ଭୁବନେଶ୍ୱର, ୧୯।୨: ଗାଡ଼ି ଫିଟ୍ନେସ୍ ସାର୍ଟିଫିକେଟ୍ ପାଇଁ ସୀମାନ୍ତ ଜିଲ୍ଲାର ଗାଡ଼ି ମାଲିକ ପଡ଼ୋଶୀ ରାଜ୍ୟକୁ ଧାଇଁବେ । କେନ୍ଦ୍ର ସଡ଼କ ପରିବହନ ରାଜପଥ ମନ୍ତ୍ରାଳୟ ଏଭଳି ନିର୍ଦ୍ଦେଶନାମା ପରେ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ ରାଜ୍ୟବାସୀ । ଏହି ଫିଟ୍ନେସ୍ ସାର୍ଟିଫିକେଟ୍ କେଁରେ ସାମୟିକ ଆଶ୍ୱସ୍ତି ମିଳିଛି । ରାଜ୍ୟରେ ନିର୍ମାଣଧୀନ ସ୍ୱଂୟଚାଳିତ ଫିଟ୍ନେସ କେନ୍ଦ୍ର(ଏଟିଏସ୍)କୁ କାର୍ଯ୍ୟକ୍ଷମ ପାଇଁ ସମୟ ଅବଧିକୁ ବଢ଼ାଯାଇଛି । ମାନବକୃତ ଫିଟ ପରୀକ୍ଷା ବନ୍ଦ କରାଯିବା ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କେନ୍ଦ୍ର ମନ୍ତ୍ରାଳୟକୁ ଆବେଦନ କରାଯାଇଥିଲା । ଏହି ଅନୁରୋଧକୁ ମନ୍ତ୍ରାଳୟ ଗ୍ରହଣ କରି ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି କରିଛି । ସେଥିରେ ବିଭିନ୍ନ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ) ଅଫିସ ଅଧୀନରେ ଖୋଲିବାକୁ ଥିବା ଏଟିଏସ୍ ପାଇଁ ଭିନ୍ନ ଭିନ୍ନ ସମୟ ସୀମା ଧାର୍ଯ୍ୟ କରାଯାଇଛି ।

ଏହା ବି ପଢ଼ନ୍ତୁ... କଲରାପତରିଆ ବାଘ ଛୁଆର ମୃତଦେହ ଠାବ, ଘଟଣାସ୍ଥଳରେ ଜେଟିଏଫ୍ ଟିମ୍, ବ୍ୟବଚ୍ଛେଦ ପରେ ଜଣାପଡ଼ିବ କାରଣ

