ନୂଆଦିଲ୍ଲୀ,୦୧/୦୭: ଚଳିତ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଆଧିପତ୍ୟ ଜାରି ରଖି ଅଷ୍ଟମ ଥର ଫାଇନାଲ୍‌ରେ ପ୍ରବେଶ କରିଛି । ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମି ଫାଇନାଲ୍‌ରେ ଦଳ ୮ ୱିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ ହରାଇ ୧୨୫ରନ୍‌ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୧୩ ଓଭରରେ ୨ ୱିକେଟ୍‌ ବିନିମୟରେ ବିଜୟ ହାସଲ କରିଥିଲା । ଅଲରାଉଣ୍ଡ୍‌ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଆସଲି ଗାର୍ଡନର ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ଆସନ୍ତା ୨ ତାରିଖରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ୍‌ ଖେଳାଯିବ । 

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଅଷ୍ଟ୍ରେଲିଆ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା । ଯଦିଓ ୱେଷ୍ଟଇଣ୍ଡିଜ୍‌ର ଓପନିଂ ଯୋଡ଼ି ଅଧିନାୟିକା ହେଲି ମାଥ୍ୟୁସ୍‌ ଓ କ୍ୱିୟାନ ଯୋଶେଫ୍‌ ୪୭ରନ୍‌ ସଂଗ୍ରହ କରିଥିଲେ । ମାଥ୍ୟୁସ ୩୦ ରନ୍‌ କରି ଆଉଟ ହେବା ପରେ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ଯୋଶେଫ ୧୬ ରନ୍‌ ବିଦାୟ ନେଇଥିବାବେଳେ ଷ୍ଟାଫାନି ଟେଲର ଓ ଜେ କ୍ଲକ୍ସଟନ୍‌ ଖାତା ଖୋଲି ପାରିନଥିଲେ । ଏସ୍‌. କ୍ୟାମ୍ପବେଲ ୨୨, ଚିନେଲି ହେନରୀ ୧୦ ରନ୍‌ କରି ଆଉଟ୍‌ ହେବା ସହ ଦଳ ୮୩ରନ୍‌ରେ ୬ଟି ୱିକେଟ୍‌ ହରାଇଥିଲା । ମାତ୍ର ଗ୍ଲାସଗୋ ୧୫ ଓ ଡିଣ୍ଡ୍ରା ଡଟିନ୍‌ ୧୬ବଲ୍‌ରେ ୨୬ ରନ୍‌ ଯୋଗ କରିବା ଫଳରେ ଦଳୀୟ ସ୍କୋର ୧୨୫ରେ ପହଞ୍ଚିଥିଲା । 

​​​​​​​

ଏହା ବି ପଢନ୍ତୁ...India vs England 1st T20: ଭାରତ-ଇଂଲଣ୍ଡ ପ୍ରଥମ ଟି-ଟ୍ୱେଣ୍ଟି ଆଜି, ଅଧିନାୟକ ଆୟରଙ୍କ ପାଇଁ ଅଗ୍ନି ପରୀକ୍ଷା

ଅଷ୍ଟ୍ରେଲିଆ ପକ୍ଷରୁ ସୋଫି ମୋଲିନକ୍ସ, ଆସଲି ଗାର୍ଡନର ଓ ଜର୍ଜିୟା ୱାରେହାମ୍‌ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ୧୨୬ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ୬୪ରନ୍‌ରେ ୨ଟି ୱିକେଟ୍‌ ହରାଇଥିଲା । ଜର୍ଜିୟା ଭୋଲ ୧୬ ଓ ଫୋଏବ ଲିଚ୍‌ଫିଲ୍ଡ ୪ରନ୍‌ କରି ଆଉଟ୍‌ ହୋଇଥିବାବେଳେ ଏଲିସ୍‌ ପେରୀ (୨) ରିଟାୟାର୍ଡ ହର୍ଟ ହୋଇଥିଲେ । ଅନ୍ୟ ଓପନର ବେଥ୍‌ ମୁନି ଅପରାଜିତ ୬୧ (୮ଚୌକା) ଓ ଗାର୍ଡନର ଅପରାଜିତ ୩୫ (୪ଚୌକା, ୧ଛକା) ରନ୍‌ କରି ଦଳକୁ ବିଜୟୀ କରାଇଥିଲେ ।