ମେଲବର୍ଣ୍ଣ,୩୦/୦୧: ଚଳିତ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ୍‌ର ମହିଳା ସିଙ୍ଗଲ୍ସ ଫାଇନାଲରେ ଟପ୍ ସିଡ୍ ବେଲାରୁଷର ଅର୍ନ୍ୟା ସାବାଲେଙ୍କା ଓ ପଞ୍ଚମ ସିଡ୍ କାଜାଖସ୍ତାନର ଏଲିନା ରିବାକିନା ପରସ୍ପରକୁ ଭେଟିବେ । ଉଭୟ ୨୦୨୩ ସଂସ୍କରଣର ଫାଇନାଲ୍‌ରେ ମଧ୍ୟ ସାମ୍ନା ସାମ୍ନି ହୋଇଥିଲେ ।

ଦ୍ୱାଦଶ ଦିବସରେ ଅନୁଷ୍ଠିତ ସେମି ଫାଇନାଲ୍ ମୁକାବିଲାରେ ସାବାଲେଙ୍କା ୬-୨, ୬-୩ ସେଟ୍ରେ ଦ୍ୱାଦଶ ସିଡ୍ ୟୁକ୍ରେନ୍‌ର ଏଲିନା ସ୍ୱିତୋଲିନାଙ୍କୁ ହରାଇଥିଲେ । ଏହି ମ୍ୟାଚ ଜିତିବା ପାଇଁ ତାଙ୍କୁ ୧ଘଣ୍ଟା ୧୬ ମିନିଟ୍ ଲାଗିଥିଲା । ମ୍ୟାଚ ମଧ୍ୟରେ କିଛି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକୁ ନେଇ ସାବାଲେଙ୍କାଙ୍କୁ ପଏଣ୍ଟ ହରାଇବାକୁ ପଡ଼ିଥିଲା । ଏହା ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା । ସେ ସିଧାସଳଖ ସେଟ୍‌ରେ ବିଜୟ ହାସଲ କରିଥିଲେ । ମ୍ୟାଚ୍ ପରେ ମଧ୍ୟ ଉଭୟ ଖେଳାଳି କରମର୍ଦ୍ଦନ କରି ନଥିଲେ । ରିବାକିନା ମଧ୍ୟ ସିଧାସଳଖ ସେଟ୍ରେ ଷଷ୍ଠ ସିଡ୍ ଜେସିକା ପେଗୁଲାଙ୍କୁ ହରାଇଥିଲେ । ସେ ୬-୩, ୭-୬(୯-୭) ସେଟ୍‌ରେ ବିଜୟ ହାସଲ କରିଥିଲେ ।

ଦ୍ୱିତୀୟ ସେଟ୍‌ରେ ପେଗୁଲା ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ ହେଁ ଟାଇବ୍ରେକରରେ ପରାଜିତ ହୋଇଥିଲେ । ରିବାକିନା ଦ୍ୱିତୀୟ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିଥିଲେ । ସାବାଲେଙ୍କା ଓ ରିବାକିନା ଇତି ମଧ୍ୟରେ ପରସ୍ପରକୁ ୧୪ଥର ଭେଟିଛନ୍ତି । ଏଥିରୁ ସାବାଲେଙ୍କା ୮ଟି ମ୍ୟାଚ ଜିତିଥିବାବେଳେ ରିବାକିନା ୬ଟିରେ ବିଜୟୀ ହୋଇଛନ୍ତି । ୨୦୨୩ ଅଷ୍ଟ୍ରେଲିଆ ଫାଇନାଲ୍ ଖେଳିବା ସମୟରେ ରିବାକିନାଙ୍କ ମାନ୍ୟତା ୨୨ ଓ ସାବାଲେଙ୍କାଙ୍କ ମାନ୍ୟତା ୫ ଥିଲା ।