ଭୁବନେଶ୍ୱର ଆର୍ଟିଓ-୨ ସମେତ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦ୍ରପଡ଼ା, ବୌଦ୍ଧ, କେନ୍ଦୁଝରର ଏଟିଏସ୍ ଖୋଲିବା ପାଇଁ ମାର୍ଚ୍ଚ ୭ ତାରିଖ ଯାଏ ସମୟ ଦିଆଯାଇଛି । ରାଉରକେଲା, ନୟାଗଡ଼, ସମ୍ବଲପୁର, ନବରଙ୍ଗପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ସହ କଟକର ଦ୍ୱିତୀୟ ଏଟିଏସ୍ ଆସନ୍ତା ଏପ୍ରିଲ ପହିଲା ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ପଡ଼ିବ । ଗଞ୍ଜାମ ପାଇଁ ମେ’ ପହିଲା ସମୟସୀମା ଥିବା ବେଳେ ବରଗଡ଼, ଅନୁଗୁଳ କୋରାପୁଟ, ଜଗତସିଂହପୁର ପାଇଁ ଜୁନ୍ ପହିଲା ଯାଏ ସମୟ ମିଳିଛି । ନୂଆପଡ଼ା, କଳାହାଣ୍ଡି, ଚଣ୍ଡୀଖୋଲରେ ଆସନ୍ତା ଜୁଲାଇ ପହିଲା ସୁଦ୍ଧା ଏଟିଏସ୍ ଖୋଲିବାକୁ ପଡ଼ିବ ବୋଲି ମନ୍ତ୍ରାଳୟ ସମୟ ଧାର୍ଯ୍ୟ କରିଛି । ମନ୍ତ୍ରାଳୟ ସୂଚନା ମୁତାବକ, ଏହି ସମୟସୀମା ଭିତରେ ଉପରୋକ୍ତ ଆରଟିଓଗୁଡ଼ିକରେ ମାନବକୃତ ଫିଟ୍‌ନେସ୍ ପରୀକ୍ଷା କରାଯାଇ ପାରିବ । ସମୟ ସରିବା ପରେ ସ୍ୱୟଂକ୍ରିୟ ମାଧ୍ୟମରେ ହିଁ ଫିଟ୍‌ନେସ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଏତେ କମ୍ ଅବଧି ଭିତରେ ଏଟିଏସ୍ ନିର୍ମାଣ ସାରିବା ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଖରାପ ମାନର ଗାଡ଼ି ଯୋଗୁ ଅନେକ ସମୟରେ ସଡ଼କ ଦୁର୍ଘଟଣା ଘଟୁଥିବାରୁ ଫିଟ୍‌ନେସ୍ ଯାଞ୍ଚ ପ୍ରକ୍ରିୟାରେ ପାରଦର୍ଶୀ ଓ ସ୍ୱଚ୍ଛତା ପାଇଁ ଖୋଦ୍ କେନ୍ଦ୍ର ମନ୍ତ୍ରାଳୟ ଜୋର୍ ଦେଉଛି । ମୋଟରଯାନ ଆଇନ୍ରେ ସ୍ୱୟଂକ୍ରିୟ ପ୍ରଣାଳୀରେ ବୈଷୟିକ ଜ୍ଞାନକୌଶଳ ଓ ମେସିନ୍ ବ୍ୟବହାର କରି ଫିଟ୍ନେସ୍ ଯାଞ୍ଚ ପାଇଁ ପ୍ରାବଧାନ ରହିଛି ।

ଓଡ଼ିଶାରେ କେବଳ କଟକରେ ଗୋଟିଏ ସ୍ୱୟଂକ୍ରିୟ ପରୀକ୍ଷଣ କେନ୍ଦ୍ର(ଏଟିଏସ୍) ଉପଲବ୍ଧ ଅଛି । କିନ୍ତୁ, ଏଠାରେ ଗାଡ଼ି ଫିଟ୍‌ନେସ୍ ୩୯ଟି ମାପଦଣ୍ଡରୁ ମାତ୍ର ୭ଟି ସ୍ୱୟଂକ୍ରିୟ ପଦ୍ଧତିରେ ଯାଞ୍ଚ ହେଉଛି । ବାକି ୩୨ଟି ପୂର୍ବଭଳି ଏମ୍ଭିଆଇମାନେ ମାନବକୃତ ଭାବେ ଯାଞ୍ଚ ଚାଲିଛି । ସେଥିପାଇଁ ଏଟିଏସ୍‌ରେ ଫିଟ୍‌ନେସ୍‌ ଯାଞ୍ଚ ନେଇ କେଁ ଲାଗି ରହିଛି । ଏହାଛଡ଼ା ପିପିପି ମୋଡ୍ରେ ଏଟିଏସ୍କୁ ଟେକିଦେବାକୁ ବିଭିନ୍ନ ଗାଡି଼ ମାଲିକ ସଂଘ କର୍ମକର୍ତ୍ତା ଆପତ୍ତି ଉଠାଉଛନ୍ତି । ସୂଚନାଯୋଗ୍ୟ, ମାସେ ତଳେ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ଏକ ଫତୁଆ ଜାରି ହୋଇଥିଲା । ନିଜ ଆରଟିଓରେ ଏଟିଏସ୍ ନଥିଲେ, ନିକଟସ୍ଥ ଜିଲ୍ଲା କିମ୍ବା ପଡ଼ୋଶୀ ରାଜ୍ୟର ଏଟିଏସ୍ରେ ଫିଟ୍ନେସ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଥିଲା । ଏହିକ୍ରମରେ ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲାର ଗାଡ଼ିମାଲିକ ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ଧାଇଁଥାନ୍ତେ । ଏନେଇ ଗାଡ଼ିମାଲିକ ଚିନ୍ତାରେ ପଡ଼ିଥିଲେ ।