ନୂଆଦିଲ୍ଲୀ,୨୭।୮: ଅଷ୍ଟ୍ରେଲିଆର ଜଣାଶୁଣା କ୍ରିକେଟର ମାଇକେଲ କ୍ଲାର୍କ ସ୍କିନ୍ କ୍ୟାନସରରେ ପୀଡିତ। ୪୪ ବର୍ଷୀୟ କ୍ଲାର୍କ ସୋସିଆଲ ମିଡିଆରେ ନିଜର ସ୍ବାସ୍ଥ୍ୟଗତ ସମସ୍ୟା ବିଷୟରେ ସୂଚନା ଦେଇଛନ୍ତି। ଏହାଛଡା ସେ ଲୋକଙ୍କୁ ନିୟମିତ ଭାବରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମଧ୍ୟ ଅପିଲ କରିଛନ୍ତି।
କ୍ଲାର୍କ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟ ରେ ଲେଖିଛନ୍ତି ସ୍କିନ କ୍ୟାନସର ବାସ୍ତବିକ ! ବିଶେଷ କରି ଅଷ୍ଟ୍ରେଲିଆରେ। ଆଜି ମୋର ନାକରୁ ଆଉ ଏକ କ୍ୟାନସର ଲମ୍ପ (ଗଣ୍ଠି) ବାହାରିଛି। ଏହା ଏକ ଫ୍ରେଣ୍ଡଲି ରିମାଇଣ୍ଡର। ଆପଣ ନିଜର ତ୍ବଚାର ଯାଞ୍ଚ କରିଥାନ୍ତୁ। ଚିକିତ୍ସାରୁ ଭଲ ହେଉଛି। ତେବେ ତା ପୂର୍ବରୁ ସଚେତନ ହେବା ଉଚିତ। ମୋ ମାମଲାରେ ନିୟମିତ ଯାଞ୍ଚ ଓ ପ୍ରାରମ୍ଭିକ ଚିହ୍ନଟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ମୁଁ ଧନ୍ୟବାଦ ଦେଉଛି ଡକ୍ଟର ଭିଶ୍ ସୋଲିମାନଙ୍କୁ। ସେ ଏହାକୁ ଠିକ ସମୟରେ ଚିହ୍ନଟ କରିନେଲେ।’
ମାଇକେଲ୍ କ୍ଳାର୍କଙ୍କ ସ୍କିନ୍ କ୍ୟାନସର ମାମଲା ନୂଆ ନୁହେଁ। ପ୍ରଥମ ଥର ୨୦୦୬ ରେ ତାଙ୍କୁ ସ୍କିନ୍ କ୍ୟାନସର ହୋଇଥିଲା। ଏହାପରେ ୨୦୧୯ ରେ ତିନି ନନ୍-ମେଲୋନୋମା ଲିଜନର ଚିହ୍ନଟ ହୋଇଥିଲା। ସେତେବେଳେ କ୍ଳାର୍କ ଲୋକଙ୍କୁ ଅପିଲ କରିଥିଲେ ଖରାଠାରୁ ଦୂରେଇ ରୁହନ୍ତୁ ଏବଂ ଅତିରିକ୍ତ ସାବଧାନୀ ଗ୍ରହଣ କରନ୍ତୁ। ଏହା ସହ ତ୍ବଚାର ନିୟମିତ ଯାଞ୍ଚ କରିବାର ମଧ୍ୟ ଅପିଲ କରିଥିଲେ। ସ୍କିନ୍ କ୍ୟାନସର ହେଉଛି ଅସାଧରଣ ଭାବରେ ବଢୁଥିବା ତ୍ବଚାର କୋଷିକା ଅନିୟନ୍ତ୍ରିତ ଭାବରେ ବୃଦ୍ଧି ହେବା। ଏହାର ମୁଖ୍ୟ କାରଣ ହେଉଛି ସୂର୍ଯ୍ୟଙ୍କ ଅଲଟ୍ରା ଭାଓଲେଟ୍ କିରଣ । ଏହା ବିଶ୍ବରେ ଏକ ସାଧାରର କ୍ୟାନସନ, ଯାହାର ଚିହ୍ନଟ ଓ ଚିକିତ୍ସା ଖୁବ୍ ଜରୁରୀ। ବିଶ୍ବରେ ସବୁଠାରୁ ଅଧିକ ସ୍କିନ୍ କ୍ୟାନସର ମାମଲା ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ। ଏହାର କାରଣ ହେଉଛି ଉଚ୍ଚ ଅଲଟା ଭାଓଲେଟ୍ ସ୍ତର, ଭୂମଧ୍ୟ ରେଖାର ଖୁବ୍ ନିକଟରେ ରହିବା ଓ ଗୋରା ରଙ୍ଗ ଥିବା ଜନସଂଖ୍ୟା। ୭୦ ବର୍ଷ ହେବା କେବଳକୁ ପ୍ରତି ୩ ଜଣରେ ୨ ଜଣ ଅଷ୍ଟ୍ରେଲୀୟ କୌଣସି ନା କୌଣସି ସ୍କିନ୍ କ୍ୟାନସରରେ ପ୍ରଭାବିତ ହୋଇଥାନ୍ତି।
ଉଲ୍ଲେଖନୀୟ ଯେ, ନିଜର ଦମଦାର ବ୍ୟାଟିଂ ପାଇଁ କ୍ଲାର୍କଙ୍କୁ ଜଣାଯାଏ। କ୍ଲାର୍କ ୨୦୦୩ ରୁ ୨୦୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ୧୧୫ ଟେଷ୍ଟ (୮୬୪୩ ରନ୍), ୨୪୫ ଓ୍ବାନଡେ୍ (୭୯୮୧ ରନ୍) ଓ ୩୪ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ (୪୮୮ ରନ୍) କରିଛନ୍ତି। ସେ ଟେଷ୍ଟ, ଓ୍ବାନଡେ ଓ ଟି-୨୦ ତିନୋଟି ଫର୍ମାଟରେ ଅଷ୍ଟ୍ରେଲିଆର କ୍ୟାପଟେନ୍ ଥିଲେ।