ସାବାଲେଙ୍କା ୪-୬, ୬-୩, ୬-୪ ସେଟ୍ରେ ଉକ୍ତ ମ୍ୟାଚ ଜିତି ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲେ । ସେବେଠୁ ସାବାଲେଙ୍କା କ୍ରମାନ୍ୱୟରେ ଚତୁର୍ଥ ଥର ପାଇଁ ଅଷ୍ଟ୍ରେଲିଆ ଓପନ ଫାଇନାଲ୍ ଖେଳିବାକୁ ଯାଉଛନ୍ତି । ଗତ ବର୍ଷ ସେ ଆମେରିକାର ମାଡିସନ କିଜ୍‌ଙ୍କ ଠାରୁ ଫାଇନାଲ୍ରେ ପରାଜିତ ହୋଇ ଟାଇଟଲରୁ ବଞ୍ଚିତ ହୋଇଥିଲେ । ଗତ ବର୍ଷ ସାବାଲେଙ୍କା ଓ ରିବାକିନା ପରସ୍ପରକୁ ୪ଥର ଭେଟିଥିଲେ । ରିବାକିନା ସିନସିନାଟି ଓପନ ଓ ଡବ୍ଲ୍ୟୁଟିଏ ଫାଇନାଲ୍‌ ବିଜୟ ହାସଲ କରିଥିଲେ । ସେହିପରି ସାବାଲେଙ୍କା ଚାଇନା ଓପନ ଓ ବର୍ଲିନ ଓପନରେ ରିବାକିନାଙ୍କୁ ହରାଇଥିଲେ ।

ପୁରୁଷ ଡବଲ୍ସ ଫାଇନାଲ୍‌ରେ ଜାସନ କୁବଲର ଓ ମାର୍କ ପୋଲମାନ୍ସ ଯୋଡ଼ି ଷଷ୍ଠ ସିଡ୍ ଖ୍ରୀଷ୍ଟିଆନ ହ୍ୟାରିସନ ଓ ନିଲ ସ୍କୁପସ୍କି ଯୋଡ଼ିଙ୍କୁ ଭେଟିବେ । ସେମି ଫାଇନାଲ୍ରେ କୁବଲର-ପୋଲମାନ୍ସ ଯୋଡ଼ି ୬-୨, ୩-୬, ୬-୩ ସେଟ୍ରେ ଲ୍ୟୁକ ଜନସନ ଓ ଜାନ ଜେଲିନସ୍କି ଯୋଡ଼ିଙ୍କୁ ହରାଇଥିଲେ । ଅନ୍ୟ ସେମି ଫାଇନାଲ୍ରେ ହ୍ୟାରିସ୍-ସ୍କୁପସ୍କି ଯୋଡ଼ି ୬-୩, ୭-୬(୯-୭) ସେଟ୍ରେ ମର୍ସେଲ ଗ୍ରାନୋଲର୍ସ ଓ ହୋରାସିଓ ଜେବାଲସ ଯୋଡ଼ିଙ୍କୁ ପରାଜିତ କରିଥିଲେ ।

ମହିଳା ଡବଲ୍ସ ଫାଇନାଲ୍‌ରେ ଚତୁର୍ଥ ସିଡ୍ ଏଲିସ ମର୍ଟେନ୍ସ ଓ ସୁଆଇ ଝାଙ୍ଗ ଯୋଡ଼ି ସପ୍ତମ ସିଡ୍ ଆନ୍ନା ଡାଲିନିନା ଓ ଆଲେକଜାନ୍ଦ୍ରା କ୍ରୁନିକ ଯୋଡ଼ିଙ୍କୁ ଭେଟିବେ। ସେମି ଫାଇନାଲରେ ମର୍ଟେନ୍ସ-ଝାଙ୍ଗ ଯୋଡ଼ି ୬-୩, ୬-୨ ସେଟ୍‌ରେ ଭେରା ଭୋନାରେଭା ଓ ଏନା ଶିବାହାରା ଯୋଡ଼ିଙ୍କୁ ଭେଟିବେ । ଅନ୍ୟ ସେମି ଫାଇନାଲ୍‌ରେ ଡାଲିନିନା ଓ କ୍ରୁନିକ ଯୋଡ଼ି ୭-୬(୭-୨), ୩-୬, ୬-୪ ସେଟ୍ରେ ପଞ୍ଚମ ସିଡ୍ ଗାବ୍ରିଏଲା ଡାବ୍ରୋସ୍କି ଓ ଲୁଇସା ଷ୍ଟିଫାନି ଯୋଡ଼ିଙ୍କୁ ହରାଇଥିଲେ ।