ନୂଆଦିଲ୍ଲୀ: ସୋମବାର ରାତିରେ ରୁଷ ୟୁକ୍ରେନର ଏକ ଜେଲ୍ ଏବଂ ଏକ ମେଡିକାଲ୍ ଉପରେ ଗ୍ଲାଇଡ୍ ବମ୍ ଏବଂ ବାଲିଷ୍ଟିକ୍ ମିସାଇଲ୍ ମାଡ କରିଛି । ଏହି ଆକ୍ରମଣରେ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀର କିଛି ଘଣ୍ଟା ପରେ ରୁଷ ଏହି ଆକ୍ରମଣ କରିଛି । ଯେଉଁଥିରେ ଟ୍ରମ୍ପ ରୁଷକୁ ଚେତାବନୀ ଦେଇଥିଲେ ଯେ, ଯଦି ଏହା ୟୁକ୍ରେନ୍ ସହିତ ଏକ ଚୁକ୍ତିରେ ନପହଞ୍ଚେ, ତେବେ ଏହାକୁ କଠୋର ପ୍ରତିବନ୍ଧକ ଏବଂ ଶୁଳ୍କ ଦେବାକୁ ପଡିବ ।
ରୁଷ ୟୁକ୍ରେନର ଦକ୍ଷିଣ-ପୂର୍ବ ଜାପୋରିଜିଆ ଅଞ୍ଚଳର ଏକ ଜେଲକୁ ଲକ୍ଷ୍ୟ କରି ବିମାନ ଆକ୍ରମଣ କରିଛି। ସୋମବାର ବିଳମ୍ବିତ ରାତିରେ ଏହି ଆକ୍ରମଣ କରାଯାଇଛି । ଆକ୍ରମଣ ସମୟରେ, ଜେଲ୍ ଉପରେ ଲକ୍ଷ୍ୟ କରି ଚାରୋଟି ବୋମା ପକାଯାଇଥିଲା। ଆକ୍ରମଣରେ ଅତି କମରେ ୧୭ ଜଣ କଏଦୀଙ୍କ ମୃତ୍ୟୁ ହୋଇଥିଲା ଏବଂ ୮୦ ରୁ ଅଧିକ ଆହତ ହୋଇଥିଲେ।
ସେହିଭଳି କେନ୍ଦ୍ରୀୟ ୟୁକ୍ରେନର ଡନିପ୍ରୋ ଅଞ୍ଚଳରେ ଏକ ତିନି ମହଲା କୋଠାରେ ମାଡ଼ କରିଥିଲା ରୁଷ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ଏବଂ ନିକଟବର୍ତ୍ତୀ ଚିକିତ୍ସା ପ୍ରତିଷ୍ଠାନ ଗୁଡ଼ିକୁ କ୍ଷତିଗ୍ରସ୍ତ କରିଥିଲା। ରୁଷିଆ ଆକ୍ରମଣରେ ସହରର ଏକ ପ୍ରସୂତି ହସ୍ପିଟାଲ ଏବଂ ଏକ ହସ୍ପିଟାଲ୍ ୱାର୍ଡ ସମେତ ନିକଟବର୍ତ୍ତୀ ଅନେକ ମେଡିକାଲ୍ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ଏହାକୁ ନେଇ ଅଧିକାରୀ ମାନେ କହିଛନ୍ତି ଯେ, ଆକ୍ରମଣରେ ଅତି କମରେ ୪ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୮ ଜଣ ଆହତ ହୋଇଛନ୍ତି, ଯେଉଁଥିରେ ଜଣେ ଗର୍ଭବତୀ ମହିଳା ଗୁରୁତର ଅବସ୍ଥାରେ ଅଛନ୍ତି।
ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି କହିଛନ୍ତି ଯେ, ରୁଷ ଦେଶର ୭୩ଟି ସହର ଏବଂ ଗ୍ରାମକୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଏଗୁଡ଼ିକ ଜାଣିଶୁଣି ଆକ୍ରମଣ ଥିଲା, ଦୁର୍ଘଟଣାଜନିତ ନୁହେଁ। ଆକ୍ରମଣରେ ଅତି କମରେ ୪୨ ଜଣ କଏଦୀଙ୍କୁ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି,ଯେତେବେଳେ କି ଆକ୍ରମଣରେ ଅନ୍ୟ ୪୦ ଜଣ ଆହତ ହୋଇଛନ୍ତି। ୟୁକ୍ରେନୀୟ ଅଧିକାରୀ ମାନେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ କହିଛନ୍ତି ଯେ ଜେଲ୍ ଭଳି ସାଧାରଣ ଲୋକଙ୍କ ଠିକଣା ଉପରେ ଆକ୍ରମଣ କରିବା ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଏକ ଯୁଦ୍ଧ ଅପରାଧ।
ରୁଷ ଆକ୍ରମଣର ଜବାବ ଦେବା ପାଇଁ ୟୁକ୍ରେନ ଏହାର ଦୂରଗାମୀ ଡ୍ରୋନ ଟେକନୋଲୋଜି ବ୍ୟବହାର କରିଥିଲା। ଯାହା ମାଧ୍ୟମରେ ଏହା ରୁଷର ତୈଳ ଡିପୋ, ଅସ୍ତ୍ରଶସ୍ତ୍ର ଉତ୍ପାଦନ ପ୍ଲାଣ୍ଟକୁ ଟାର୍ଗେଟ କରିଥିଲା। ମଙ୍ଗଳବାର ଦିନ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ରାତିସାରା ୭୪ ଟି ୟୁକ୍ରେନୀୟ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଛି।