ ସମୟରେ ବହୁ ବାଲି ବୋଝେଇ ଗାଡ଼ି ଜବତ କରି ଜରିମାନା ଆଦାୟ କରି ଆସୁଥିବା ବେଳେ କେତେଥର ବାଲି ମାଫିଆଙ୍କ ଆକ୍ରମଣର ଶୀକାର ମଧ୍ୟ ହୋଇଛି । ତେବେ ରବିବାର ରାତି ୪ଟା ବେଳେ କପ୍ତିପଦା ବଜାରରେ ରହୁଥିବା ଭଡ଼ା ଘରୁ ସହକାରୀ ତହସିଲଦାର ଭୀମକାନ୍ତ ମାଝୀ ଏକ ପ୍ରାଇଭେଟ ବୋଲେରୋରେ ବାହାରିଥିଲେ । ଛକରେ ଜଗିରହିଥିବା ବାଲି ମାଫିଆ ମାନେ ତାଙ୍କ ଗାଡିକୁ ପିଛା କରିଥିଲେ । ସେ ଭୟରେ ବ୍ଲକ ପଛ ଦେଇ ଗାଡ଼ି ନେଇ କପ୍ତିପଦା ଥାନାରେ ପହଞ୍ଚିବା ସମୟରେ ପିଛା କରିଥିବା ବାଲି ମାଫିଆମାନେ ତାଙ୍କ ଗାଡିକୁ ପିଟି ଭାଙ୍ଗି ଦେଇଥିବାର ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ତାଙ୍କ ଗାଡ଼ି ଜଣେ ବାଲି ମାଫିଆଙ୍କ ମଟର ସାଇକେଲକୁ ଦୁର୍ଘଟଣା ଘଟାଇ ଥିବାରୁ କେତେଜଣ ମିଳିତ ଆକ୍ରମଣ କରିଥିବା ଜଣାପଡ଼ିଛି । ମଟର ସାଇକେଲ ଆରୋହୀ ଗୁରୁତର ଥିବାରୁ କପ୍ତିପଦା ଡାକ୍ତରଖାନାରୁ ଉଦଳା ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି । ତେବେ ଉଭୟଙ୍କ ତରଫରୁ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।