ନୂଆଦିଲ୍ଲୀ,୧୮/୧୦:ମୋଜାମ୍ବିକରେ ବେଇରା ବନ୍ଦର ନିକଟରେ ବଡ ଅଘଟଣ।ମଝି ସମୁଦ୍ରରେ ଓଲଟିଲା ଡଙ୍ଗା। ଫଳରେ ତିନି ଜଣ ଭାରତୀୟ ପ୍ରାଣ ହରାଇଥିବା ବେଳେ ୫ ଜଣ ଏବେ ବି ନିଖୋଜ ଥିବା ଜଣାପଡ଼ିଛି।ତେବେ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ମୁତାବକ,ହିନ୍ଦ ମହାସାଗରରେ ଏକ ଡଙ୍ଗା ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୋଜାମ୍ବିକର ଭାରତୀୟ ଦୂତାବାସ ଅନୁଯାୟୀ, ଡଙ୍ଗାଟି ଏକ ଟ୍ୟାଙ୍କରରୁ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିଲା। ସେମାନଙ୍କୁ ନିୟମିତ ସ୍ଥାନାନ୍ତର କାର୍ଯ୍ୟ ପାଇଁ ଟ୍ୟାଙ୍କରକୁ ନିଆଯାଇଥିବା ବେଳେ ହଠାତ୍ ଡଙ୍ଗାଟି ଓଲଟି ପଡ଼ିଥିଲା। ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ମୋଟ ୧୪ ଜଣ ଭାରତୀୟ ନାଗରିକ ଜାହାଜରେ ଥିଲେ। ତେବେ ଡଙ୍ଗା ଓଲଟିବାର କାରଣ ଏବେବି ଅସ୍ପଷ୍ଟ ରହିଛି।ଏହି ଦୁର୍ଘଟଣାରେ ତିନି ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ନିଖୋଜ ଅଛନ୍ତି। ଭାରତୀୟ ଦୂତାବାସ ଅନୁଯାୟୀ,ଦୁର୍ଘଟଣା ପରେ ୫ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଏବେ ବି ଜାରି ରହିଛି।