ଚାନ୍ଦବାଲି, ୨୨/୧୦: ପୁଅର ଭୁଜାଲି ଆକ୍ରମଣରେ ବୃଦ୍ଧ ପିତା ମାତା ଗୁରୁତର । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଖେରଙ୍ଗ ଗ୍ରାମପଞ୍ଚାୟତ ତଳବନ୍ଧ ଗ୍ରାମରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ତଳବନ୍ଧ ଗାଁର ମନୋଜ ନାୟକ ପାରିବାରିକ କଳହ ଯୋଗୁଁ ନିଜ ବୃଦ୍ଧ ପିତା ମଧୁସୂଦନ ନାୟକ ଓ ମାତା ମାଧୁରୀ ନାୟକଙ୍କୁ ମଙ୍ଗଳବାର ସନ୍ଧ୍ୟା ସମୟରେ ଅତର୍କିତ ଆକ୍ରମଣ କରିଥିଲା । ଏହା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ଖେରଙ୍ଗ ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରିଥିଲେ । ଆମ୍ବୁଲାନ୍ସକୁ ବାରମ୍ବାର ଡକାଯାଇଥିଲେ ମଧ୍ୟ ସେ ଆସିନଥିଲା । ଶେଷରେ ବାଧ୍ୟ ହୋଇ ଖେରଙ୍ଗ ସରପଞ୍ଚ ମୁନା ବିଶ୍ବାଳ ନିଜ କାର୍‌ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ବସାଇ କଟକ ବଡ଼ ମେଡିକାଲ ନେଇଥିଲେ । ଘଟଣାସ୍ଥଳରେ ମତୋ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ​​​​​​​