ପାରାଦୀପ,୦୪/୧୨: ପେଟ୍ରୋଲ ଢାଳି ବାଇକ ଜାଳିବାକୁ ଉଦ୍ୟମ। ୨ ଜଣଙ୍କୁ ଗିରଫ କଲା ପୁଲିସ। ପାରାଦୀପରୁ ଏହି ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ,  ପାରାଦୀପ ସାମୁଦ୍ରିକ ଥାନା ପକ୍ଷରୁ ବୁଧବାର ରାତିରେ ଥାନା ସାମ୍ନାରେ ଚେକିଂ କରାଯାଉଥିଲା। ସେହି ସମୟରେ ମାଛଧରା ବନ୍ଦରରେ କାମ କରୁଥିବା ଜୁଲୁ ନାମକ ଯୁବକ ବାଇକରେ ଯାଉଥିବା ସମୟରେ ପୁଲିସ ହାତରେ ଧରାପଡିଥିଲା।

ଏନେଇ ନେହେରୁ ବଙ୍ଗଳା ବଜାରରେ ଜୁଲୁର ସାଙ୍ଗ ସାଥିମାନେ ଭୋଜି କରୁଥିଲେ। ସେମାନେ ଶୁଣି ସେଠାକୁ ଯାଇ ଫାଇନ କାଟି ଗାଡ଼ି ଦିଅ ବୋଲି ପୁଲିସକୁ କହିଥିଲେ। ହେଲେ ପୁଲିସ ନ ଦେବାରୁ ଜୁଲୁର ଦୁଇ ଜଣ ସାଙ୍ଗ ବାଇକ ଆଉ ନେବୁନୁ କହି ବାଇକରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ପୁଲିସ ଏମାନଙ୍କୁ ଅଟକାଇବା ସହ ପେଟ୍ରୋଲ, ବାଇକ ଓ ଦିଆସିଲିକୁ  ଜବତ କରିଛି। ଏଥିସହ ଦୁଇ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିବା ସହ ମାମଲା ରୁଜୁ କରି  କୋର୍ଟ ଚାଲାଣ କରିଛି ।